Unknown

 

 

 

 

 

 

 

 

 

ପ୍ରଣୟ-ଚିଟାଉ

ଶ୍ରୀ ଚିନ୍ତାମଣି ମହାନ୍ତି

 

ପ୍ରଥମ ସର୍ଗ

(ବସନ୍ତ ପ୍ରତି ବସୁମତୀ)

 

ଘେନା ହେଉ ଋତୁରାଜ ଦୀନା ପ୍ରକୃତିର

ପ୍ରାଣର ପ୍ରଣୟ ଅର୍ଘ୍ୟ, ପୁଣ୍ୟ ଆମନ୍ତ୍ରଣ,

ବିଶ୍ୱରାଜ-ଜେମା ମୁହିଁ ଅନନ୍ତ ବୈଭବା,

ମାତ୍ର ତବ ପଦମୁଳେ ବିକା ବିନା ପଣେ ।

ତବ ବିନା ପ୍ରିୟବର, ମୋ ନୟନେ ହାୟ,

ଶ୍ମଶାନର ଭସ୍ମ ପ୍ରାୟ ସେ ମହାବିଭବ,

ଭାବେ ବସି ଦିବାଯାମୀ, କାହିକିଁ ବିଧାତା

ସୃଜିଲା ଅପର ଋତୁ, ନ କଲା କାହିଁକି

ଚିରବସନ୍ତିନୀ ମୋତେ, କି ପାପେ ବା ଶାପେ ।

କେଉଁ ସ୍ୱର୍ଣ୍ଣଧରା ଅବା କେବଣ ମନ୍ତ୍ରରେ

ଭୁଲାଇ ତୁମ୍ଭଙ୍କୁ ରଖେ ଦଶ ମାସ କାଳ

ସାଧିବାକୁ ମୋ ସହିତ ସପତ୍ନୀ-ବିବାଦ,

ଅସପତ୍ନ ଅରିଧା ମୋ ହରି ମାୟାବଳେ ।

ଭୁଲି ଏ ଦାସୀକି ତୁମ୍ଭେ ପ୍ରିୟ ଋତୁବର,

କେଉଁ ସମୁଜ୍ଜ୍ୱଳ ରାଜ୍ୟ କର ଉତ୍ସବିତ ।

ମୋ ପ୍ରାଣ-କଳ୍ପନାଧ୍ୱନି-ଆତୁରତାବୋଳା,

ନ ଶୁଭେ କି ତହିଁ, ସେ କି ନିର୍ବାଚ ପ୍ରଦେଶ ?

କି କହିବି ପ୍ରାଣାଧିକ, ଅଧିକ ମୁଁ ଅବା,

ତୁମ୍ଭ ବିନା ଯେ ଯନ୍ତ୍ରଣା ଭୁଞ୍ଜୁଛି ମୋ ଆତ୍ମା,

ଦେଖନ୍ତି ସମୀପେ ଥିଲେ ଫେଡି ହୃଦୟର

ନିଭୁତ ନିକେତନର ବ୍ୟଥାବଦ୍ଧ ଦ୍ୱାର,

ଦେଖନ୍ତ ତହିଁରେ ତୁମ୍ଭେ କେତେ ଭାବ, ଚିନ୍ତା,

ଅଛି ଅନୁସ୍ୟୁତ, ଯଥା ଚନ୍ଦାତପେ ମୁର୍ତ୍ତି ।

ତୁମ୍ଭ ବିନା ମୋର ମନ ହେଉ ନାହିଁ ମୋର,

ବିଡ଼ ଅବାଧ୍ୟ ସେ, କେବେ ନ ଘେନେ ସାନ୍ତ୍ୱନା,

ଉଡି ବୁଲେ ମହାଶୁନ୍ୟେ ଅଜ୍ଞାତ ରାଜ୍ୟରେ ।

ବାନ୍ଧେ ବହୁ ଆଶା ମନେ, ମାତ୍ର ପ୍ରତିଦିନ

ନୂତନ ଭାବରେ ହୁଏ ନିରାଶ ସର୍ବଥା,

ନ ଧରେ ଆଶାର ରଙ୍ଗ ହତାଶ ହୃଦୟେ ।

ଦୁଃଖ ତାପ ଅଶ୍ରୁ ଶୋକ ଚିରସଖା ମୋର !

ଧରଣୀ ନୟନମଣି ତୁମ୍ଭେ ଋତୁମଣି,

ଧରଣୀ-ହୃଦୟ-ସରଃ-ସ୍ୱର୍ଣ୍ଣ-ସରସିଜ,

ଧରଣୀର ଆଶା-ନଭେ ଶରତପର୍ବଶଶୀ,

କି ଅଦ୍ଭୁତ ଚୋର ତୁମ୍ଭେ, ଚୋରାଇ ମୋ ମନ

ସ୍ୱଳ୍ପକ୍ଷଣେ, ଲୁଚ ଯାଇ ନନ୍ଦନକାନନେ,

ସାର୍ଥକ କରିଣ ‘‘ଚୋରା ବସନ୍ତ’’ ଉପାଧି ।

କେଉଁ ଗୁଣେ ବଡ଼ ଭଲା ମୋ ତହୁଁ ନନ୍ଦନ,

ବିଶେଷତ୍ୱ ପାରିଜାତ ତାର, କିନ୍ତୁ ତାହା

ମୋ ସକାଶେ ତୁଚ୍ଛ । ଦେବ ନ ଜାଣ କି ତୁମ୍ଭେ

କୋଟି ରତ୍ନ-ପାରିଜାତ ରହିଛି ବିକ୍ଷିପ୍ତ

ତବାଶ୍ରିତ ଏ ଧରାର ପ୍ରତି ଲୋମକୂପେ ।

ନାମ ମୋର ଗନ୍ଧବତୀ, ବଳେ କି ମୋ ଗନ୍ଧୁ

ହେ ନନ୍ଦନବନ୍ଧୁ, ସ୍ୱର୍ଗ ପାରିଜାତ ଗନ୍ଧ ?

ବାସ୍ତବ ମୁଁ, ପାରିଜାତ ଆକାଶକୁସୁମ,

ନ ଧରେ ସେ ଫୁଲ ମୁହି, ନୁହେଁ ତାହା ବିଧି,

ଫୁଟେ କି ବାସ୍ତବ-ବୃନ୍ତେ ଆକାଶକୁସୁମ ?

ମୁଁ ଅନନ୍ତ, ମାତ୍ର ସାନ୍ତ ସେ ନନ୍ଦନବନ,

ଲଭିବ ସସୀମ କାହିଁ ଅସୀମ ତୁଳନା,

ତେବେ କେଉ ଗୁଣେ ଅବା ରଖେ ସେ ଭୁଲାଇ

ତୁମ୍ଭଙ୍କୁ ? ବୁଝିଲି ଏବେ, ନୁହେଁ ସେ ମୋଠାରୁ

ଗୁଣେ ବଡ଼, ମାତ୍ର ବଡ଼ ଭାଗ୍ୟେ, ଯେଣୁ ସେହୁ

ନେଇଛି ଛଡ଼ାଇ ବଳେ ସୌଭାଗ୍ୟ ମୋହର,

ହୋଇଛି ସେ ଭାଗ୍ୟବତୀ ମୋହ ଭାଗ୍ୟଯୋଗୁଁ ।

ତୁମ୍ଭ ଗଲା ପରେ ପରେ ଆସିଲା ନିଦାଘ

ଋତୁବାଘ, ଦେଖି ତାକୁ ତୁମ୍ଭ ସଖା ସଖୀ

ଗଲେ ଛାଡି ମୋତେ ସର୍ବେ, ତବ ପ୍ରିୟପିକ-

ବିପଞ୍ଚୀ ପଞ୍ଚମ ସ୍ୱରେ କରେ ଯେହୁ ଧିକ,

ମଳୟ ଅନିଳ ପୂର୍ବେ ରହୁଥିଲା ଯେହୁ

ସୁରଭି ପ୍ରଶ୍ୱାସ ତବ, ରସାଳମଞ୍ଜରୀ-

ଦର୍ଶକ ନୟନମନ-ବିହଙ୍ଗ-ପଞ୍ଜରୀ,

ତବ ସହଚରୀ, ଶୋଭାଲକ୍ଷ୍ମୀ, ପୁଷ୍ପଲକ୍ଷ୍ମୀ,

ପଳାଇଲେ କିଏ କାହିଁ ଛତ୍ରଭଙ୍ଗ ଦେଇ,

ପକାନ୍ତି ଯେସନ ଦେଖି ଅରଣ୍ୟବାସୀଏ,

ମହାବଳୀ ମହାବଳେ-ଜୀବକୁଳ-କାଳ,

କିମ୍ବା ଯଥା ବ୍ୟାଧେ ହେରି ତ୍ରାସେ ମୃଗଯୂଥ

ବନ-ସର-ଶତଦଳ, ସଂଯତ ସରଳ,

ଲୁଚନ୍ତି କାନନକୁଞ୍ଚେ ପଳାଇ ସତ୍ୱର ।

ସେ ସୁବର୍ଣ୍ଣ ମଣିବକ, ସେ ଲତା ମୁକୁଟ,

ପଲ୍ଲବ-ପ୍ରବାଳ-ମାଳ, ସେ ମହାଭୁଷଣେ,

ସଜାଇଣଥିଲ ମୋତେ ସାଦରେ ସ୍ୱକରେ,

ଛଡ଼ାଇ ନେଲା ତା କ୍ରୁର ନିଦାଘ-ପିଶାଚ,

ସେ ମହିମା ସେ ବିଭବ ହରିଲା ସେ ଖଣ୍ଟ ।

ପେଣ୍ଡାବାଳେ ଖୋଷି ଫୁଲ ନାଗର ପରାଏ

ହସୁଥିଲା ଯେ ପାଦପ-ଲତାନାଥ, ହାୟ,

ନିଦାଘର କ୍ରୋଧାନଳେ ଗଲାକ ସେ ଜଳି,

ହରନେତ୍ରାନଳେ ଯଥା ପୁଷ୍ପଧନୁ ଷ୍ପାଣି

ପୁଷ୍ପଧନ୍ୱା, ବିଶ୍ୱଶୋଭା-ସାମ୍ରାଜ୍ୟ-ସମ୍ରାଟ,

ତରୁଣ-ତରୁଣୀ-ହୃଦ-ଅବ୍ୟଥ-ସନ୍ଧାନୀ ।

ରଶ୍ମିରଥେ ରଶ୍ମିନାଥ ଭ୍ରମିଲେ ଗଗନେ

ଦୁର୍ଜୟ ବିକ୍ରମେ, ଅହୋ, କି ପ୍ରଚଣ୍ଡ ତେଜ,

ମନେ ହୁଏ ଜ୍ୟୋତିର୍ମତୀ ଜନନୀ ତାଙ୍କର

ବଢ଼ାଇଲେ ବା ତାଙ୍କୁ ସିଂହୀ ଦୁଗ୍ଧପାନେ ।

ଅନଳ ଦୃଷ୍ଟିରେ ରବି ଚାହିଁଲେ ସରୋଷେ,

ବିନ୍ଧିଲା ସେ ଦୃଷ୍ଟି ମୋର ଦେହେ ମୃତ୍ୟୁବାଣ,

ପ୍ରତେ ହେଲା ଯେହ୍ନେ, ମୁଠା ମୁଠା ଅଗ୍ନି ଗୁଣ୍ଡି

ଦେଉଛି କେହି ବା ଛାଟି ଚୌଦିଗେ ସତତ ।

ଧୁଳିକଣା ଗଲା ଜଣା ସ୍ପୁଲିଙ୍ଗ ପରାୟେ

ନ ପାରି ସନ୍ତରି ପକ୍ଷୀ-ବନବୈତାଳିକେ

ରଶ୍ମି-ସାଗରର ରୁଦ୍ର ଅନଳ ତରଙ୍ଗେ

ଲୁଚିଲେ ପାଦପ-କ୍ରୋଡ଼େ, ପତ୍ର-ଅନ୍ତରାଳେ ।

ଅନନ୍ତଯୌବନା ମୁହିଁ, କରି ଦେଲା ଦୁଷ୍ଟ

ଅକାଳ ଜରତୀ ମୋତେ, ଶୋଷି ରକ୍ତ ଦେହୁଁ,

ଯଥା ଉତ୍ତମର୍ଣ୍ଣ ଶୋଷେ କଳନ୍ତର-ରକ୍ତ

ଅଧମର୍ଣ୍ଣ ପିଣ୍ଡୁ, ଚିରଶୋଷଣ-ନିପୁଣ ।

କେତେ ବଖାଣିବି ପୋଡ଼ା ଦୁଃଖର କାହାଣୀ,

ଦିନେ ଦହେ ରବି, ରାତ୍ରେ ଦାବାନଳ ଦହେ

ମୋ ବନ-କୁନ୍ତଳ, ଖେଳେ ଅବହେଳେ ଅବା

ବନେ ମଣିକୁନ୍ତଳିନୀ ଅନଳଫଣିନୀ,

କିମ୍ବା ଖେଳେ ଘନକୋଳେ ଘନ-ବିନୋଦିନୀ

ସୌଦାମିନୀ ଘନକାଳେ, ହସ୍ତ ହେମହାସୀ ।

ଦେଖିଲି ସ୍ୱପନେ ଦିନେ ପୁରୁଷରତନ,

ପୁଷ୍ପର ପିତୁଳୀ, ପୁଷ୍ପ-ଭୁଷଣେ ଭୁଷିତ,

ପୁଷ୍ପ ପରିଚ୍ଛଦ, ପୁଷ୍ପ-ପ୍ରହରଣଧାରୀ,

ରସାଳ-ବକୁଳ-ଚୁଡ଼ା ବିରାଜେ ମସ୍ତକେ,

ଧୁତୁରା ତାହାର ଫୁଲଭୁଣ, ପୂର୍ଣ୍ଣ ତାହା

କେଶର-କୁସୁମ-ଶରେ, ଅଗସ୍ତି କୁସୁମ

ଫୁଲଧନୁ, ଗୁଣ ତହିଁ ଶିଳୀମୁଖଯନ୍ତି ।

ସେ ପୁରୁଷ କର୍ଣ୍ଣମୁଳେ ଦେଇଛି ପିନ୍ଧାଇ

ବାସଙ୍ଗ ପ୍ରବାଳଖଚୀ ହୀରକ କୁଣ୍ଡଳ,

ସୁନାରୀ ସୁବର୍ଣ୍ଣହାର ଲମ୍ବାଇଛି ବକ୍ଷେ ।

ଫୁଟିଅଛି କେତେ ଫୁଲ ଚଉପାଶେ ତାର,

ଫୁଟିଛି ସେବତୀ, ଗଢ଼ି ପ୍ରତିରୁପ ଯାର

ସୁବର୍ଣ୍ଣେ ସୁନ୍ଦରୀକୁଳ ଖୋଷନ୍ତି ଖୋଷାରେ ।

କାହିଁ କର୍ଣ୍ଣିକାର କଢ଼ ବନସ୍ପତି କର୍ଣ୍ଣେ

ପିନ୍ଧାଇଛି ସ୍ୱର୍ଣ୍ଣଚମ୍ପା, କାହିଁ ବା ମନ୍ଦାର

ଅମନ୍ଦ ସୁନ୍ଦର ତନୁ ସିନ୍ଦୂରନନ୍ଦିତ-

ଦେଖାଇ ଦୋଳୁଛି ଗର୍ବେ ଚୌଦିଗ ଉଜ୍ଜ୍ୱଳି ।

କାହିଁ ଛୁରିଅନା ହୋଇ କୁସୁମେ ଛୁରିତ

ସମରୁପ ପୁନ୍ମାଗକୁ କରେ ପରିହାସ,

ଧାଇଁଛନ୍ତି ଚଉପାଶୁ ଅଳିଏ ସତ୍ୱରେ

ପୁଷ୍ପ ପ୍ରତି, ପ୍ରତେ ହୁଏ ରାଜନ୍ୟସମାଜ

ଧାବିତ କି ସ୍ୱୟମ୍ବରେ କନ୍ୟାଲାଭ-ଅଶେ ।

ଏହିପରି କେତେ ଫୁଲ ଫୁଟିଛି ଗହଳେ

ସେ ପୁରୁଷ ବେନି ପାର୍ଶ୍ୱେ, ପୁରଚେ, ପଶ୍ଚାତେ,

ତାହା ପୁଷ୍ପହାସେ ମିଶି କୁସୁମର ହାସ,

ଦିଶନ୍ତି ଉଜ୍ଜ୍ୱଳ ବେନି ବେନିଙ୍କ ପ୍ରଭାରେ ।

କିଏ ସେ ପୁରୁଷମଣି ଚରାଚର-ସ୍ତୁତ,

ପାରିବ କି କହି ? ତୁମ୍ଭ କହିବା ଆଗରୁ

କହୁଛି ମୁଁ, ସେ ପୁରୁଷ ଦୀନା ଧରଣୀର

ହୃଦୟଚନ୍ଦନ, ତାର ଧ୍ୟାନର ଦେବତା,

ଏଥିରେ ଯଦ୍ୟପି ତୁମ୍ଭେ ନ ପାରିବ ଚିହ୍ନି,

ଚିହ୍ନ ତେବେ ଚିହ୍ନାଉଛି, ତୁମ୍ଭେ ସେ ପୁରୁଷ ।

ଭାଙ୍ଗିଗଲା ସ୍ୱପ୍ନ, ହାୟ, କାହିକି ବା ବିହି

ସୁଜିଲେ ସ୍ୱପନେ କରି ଅଳ୍ପାୟୁ ସଂସାରେ,

ସତ୍ୟହୀନ ହେଲେ ସୁଦ୍ଧା ସୁଖ-ସ୍ୱପ୍ନ ମିଠା,

ମଧୁର, ବ୍ୟର୍ଥତା ସୁଦ୍ଧା ଶୁଭ ସମ୍ବାଦର ।

କେତେ ଯେ ଦୁଃଖିତା ମୁହିଁ ତୁମ୍ଭରି ଅଭାବେ,

କି ଲେଖିବି ପ୍ରାଣାଧିକ ଏ କ୍ଷୁଦ୍ର ପନ୍ତ୍ରୀରେ,

ଅସ୍ତୋନ୍ମୁଖ ରକ୍ତ ରବି ଅସ୍ତାଚଳଚୁଳେ

ଚାହାନ୍ତି ଯେ କାଳେ ଫେରି କମଳିନୀ ପ୍ରତି,

ଫୁଲକୁଳ-ପୁରନ୍ଦରୀ, ସଙ୍ଗିନୀ ତାଙ୍କର,

ସେକାଳେ ତୁମ୍ଭଙ୍କୁ ସ୍ମରି, ହୁଏ ମୁଁ ବ୍ୟଥିତ ।

ଅଳ୍ପକ୍ଷଣେ ଦେଖି ପୁଣି ପ୍ରେମିକ ଚକୋର,

ଉଡିଯାଏ ଚାହିଁ ଚାହିଁ ପ୍ରେୟସୀ ବଦନ

ବୃକ୍ଷାନ୍ତରେ, ଯାପିବାକୁ ବିଚ୍ଛେଦ-ରଜନୀ,

ଭାବେ ହାୟ, ଯିବାବେଳେ ତୁମ୍ଭେ ଏହିପରି

ବାଟେ ଫେରି ଚାହି ଚାହିଁ ଯାଇଥିବ ମୋତେ,

ନ ଥିଲା ତେଣେ ମୋ ଦୃଷ୍ଟି ବିଭବବିଭୋଳେ,

ତୁମ୍ଭ ଦତ୍ତ ବିଭବରେ ହୋଇ ବିଭବିନୀ,

ଭୁଲିଲି ତୁମ୍ଭଙ୍କୁ, ଧିକ ଅକୃତଜ୍ଞା ମୁହିଁ !

ଆସିଲା ନିଦାଘ ଶେଷେ ଶୀତଳ ପ୍ରାବୃଟ,

ବିରାଟ ମହିମାବନ୍ତ, ବାରିଦ-ବାହନେ ।

ଆଷାଢ଼ ପ୍ରଥମ ଦିନେ ମେଘ-ଦୁତଦ୍ୱାରା

ପେଷିଲା ବାରତା ଯକ୍ଷ ବିରହବ୍ୟାକୁଳେ

ପ୍ରିୟା ପାଶେ, ଦେଖି ତାହା ଇଚ୍ଛିଲି ପ୍ରେରିବି

ତବ କତି ଦୁତ, ମାତ୍ର ବୃଥା ଆଶା, ହାୟ,

ସେ ଦୁର୍ଯ୍ୟୋଗେ କାହାକୁ ବା ପେଷିବି, କେ ଯିବ,

କେବଣ ଅଜ୍ଞାତ ଦେଶେ ଖୋଜିବ ତୁମ୍ଭଙ୍କୁ,

ଭାବି ଭାବି ଅବଶେଷେ ହେଲି ମୁଁ ହତାଶ ।

ଧାଇଁଲେ ବାରିଦେ ସଦା ଗହନ ଗଗନେ

ଗରଜି ଭୈରବ ରବେ, ଗର୍ଜନ୍ତି ଯେସନ

ଦିଗ୍ୱଜେ ପ୍ରଳୟକାଳେ ବ୍ରହ୍ମାଣ୍ଡ କମ୍ପାଇ ।

ସେ ଶବ୍ଦେ ବଧିର ହୋଇ ଥରିଲା ଗଗନ,

ଥରିଲି ମୁଁ, ବାତେ ଯଥା ଚଳଦଳ-ଦଳ,

ବିଦାରି ବାରିଦ ବକ୍ଷ ଉଠିଲା ପ୍ରଜ୍ଜ୍ୱଳି

ମୁହୁର୍ମୁହୁ ସୌଦାମିନୀ, ଘନ-ପ୍ରଣୟିନୀ,

ବହେ କି ଅନଳ-ନଦୀ, ଅଶୁଗା, ଅସ୍ଥାୟୀ ?

ହେଲା ସୃଷ୍ଟି ବିଦ୍ୟୁରାଜ୍ୟ, ହେଲା ଦିନ ରାତି-

ବିଦ୍ୟୁଦ୍ଦିନ, ବିଦ୍ୟୁରାତ୍ରି, ବିଭୀଷିକାମୟ ।

ଦଣ୍ଡକେ ହେଲା ମୋ ମୁଣ୍ଡେ କୋଟି ବଜ୍ରପାତ,

ହେରି ମୋ ଦୁର୍ଦ୍ଦଶା ଖେଦେ କାନ୍ଦିଲା ଗଗନ,

କାନ୍ଦିଲେ ମୋ ଗିରି, ନଦୀ, କାନ୍ଦିଲି ମୁଁ ଆର୍ତ୍ତେ ।

କେତେ ଯେ ଲୋତକ ଥିଲା ଆକାଶ ନୟନେ,

ହେବ ନାହିଁ କଳି, ଦେଇ ଅନର୍ଗଳ ଢ଼ାଳି

ତାହା, କଲା ଅଭିଷକ୍ତ ମୋତେ ଅନୁକ୍ଷଣ ।

ଶ୍ରାବଣର ଧାରା ସହ ବର୍ଷିଲା ମୋ ଶିରେ

ବହୁ ଦୁଃଖ-ବହୁ ବ୍ୟଥା ବେଦନାର ଧାରା,

ତହିଁ ସଙ୍ଗେ ମୋ ନୟନୁ ବର୍ଷି ଅଶ୍ରୁଧାରା

ବହି ଶୈବଳିନୀରୁପେ, ହୋଇ ପୂର୍ଣ୍ଣଗର୍ଭା-

କୂଳଙ୍କଷା, ବୁଡ଼ାଏ ସେ ମୋତେ, ତହୁଁ ଖେଦେ

କହେଁ ମୁଁ ଅଶ୍ରୁକୁ, କିଏ ପୋଛିବ ରେ ତୋତେ

ଦୀନ ଭାଗ୍ୟହୀନ, ହାୟ କି ନିର୍ବୋଧ ତୁହି,

ଯେ ପୋଛନ୍ତା, ସେ ତ ଯାଇ ଦୂରେ-ବହୁ ଦୁରେ ।

ବଜ୍ର ସହ ବିଦ୍ୟୁତର ଏ ବିବାହୋତ୍ସବ,

ଶୌର୍ଯ୍ୟ ସହ ସୌନ୍ଦର୍ଯ୍ୟର ଏ ମହାମିଳନ,

ବଡ଼ ପ୍ରୀତିପ୍ରଦ ଦୃଶ୍ୟ ଭାବୁକ ନୟନେ,

ଶୌର୍ଯ୍ୟ ସିନା ସୁଷମାର ଉପଯୁକ୍ତ ବର,

ମାତ୍ର ମୋ ନୟନେ ବିଷ, ଯେଣୁ ତୁମ୍ଭ ସହ

ମୋ ମିଳନ, ଶୋଭା ସହ ଶୋଭାର ମିଳନ ।

କେବେ ବା ପ୍ରବଳେ ବହି ଭୀମ ପ୍ରଭଞ୍ଜନ

କରେ ମୋତେ ବ୍ୟସ୍ତ, ଭୀତ, ତରୁବର୍ଗ ମୋର

ଭୟେ ହୋଇ ନତଶିର, ନମନ୍ତି ତା ପଦେ

ଯୁକ୍ତକରେ, ମହାଭୟେ ମୃଦେ ମୁଁ ନୟନ ।

ଦିଶେ ଯଥା ଉର୍ମିହୀନ ତମଃସିନ୍ଧୁ-ରାତ୍ରି,

ବୁଡାଏ ସେ ତରାତରେ, ଗ୍ରାସେ ଅନମ୍ବରେ,

ନ ଥାଏ ତାହାର ଶିରେ କବରୀବେଷ୍ଟନେ

ତାରା-ମୋତିମାଳା, ସ୍ନିଗଧ ତରଳା ମଞ୍ଜୁଲା ।

ନ ଶୋଭେ ଯାମିନୀ ଭାଲେ ଯାମିନୀମୋହନ

ଇନ୍ଦୁ, କ୍ଷୀରସିନ୍ଧୁନିଧି, ଶିରୋମଣିରୂପେ,

ଇନ୍ଦୁପକ୍ଷ ରାତ୍ରେ ଦିଶେ ନିରନ୍ଦୁ ଗଗନ ।

ମୋ ବନ-ମୟୁରପୁଚ୍ଛୁ, ପ୍ରଜାପତି ପକ୍ଷୁ

ଚୋରି କରି ବର୍ଣ୍ଣବିଭା, କେବେ ବା ଦିବସେ

ଉଦେ ହୁଏ ଇନ୍ଦ୍ରଧନୁ, ପ୍ରତେ ହୁଏ ଯେହ୍ନେ

ବିଶ୍ୱକର୍ମା କର୍ମଶାଳୁ ଉଠି ରତ୍ନରେଣୁ

ଯାଉଛି ଗଗନ-ଗର୍ଭେ ବକ୍ରାକାରେ ଉଡି !

ମୋ ବିଭବଚୋର ସେହୁ, ଦେଖିଲେ ତାହାକୁ

କମ୍ପି ଉଠେ ଅସ୍ଥି ମୋର ଅସମ୍ଭାଳ କ୍ରୋଧେ ।

ନିଦାଘ-ସନ୍ତପ୍ତ ଦେହ କରେ ସୁଶୀତଳ

ଅମୃତ-ସଲିଳ ସେବେ ବର୍ଷାକାଳ, ମାତ୍ର

ଅତି ଅନୁଗ୍ରହ ହୁଏ ଅନର୍ଥର ହେତୁ ।

ତଦନ୍ତେ ଶରତ ଆସି କଲା ରାଜପଣ

ଲମ୍ବାଇ ମାନସଗାମୀ ରାଜହଂସାବଳୀ-

ଜୟମାଲ୍ୟ କଣ୍ଠେ, ଜହ୍ନିଲତା ହେମଚ୍ଛତ୍ର

ଟେକିଲା ସାୟାହ୍ନେ, ଦେଲା ହର୍ଷେ ପୁଷ୍ପାଞ୍ଜଳି

ଶରତବାନ୍ଧବୀ ସ୍ନିଗଧଗନ୍ଧା ଶେଫାଳିକା ।

ଶରତ ପୟରେ, ଭକ୍ତିପ୍ରୀତି ଭେଟିରୁପେ ।

ରଚିଲା ବିଚ୍ଛେଦ ଛନ୍ଦେ ନିରୀହା ଚାତକୀ

କି ଅଜ୍ଞାତ ମର୍ମବ୍ୟଥା-କରୁଣଗୀତିକା,

ମୁଖ ତାର ଅତି ମ୍ଳାନ, ହାୟ, ମ୍ଳାନ ଯଥା

ଜନ୍ମଭୁମି ନିର୍ବାସିତ ଦୁର୍ଭାଗ୍ୟର ମୁଖ ।

ନିଜର ବିଚ୍ଛେଦ-ଅଶ୍ରୁ ଅର୍ପି ମୋ ନୟନେ

କାସାରେ ହସିଲା ବସି ଗର୍ବୋଜ୍ଜ୍ୱଳ ମୁଖେ

ଶ୍ୱେତରାତ୍ରୀ କୁମୁଦିନୀ, ହେରି ଚନ୍ଦ୍ରେ ନଭେ

ଘନ-ରାହୁମୁକ୍ତ, ଫୁଟି ଉଠେ ମୁଖେ ତାର

ଆନନ୍ଦ-ଆଲୋକ, କେତେ ଅନୁରାଗ ବୋଳା

ସେ ଚାରୁ ଚାହାଣି ଠାଣି, ହସେ ତେଣେ ଇନ୍ଦୁ

ପ୍ରିୟା ମୁଖ ଚାହିଁ, ଲାଗେ ହାସ୍ୟବିନିମୟ ।

ମଧୁର ମିଳନଗୀତ ହୃଦୟ ତନ୍ତ୍ରୀରେ

ଗୀତ ହୁଏ ବେନିଙ୍କର, ସେ ଶୁଭ ଗୀତର

ନୀରବ ପ୍ରେମର ମୌନ ମଧୁର ରାଗିଣୀ,

ସେ ରହସ୍ୟ ଭାଷା, ବେନି ବୁଝନ୍ତି ବେନିର ।

ଶରଦ-ଶାସନେ କ୍ରମେ ଶୁଖି ଆସେ ମୋର

ଲୋତକ ପଙ୍କିତ ବକ୍ଷ, ସୁଖଦ ଶାସନ

ତାର, ମାତ୍ର ତହିଁ ଥାଏ ବର୍ଷା ଉପସର୍ଗ,

ନୁହେଁ ତା ଶାସନ ତୁମ୍ଭ ଶାସନସଙ୍କାଶ

ସର୍ବାଙ୍ଗସୁନ୍ଦର, ପୂର୍ଣ୍ଣ, ତୁମ୍ଭର ଶାସନ

ନାତି ଉଷ୍ଣ ନାତି ଶୀତ, ଯଥା ତବ ସଖା

ମଳୟ ଅନିଳ, ପ୍ରାଣମନତୃପ୍ତିକର,

ଉନ୍ନତିର ପୂର୍ଣ୍ଣତା ସେ ଅର୍ପେ ମୋ ଆତ୍ମାକୁ ।

ଶାରଦ ଶାସନନୀତି ଶୀତଳ, ନିଶ୍ଚେଷ୍ଟ,

ନାହିଁ ତହିଁ ଶୌର୍ଯ୍ୟ, ଅତଃ ଅସମ୍ପୂର୍ଣ୍ଣ ତାହା,

କେବଳ ମଧୁର ନୀତି ନୁହେଁ ବାଞ୍ଛନୀୟ,

ଶୌର୍ଯ୍ୟଶୁନ୍ୟ ରାଜନୀତି ମେରୁଦଣ୍ଡହୀନ,

ନୁହେଁ ତହିଁ ଜୀବନର ନବତ୍ୱ ସତେଜ,

ବଡ଼ ଉପାଦେୟ ଅମ୍ଳମିଶ୍ରିତ ମଧୁର,

ଥିବାରୁ ଅମ୍ଳତା ସିନା ପକ୍ୱରମ୍ଭା ଫଳେ

ହୁଏ ତାହା ରୁଚିକର, ପୁଷ୍ଟିତୁଷ୍ଟିପ୍ରଦ ।

ଶରଦନ୍ତେ ରାଜଲକ୍ଷ୍ମୀ ପୁଣ୍ୟ-ଆମନ୍ତ୍ରଣେ

ଆସେ ହିମଋତୁ, ନଦଅଧିରାଜରୁପେ ।

ପୁଷ୍ପାବୃତ ଅଶନି ସେ, ଶୀତଳ ପରଶେ

ପୋଡିଦିଏ ପଦ୍ମବନ-ମୋର ବରଭୁଷା,

ତହୁ ଶ୍ଳେଷଛଳେ ତାକୁ କରେ ମୁଁ ଭର୍ତ୍ସନା-

‘‘ନୋହୁରେ ତୁଷାର ଅଟୁ ତୁ ହୀନ ବର୍ବର ।’’

ବର୍ଷିଲା କାକର ରାତ୍ରେ, ବର୍ଷିଲା ତା ସହ

କାଶ ଜ୍ୱର ଲସମାଦି ବହୁବିଧ ବ୍ୟାଧି,

ହୁଲୁହୁଲିଆ ପବନେ ନ କାଟିଲା ଖରା,

ହିମ ବୃଷ୍ଟି, ତହିଁ ପରେ ପାହାନ୍ତିଆ ଶୀତେ

ସିକ୍ତଦେହେ, ଯାପେ ମୁହିଁ ରାତ୍ରି ଥରି ଥରି,

ଥରେ ଯଥା ଚାଟ ରୁଷ୍ଟ ଅବଧାନ ଦଣ୍ଡେ ।

ପ୍ରଭାତେ କାର୍ତ୍ତିକବ୍ରତୀ ପୁଣ୍ୟ ଶଙ୍ଖ ସ୍ୱନେ

ତୁଟିଯାଏ ନିଦ୍ରା ମୋର, ମଣେ ମୁଁ ତାହାକୁ

ତବ ଆଗମନୀ ବାଦ୍ୟ, ମାତ୍ର ବୃଥା ଆଶା,

ଆଶା ସିନା ଖାଲି ଶନ୍ୟ ପାଦପର ଛାୟା,

ଛାୟାବୃକ୍ଷେ ସମ୍ଭବେ କି କେଉଁ କାଳେ ଫଳ ?

ଦେଖେଁ ଚକ୍ଷୁ ଫେଡି, ଅଗ୍ରେ ରହିଛି ବିମୁକ୍ତ

ହେମନ୍ତ ରଚିତ କାବ୍ୟ, ପଢ଼େଁ ତାହା; ମାତ୍ର

ହୁଏ ନାହିଁ ଆତ୍ମା ଆର୍ଦ୍ର ତହିଁ, ନାହିଁ ତହିଁ

ପରିପୂର୍ଣ୍ଣ ସୌନ୍ଦର୍ଯ୍ୟର ତରଙ୍ଗ ଆବେଗ,

ନାହି କୋକିଳର କୁହୁ କିମ୍ବା କେକି-କେକା,

ହେ ନୀରବ କବିମଣି, ତବ କାବ୍ୟ ସବୁ

କି ଗୁଣେ ଯୋଖିବି ଭଲା ସେ ଜୀର୍ଣ୍ଣ କାବ୍ୟକୁ,

ଅଜ୍ଞତା-ମହତ ସହ ଅଧମ ଉପମା,

ବାଷ୍ପରୁଦ୍ଧ କଣ୍ଠେ କରେଁ ସାଙ୍ଗ କାବ୍ୟ ପାଠ ।

ଅନନ୍ତର ଆସେ ଶୀତ, ଅହୋ, ସେ ଦୁଷ୍ଟର

କି ଭୀଷଣ ପ୍ରାଦୁର୍ଭାବ, ପରଶେ ତାହାର

ଅଚଳ ସଚଳ ହୁଏ, ସଚଳ ଅଚଳ ।

ଦିଶିଲା ଶରୀର ମୋର ଶ୍ରୀହୀନ ପାଣ୍ଡୁର,

ଦଳିତ କଜ୍ଜଳନିଭ ଦିଶିଲା ଉଜ୍ଜ୍ୱଳ

କାକକାନ୍ତି, ଆନକାନ୍ତି ମଳିନ ନିଷୁପ୍ରଭ ।

ଚିର ଅବିଧବା ହୋଇ ଭୁଷଣ ବିହୀନେ

ଧରିଲି ବିଧବା ବେଶ ହାୟ ମୁଁ ଅଭାଗୀ ।

ଘୋର ଶୀତେ ବସିଗଲା ରକ୍ତ ଘନ ହୋଇ,

ପ୍ରତେ ହେଲା ଲିପ୍ତ ଯଥା ତୁଷାର ପ୍ରଲେପ,

ଫାଟିଗଲା ଅସ୍ଥିଚର୍ମ ହୋଇ ପିଣିପିଣି,

ଖିଲିମାରି ହସ୍ତପଦ ହେଲାକ ଅସାଢ଼ ।

ପୂର୍ଣ୍ଣ ହେଲା ସୃଷ୍ଟି, ପ୍ରାତେ ଘନକୁଜଝଟୀରେ,

ପୂର୍ଣ୍ଣ ଯଥା କ୍ରୋଧୀ ହୃଦ କ୍ରୋଧାନଳ ଧୁମେ,

ସେ ଧୁମ୍ର-ସାଗରଗର୍ଭେ ବୁଡି ଚରାଚର

ଜୀବନ୍ତେ ଦିଶିଲେ ସର୍ବେ ପ୍ରେତମୂର୍ତ୍ତି ଯଥା,

ବୁଡିଗଲା କୁହୁଡିରେ ଅନନ୍ତ ଆକାଶ,

ସ୍ୱଭାବେ ସେ ଦିଗମ୍ବର, ଦିଗମ୍ବର ପ୍ରାୟ

ବୋଳି ହୋଇ ବଳେ କରେ ରଜତ ବିଭୁତି

ଧରିଲା କି ଯତିଭୁତି, ସାର୍ଥକି ସ୍ୱନାମ ।

ଶୀତେ ହୋଇ ଜୀବନ୍ମୃତ ଆଶ୍ରିଲି ନୈରାଶ୍ୟେ,

ଏମନ୍ତ ସମୟେ ଆସି ତୁମ୍ଭ ପ୍ରିୟଦୁତୀ

ଫୁଲଚୁଇଁ କଲା ମୋତେ ଆଶ୍ୱାସ ପ୍ରଦାନ,

ଆଶ୍ୱାସେ ଯେସନ ପ୍ରାତେ ପୁଷାଦୁତୀ ଉଷା

ପୁଷାପ୍ରିୟା ପଦ୍ମିନୀକୁ, ଦିଶେ ତହୁଁ ଧନୀ

ସମୁଜ୍ଜ୍ୱଳ ହାସ୍ୟମୁଖୀ, ପାଟଳବରଣା ।

ଦେଖିଲି ଆବର ଏକ ମଙ୍ଗଳ ସଙ୍କେତ-

ଚୁତରାଜ ଅଙ୍କେ ବସି ଚୁତରାଜଜେମା

ମଞ୍ଜରୀ ସୁନ୍ଦରୀ, ଚାରୁ ହୈମ-କିରୀଟିନୀ,

ଆଚରିଛି ସ୍ୱୟମ୍ବର-ବ୍ରତ । ଅଳିରାଜ,

ବାୟୁରାଜ, ପିକରାଜ ଆଦି କେତେ କେତେ

ଖ୍ୟାତନାମା ଖ୍ୟାତଯଶା ରାଜା ମହାରାଜା,

ବେଢ଼ିଛନ୍ତି ଚଉପାଶେ ତାର, କଳରବେ,

ହଳଦୀବସନ୍ତବଧୁ, କାଞ୍ଚନ-ବୁକୁଳା-

ବୀଣା ବାଣୀ ସୁପ୍ରବୀଣା କନ୍ୟା ସଖୀ ପ୍ରାୟ

ଉଭା ହୋଇ କନ୍ୟା ପାଶେ ଅର୍ପୁଛି ତାହାକୁ

ରାଜନ୍ୟମଣ୍ଡଳି କୁଳଶୀଳ ପରିଚୟ-

ଲଳିତ ମଧୁରସ୍ୱରେ-ପୁଲକବ୍ୟଞ୍ଜକ ।

ମଧୁ, ତୁମ୍ଭେ ଆସିବ ଏ ମହାସ୍ୱୟମ୍ବରେ

ନିଶ୍ଚେ, ବାନ୍ଧି ଏ ଭରସା, ଅଛି ପଥ ଚାହିଁ,

ଚାହିଁଥାଏ ତାରା-ନେତ୍ରେ ନିଶୀଥିନୀ ଯଥା

ନିଶାନାଥ ପଥ, ବ୍ୟଗ୍ର ବ୍ୟାକୁଳ ନୟନେ,

 

ପ୍ରବେଶିଲେ ଆସି ତୁମ୍ଭେ ଋତୁକୁଳନାହା,

ଧୋଇଦେବି ପଦ ତବ ବିଚ୍ଛେଦ-ଲୋତକ ।

Image

 

ଦ୍ୱିତୀୟ ସର୍ଗ

(ଭ୍ରମର ପ୍ରତି କୁସୁମସୁନ୍ଦରୀ)

 

ପ୍ରଣମେ ପୟରେ ତବ ଅଳିକୁଳରାଜା,

ତରୁବାଳା ଏ କୁସୁମ-ମର୍ତ୍ତ୍ୟର ତାରକା,

ପ୍ରଣମେ ପାଦପ-ପଦେ ନତଶିରେ ଯଥା

ମୋର ଲତା-ମାତା, ଧୀରେ ସମୀରେ ଦୋହଲି ।

ଘେନ ପ୍ରାଣବନ୍ଧୁ, ଦୀନା ବନବାସିନୀର

ଲୋତକ-ଲିଖିତ ଲେଖ-ବିରହବ୍ୟଞ୍ଜକ,

ପେଷିଲି ମୁଁ କୃଷ୍ଣକାନ୍ତ, ମତି-ଦୂତୀ ହାତେ,

ପେଷିଲା ଯେସନ କୃଷ୍ଣ-ବିରହ-ବିଧରା

କୃଷ୍ଣପ୍ରାଣାଧିକା ସଖୀ ରାଧିକା ଗୋପିକା

ଲେଖହସ୍ତେ ଲଳିତାକୁ, ଅପ୍ସରାଦଳିତା,

(କିମ୍ବା ରୁପ ସ୍ୱର୍ଣ୍ଣଦୀପେ ସୁବର୍ଣ୍ଣ ଶଳିତା)

କୃଷ୍ଣ ପାଶେ, ବୃଷ୍ଣିବଂଶ-ସିନ୍ଧୁ-ସୁଧାନିଧି ।

ଘେନିଗଲା ବେଳୁଁ ନାଥ, ଅନ୍ଧାର ଅକ୍ରୁର

ବସାଇ ତୁମ୍ଭଙ୍କୁ ହାୟ ସମୀରଣ-ରଥେ,

ବଂଶରନ୍ଧ୍ର କଂସପୁରେ, ଆତୁର ମୁ ଅତି,

ହେ ବଂଶୀବାଦକ, ବାଇ ମୋହନ ମୁରଲୀ,

ରଖ ତବ ଏ କୁସୁମ ରାଧିକା ଜୀବନ ।

ପାଦପର ନେତ୍ର ମୁହିଁ ହେ ନୀଳମାଣିକ୍ୟ,

ତୁମ୍ଭେ ସେ ନେତ୍ରର ଡ଼ୋଳା, ଉଜ୍ଜ୍ୱଳ ସୁନ୍ଦର ।

ଭୁଞ୍ଜୁଛି ମୁଁ ଯେ ଦୁର୍ଗତି ପ୍ରତିନିଃଶ୍ୱାସରେ

କି କହିବି ତାହା, ଦୁଷ୍ଟ ପାପିଷ୍ଠ ପବନ

ଲଗାଇଛି ହଟ ସଦା, କରୁଛି ବିରକ୍ତ

ମୋତେ, ମଧୁପ୍ରତ୍ୟାଶାରେ କେବେ କରେ ଅଳି,

କେବେ ଚଳି ଦିଏ ଗାଳି, ମରମର ସ୍ୱରେ,

କେବେ ବା ପ୍ରହରି ପତ୍ରେ କରେ ମୋତେ ହାୟ

କ୍ଷତବିକ୍ଷତାଙ୍ଗ, ମାତ୍ର ତେବେ ସୁଦ୍ଧା ତାକୁ

ନ ଦିଏ ମୁଁ ମକରନ୍ଦ, ଯା ତୁମ୍ଭର ପ୍ରାପ୍ୟ,

କି ଗୁଣେ ଲଭିବି ତାହା ପାଷଣ୍ଡ ବର୍ବର ?

ନାସ୍ତିକ ଚଣ୍ଡାଳ ପତ୍ରେ ଦେବଭୋଗ୍ୟ ସୁଧା

ନ ପରଶି, ଫିଙ୍ଗି ଦେବା ବରଂ ଶ୍ରେୟସ୍କର ।

ଛୁଇଁବ ନାରକୀ କର୍ଣ୍ଣ ମହାମନ୍ତ୍ର କାହିଁ ?

ସ୍ୱଭାବେ ଅବଳା ମୁହିଁ ସଲିଳ-କୋମଳା,

କି କରିବି ବଳେ ଦୁଷ୍ଟ ହରିଲା ମୋ ବାସ,

ହରିଲା ଯେସନ କ୍ରୁର କୁରୁ ଦୁଃଶାସନ

ପାଣ୍ଡବ-ମହିଷୀ କୃଷ୍ଣା ଯାଜ୍ଞସେନୀ ବାସ

କୁରୁସଭା ମଧ୍ୟେ, ହାୟ ଗୁରୁଜନ ଆଗେ ।

କେତେ ତରୁ ମହାତରୁ, ଭୀଷ୍ମ ଦ୍ରୋଣ ପ୍ରାୟ

(ମହାରଥୀକୁଳପତି ଶୁରେଶ-ଶାତନ)

ଦେଖି ମୋର ଅପମାନ ନ କହନ୍ତି କିଛି,

ଚିସର୍ଜି ତୁଷାର-ଅଶ୍ରୁ କାନ୍ଦେ ମୁଁ ନୀରବେ ।

ହଲାଇ ହଲାଇ ମୋତେ, କ୍ଷୟ କରେ ଦୁଷ୍ଟ

ଚାଣର ଗୁରୁତ୍ୱ ମୋର, ଚାଲୁଣୀ ଯେସନ

ଚଲାଇ ଚଲାଇ ନାଶେ, ଶସ୍ୟର ବାହୁଲ୍ୟ ।

କାହାକୁ କହିବି ଦୁଃଖ, ଅଦୃଷ୍ଟେ ଧିକାରି

ହୃଦୟର ବ୍ୟଥା ରଖେଂ ହୃଦୟେଗୋପନେ,

ସେ ନିର୍ବାଣୀ ବ୍ୟାକୁଳତା ଦହେ ମୋ ଅନ୍ତର,

ଦହେ ଯଥା ଦାବାନାକ ମୋ ପିତା ପାଦପେ ।

ପ୍ରଜାପତି ଆଉ ଏକ ଦୁରନ୍ତ ମତ୍ସରୀ,

ଇନ୍ଦ୍ରଧନୁ ବର୍ଣ୍ଣବିଭା ଚୋରାଇ କୌଶଳେ,

ବୁଡ଼ାଇ ତହିଁରେ ତନୁ, ଆସେ ସେ ନିର୍ଲଜ୍ଜ,

ଦିବ୍ୟରୁପେ ଲୁଭାଇବା ଆଶା ବାନ୍ଧି ମନେ ।

କିନ୍ତୁ ମୂଢ଼ ଜାଣେ ନାହିଁ-ନ ଚାହେଁ ପ୍ରଣୟ

ଚହଟଚିକ୍କଣ ରୁପ, ବା ଇନ୍ଦ୍ରିୟ ସେବା,

ଚାହେଁ ସେ ଅନ୍ତରତମ ମିଳନ-ଅମୃତ ।

ପ୍ରଣୟର ଧର୍ମ ଏହା, କରିପାରେ ସେହୁ

ମହତ୍ତ୍ୱ ରେ ପରିଣତ ଆତ୍ମାର କ୍ଷୁଦ୍ରତ୍ୱେ,

ଯେ ପ୍ରଣୟ ରୁପଜ, ସେ ଇତର ପ୍ରଣୟ ।

ଆପାତ ସରଳ ତାହା ଅନ୍ତିମେ ଗରଳ,

ଅର୍ଧମ ସେ, ବହେ, କିନ୍ତୁ ଗ୍ରାମ ଧର୍ମଆଖ୍ୟା ।

ମାଗେ ମଧୁ ପ୍ରଜାପତି ନ ପାଇଲେ କୋପେ

ଉଡିଯାଏ ଶିରେ ମୋର ଚରଣ ପ୍ରହାରି ।

କିନ୍ତୁ ଏ ପାପର ଦୁଷ୍ଟ ସମୁଚିତ ଦଣ୍ଡ

ଭୁଞ୍ଜେ ସେହି ଦଣ୍ଡେ, ପାଏ ହାତେ ହାତେ

ଅବଳା-ଧର୍ଷଣ ଫଳ, ଗ୍ରାସି ତାକୁ ପକ୍ଷୀ,

କରେ ମୋତେ ଭୟୁ ତ୍ରାହି, ରଖେ ମୋର ମାନ,

ମହତର ମାନ ସିନା ରଖନ୍ତି ମହତେ ।

ତରୁରାଜ ଜେମା ମୁହିଁ, ମହାମାନବତୀ,

ଉଚ୍ଚବଂଶେ ଅବତଂସ, ଜନକ ମୋହର

କାଳଜୟୀ, ଆତ୍ମତ୍ୟାଗୀ, ବହୁପ୍ରାଣିପୁଷ୍ଟା,

ଆବର ଆଶ୍ରୟୁଦାତା, ପୁଣ୍ୟବସୁ ତାଙ୍କ

ବ୍ୟବହୃତ ହୁଏ ଯାଗେ, ଦେବତା ଗଠନେ ।

କେତେ ବା କହିବି ଆଉ, ନୁହେଁ ଏହା ମୋର

ସୌଭାଗ୍ୟ-ଗର୍ବିତ ଭାଷା-ଅମର ସତ୍ୟ ଏ ।

ବନ-ସ୍ୱର୍ଗ ତିଳୋତ୍ତମା ମୁହିଁ, ଆଣି ବିହି

ସକଳ ସାରରୁ ସାର, ବିହିଲା ମୋ ତନୁ,

ଚନ୍ଦ୍ରିକାରୁ ଶୀତଳତା, ବିଦ୍ୟୁତରୁ ଦ୍ୟୁତି,

ଅମୃତରୁ ମଧୁରିମା, ସ୍ନେହ ଶିଶୁହାସୁ,

ଶୁଦ୍ଧତା ସ୍ୱର୍ଗଙ୍ଗା ନୀରୁ, ସତୀତ୍ୱୁ, ଗୌରବ,

ସୁବାସ ମଳୟ ଶ୍ୱାସୁଁ, ତାରାରୁ ଔଜ୍ଜ୍ୱଲ୍ୟ,

ଇନ୍ଦ୍ରଧନୁଠାରୁ ଦିବ୍ୟ କାନ୍ତି, କୋମଳତା

କାମଧେନୁ ଦୁଗଧଜାତ ନବ ନବନୀତୁ,

ଏତେ ଉପାଦାନ ବିହି ନିହିଛି ମୋ ଦେହେ ।

ଶାନ୍ତ ସ୍ନିଗ୍ଧ ସିନ୍ଧୁ ମୁହି ଖ୍ୟାତିରେ ଜଗତେ,

ଶାରଦ ସୁନ୍ଦର ଇନ୍ଦୁ ନୂହେ ମୋତେ ସରି

ଶୋଭାପଣେ, ଥାଉ ଆନ, ଦେବାଦୃତା ମୁହିଁ,

ମୋ ବିହୀନେ ଅସୁନ୍ଦର ସୁନ୍ଦରୀ କବରୀ ।

ସର୍ବାଗ୍ରେ ବରଣ ମୋର ମଙ୍ଗଳକାର୍ଯ୍ୟରେ,

ମଧୁମକ୍ଷୀ ମୋ ଗର୍ଭରୁ ସଂଗ୍ରହିଣ ମଧୁ,

ପ୍ରଦାନେ ଜଗତ ହିତେ, ଧରି ମୋ ସୁଗନ୍ଧ,

ବିକନ୍ତି ଅତର ନାମେ ବିଳାସ-ଶିଳ୍ପୀଏ,

ଉଦ୍ଭିଦ-ତପସ୍ୱୀକନ୍ୟା ମୁହିଁ ତପସ୍ୱିନୀ,

ସେବା ମୋର ଧର୍ମ, ପ୍ରାଣ ଉତ୍ସର୍ଗିଛି ତହିଁ ।

ଆବର କବିଙ୍କ ପ୍ରିୟ ଅକ୍ଷୟ ସମ୍ବଳ,

ମୋ ଘେନି ସେମାନେ ସଦା ରଚନ୍ତି ଉପମା ।

ଏତେ ଗୁଣ ସତ୍ତ୍ୱେ ହାୟ ଇତର ହସ୍ତରେ

ଲଭେ ମୁଁ ହସ୍ତର ଶାସ୍ତି, କି କହିବି ତାହା !

କରି ମୋତେ ସ୍ଥାନଚ୍ୟୁତ ଦୁଷ୍ଟ ପ୍ରଭଞ୍ଜନ

ପକାଏ କଣ୍ଟକାସ୍ତୃତ କଦର୍ଯ୍ୟ ସ୍ଥାନରେ,

ପଞ୍ଚବଟୀ ବନୁ ହରି ରାବଣ ଯେସନ

ଜାନକୀ ଯୋଜନଗନ୍ଧା, ରକ୍ଷୋରାଜ୍ୟେ ନେଇ

ରଖିଲା ବେଢ଼ାଇ ଚେଡୀ ଦୂରନ୍ତା ଦୁର୍ମୁଖା,

ବୈଦେହୀବିଳାସୀ ରାମ ଅନୁପସ୍ଥିତିରେ ।

ଡାକେ ମୁଁ ଆରତେ ତହୁଁ-ହେ ମଧୁପରାଜ,

ତବ ଏ ଯୋଜନାଗନ୍ଧା ଆବଦ୍ଧା ଅସ୍ଥାନେ,

ଦେଖ ଆସି ପ୍ରାଣନାଥ ଦୁଃଖିନୀ-ଦୁର୍ଦ୍ଦଶା ।

ହେ ମଧୁଗୁଞ୍ଜନ, ମଞ୍ଜୁନିକୁଞ୍ଜବିହାରୀ-

ରସିକ-କୁଞ୍ଜରବର, ହେ ନୀଳସୁନ୍ଦର,

ଆସି କରେ ଉଦ୍ଧାର ଏ ରୁଦ୍ଧ କାରାଗାରୁ ।

ଅସୀମ ତୁମ୍ଭର ଋଣ, ଅଶୋଧ୍ୟ ଆବର,

କେତେ ସ୍ଥାନେ ଅବା ମଧୁ ନାହିଁ ଏ ଜଗତେ,

ଅଛି ତାହା ଇକ୍ଷୁଦଣ୍ଡେ, ପରିପକ୍ୱ ଫଳେ,

ପିକଭାଷେ, ଶିଶୁହାସେ, ସଜ୍ଜନ ଅନ୍ତରେ,

ମାତୃସ୍ନେହେ, ହରି-ନାମେ, ପ୍ରକୃତି ଶୋଭାରେ,

ଏତେ ମଧୁସତ୍ତ୍ୱେ, ତୁମ୍ଭେ ଆସକ୍ତ ମଧୁପ

ମୋ ମଧୁବିନ୍ଦୁରେ ଯାହା, ସୌଭାଗ୍ୟ ସେ ମୋର ।

ରାତ୍ରେ ଏହି ଦୁଷ୍ଟା ସ୍ମୃତି-ଉତଫଣା ନାଗୁଣୀ

ଦଂଶେ ତୀବ୍ରେ ବାରମ୍ବାର, ଆତ୍ମା ଅନ୍ତସ୍ତଳେ,

ଭାବେ ତହୁଁ ଶୋକେ, ହାୟ, ମୋ ଭାଗ୍ୟଦେବତା

ଲେଖିଛି ମୋ ଭାଗ୍ୟପଟେ ଅମଙ୍ଗଳ ଶ୍ଳୋକ

ଅଙ୍ଗାର ଲେଖନୀ ମୁନେ, ଅମଙ୍ଗଳ ବେଳେ ।

ବିଚ୍ଛେଦ ସନ୍ତାପ ପୁଣି ମଧ୍ୟାହ୍ନ ସନ୍ତାପ,

ବେନି ଚାପ ମଧ୍ୟେ ପଡି ଫାଟିଯାଏ ହୃଦ,

ଫାଟିଯାଏ ଶସ୍ୟ ଯଥା ପେଷାଚକୀ ଚାପେ ।

ହୁଏ ମୁଁ ମୁର୍ଚ୍ଛିତା ତହୁଁ; ମାତ୍ର ଅପରାହ୍ନେ

ଚେଇଁ ଉଠେ, ପ୍ରିୟ, ତବ ଅମୃତ ପରଶେ,

ନନ୍ଦନ ବସନ୍ତ ସ୍ପର୍ଶେ ମୃତଧରା ଯଥା ।

ଉଲ୍ଲସି ଉଠେ ମୋ ହିଆ ସେ ସ୍ନିଗଧ ପରଶେ,

ଆତ୍ମା ହୁଏ ହର୍ଷାଞ୍ଚିତ, ଆହା, ସେ ସମୟ

କି ଆନନ୍ଦମୟ, ଭାବମୟ, ପ୍ରୀତିମୟ,

ପୁଣ୍ୟମୟ ସଜୀବ ସେ ମଧୁର ମିଳନେ

ମର୍ତ୍ତ୍ୟେ ଥାଇ ସ୍ୱର୍ଗ ସୁଧା କରେଁ ମୁହି ପାନ ।

କେତେରୁପେ କେତେଭାବେ ସେବେ ମୁଁ ତୁମ୍ଭଙ୍କୁ

ଦିବସଯୌବନେ, ଯେବେ ହୋଇ ତୁମ୍ଭେ କ୍ଳାନ୍ତ,

କାର୍ମସିକ୍ତ, ପିପାସାର୍ତ୍ତ, କର ହେ ଶୟନ,

ମୋ ମନ୍ଦାରକୋଳେ, ବନ୍ଧୁ (କାବ୍ୟତାରା ଯଥା

ଉଷାକୋଳେ) ରାଜା ପ୍ରାୟ ରଙ୍ଗପାଟ ଶେଯେ,

ଘୋଡି ହୋଇ ରଙ୍ଗପାଟ ଓଢ଼ଣୀ ଶରୀରେ,

ବିଞ୍ଚିଦିଏ ସେକାଳେ ମୁଁ କେଶର ଚାମରେ ।

ଘେରି ମୋତେ ଚଉପାଶୁଁ ରୁଦ୍ର ରୌଦ୍ରରେଖା,

ସପ୍ତ ମହାରଥୀ ଯଥା ଅର୍ଜୁନ-ନନ୍ଦନେ,

ବିନ୍ଧୁଥାଏ ଶତ ଶତ ଉତ୍ତପ୍ତ ଶଳାକା

ଅୟୋମୟ; ମାତ୍ର ତାହା ନ ମଣେ ମୁଁ ବ୍ୟଥା-

ତୁମ୍ଭ ସୁଖସ୍ପର୍ଶଭୋଳେ, ଜାଣ ତା ସକଳ ।

ଅଳିରାଜ, ବୋଳି ହୋଇ ମୋ ପୁଣ୍ୟ-ପରାଗେ

ଉଡିଯାଅ ଢ଼ଳି ଢ଼ଳି ମୋ ଅଙ୍କରୁ ଯେବେ

ମୋ ମଧୁ-ମଦିରାପାନେ, ପ୍ରାତଃସମୀରଣେ,

କି ଦୃଶ୍ୟ ସେ ଆହା, ନେତ୍ରମନ ବିଲୋଭନ,

ସେକାଳେ ସୁନ୍ଦରବର, ଦିଶ ତୁମ୍ଭେ ଯଥା

ପ୍ରେମର ବିଭୂତିବୋଳା ପ୍ରେମର ସନ୍ନ୍ୟାସୀ,

ମଧୁର ଝଙ୍କାରତବ ପ୍ରଣବ ଓଁ କାର ।

ନିରେଖି ତା, ଫୁଟିଉଠେ ଆନନ୍ଦ-ଆଲୋକ

ହୃଦେ ମୋର, ପଡ଼େ ମୁଖେ ଗୌରବ ଉଛୁଳି ।

ରାତ୍ରେ ଲାଗେ ନଭ ସଙ୍ଗେ ଜ୍ୟୋତ୍ସ୍ନାର ବିବାହ,

ମହୋତ୍ସବମୟ, କନ୍ୟାପିତାରୁପେ ଶଶୀ-

ତାରାକାନ୍ତ, ଉପବିଷ୍ଟ ପ୍ରଭୋ-ଦେବୀ ପୃଷ୍ଠେ,

ଚୌପାଶେ ଅସଂଖ୍ୟ ତାରା, ଯୌତୁକରତ୍ନ ସେ,

ଉଚ୍ଚାରେ ଧରଣୀ ବେଦମନ୍ତ୍ର, ସୁଗମ୍ଭୀରେ ।

ନବପତି ଅଙ୍କେ ବସି ଚନ୍ଦ୍ରିକା-ସୁନ୍ଦରୀ

ହସି ହସି ହେଉଥାଏ ପୁଲକେ ମୁର୍ଚ୍ଛିତା ।

ହେରି ଏ ଉତ୍ସବ ଲୀଳା-ସୁଖାମୃତ ବୋଳା,

ପଡିଯାଏ ମନେ ମୋର ବିବାହ ସମୟ,

ପ୍ରାତେ ମୋର ପିତା ହାୟ, ତୁମ୍ଭ ପୁଣ୍ୟକରେ

ସମର୍ପନ୍ତି କାନ୍ଦି କାନ୍ଦି, ପତ୍ରନିପତିତ

ଶିଶିର କଣିକାଛଳେ ଜନନୀ ମୋହର

ଲତାରାଣୀ, କଳସ୍ୱନ ସମୀରଣ-ମୁଖେ

କହନ୍ତି ତୁମ୍ଭଙ୍କୁ କେତେ ବୁଝାଇ ମଧୁରେ,

କ୍ଷମିବାକୁ ଶତ ତ୍ରୁଟି ଶତ ଅପରାଧ,

ତାଙ୍କର ଏ ପ୍ରାଣସମା ମାନିନୀ କନ୍ୟାର ।

ବରଣୀ ବ୍ରାହ୍ମଣ, ବ୍ରହ୍ମା, ପୁରୋହିତରୁପେ

ଉଚ୍ଚାରନ୍ତି ବିହଙ୍ଗମେ ବିହାରର ମନ୍ତ୍ର ।

ସେହି ସ୍ମୃତି,-କୀଟରୁପେ କାଟେ ମୋ ହୃଦୟ,

ତୁମ୍ଭର ବିରହ ଶୋକ ହରିନିଏ ପ୍ରାଣ,

ମାତ୍ର ମରି ସୁଦ୍ଧା ମୁହିଁ ନ ପାରେ ପାସୋରି

ତୁମ୍ଭଙ୍କୁ, କି ମୋହ ତୁମ୍ଭେ ଲଗାଇଛ ବନ୍ଧୁ,

ପୁଣି ଜନ୍ମ ଲଭେ ତୁମ୍ଭ ପଦସେବା ପାଇଁ,

ତୁମ୍ଭ ଲାଗି ନିତି ମରି ନିତି ହୁଏ ଜାତ ।

ଭାବେ ମନ-ଯାନେ ଚଢ଼ି ଯିବି ତୁମ୍ଭ ପାଶେ,

ମାତ୍ର ସେ ନ ପାରେ ବହି ଏ ପୋଡ଼ା ଶରୀରେ,

ବିନୟେ ପ୍ରାର୍ଥନା କରେ ପକ୍ଷୀଙ୍କି ବିଶେଷ,

ଡାକେ ହେ ବିହଙ୍ଗରାଜ, ଦୟା ବହି ତୁମ୍ଭେ

ପ୍ରଦାନ ତୁମ୍ଭର ପକ୍ଷ ମୋତେ, ଯାଏ ମୁହିଁ

ଉଡ଼ି ବନ୍ଧୁ କତି, କିନ୍ତୁ ବୃଥା ଏ ଯାଚଞା

ନ କରନ୍ତି କର୍ଣ୍ଣଦାନ କେହି ମୋ କଥାରେ ।

ଏକମାତ୍ର ଚକ୍ରବାକୀ, ସମଦୁଃଖୀ ମୋର,

ପ୍ରଦାନେ ସାନ୍ତ୍ୱନା ମୋର ଅଶାନ୍ତ ଜୀବନେ,

ଦୁଃଖୀ ସିନା ଉଣା କରେ ଦୁଃଖିଦୁଃଖଭାର ।

ଭାଷେ ସେ କୋମଳେ- ‘‘ଭଗ୍ନି, ନୃହକ୍ଷୂର୍ଣ୍ଣମନା

ଏ ପୋଡ଼ାକପାଳୀ ସୁଦ୍ଧା ସମଦଶାପନ୍ନ

ତୋର, ବେନିଙ୍କର ଭାଗ୍ୟ ଗଢ଼ିଛି ବିଧାତା

ଏକ ଉପାଦାନେ, କିବା ପ୍ରବୋଧିବି ତୋତେ ?

ନ କର ଦୁଃଖକୁ ଭୟ, ନୁହେଁ ସେ ଅଶିବ,

ଦୁଃଖଭୋଗେ ହୁଏ ଆତ୍ମା ସ୍ୱଚ୍ଛ ପରିଶୁଦ୍ଧ,

ଅଗ୍ନି ସିନା ସ୍ୱର୍ଣ୍ଣେ କରେ ନିର୍ମଳ ଉଜ୍ଜଳ ।

ଦୁଃଖଦ୍ୱାରା କରି ହୁଏ ସୁଖ ଉପାର୍ଜନ,

ନ ବୁଡିଲେ ସିନ୍ଧୁଗର୍ଭେ ଶ୍ୱାସକ୍ରିୟା ରୋଧି,

କେ କରିବ ଉପଲବଧି ମୃକୁତା ପ୍ରବାଳ,

ନ ସହିଲେ କଣ୍ଟାକ୍ଷତ ନୁହେଁ କୋଳି ଲାଭ,

ଦୁଃଖ ପଛେ ଥାଏ ସୁଖ, ନିୟତି ନିୟମେ,

ରାତ୍ରି ପଛେ ଦିବା ଯଥା କିମ୍ବା ଶୀତ ପଛେ

ଥାଏ ଯଥା ମଧୁମୟ ସୁଖଦ ବସନ୍ତ ।

ଧୈର୍ଯ୍ୟ ଧରି କିଛି କ୍ଷଣ ରହ ଲୋ ଭଉଣି,

ନିଶା ଅବସାନ ସହ ହେବ ଅବସାନ

ଦୁଃଖ ଆମ୍ଭ ବେନିଙ୍କର, ଆଣି ଦେବ ଉଷା,

ନବୀନ ଜୀବନ ସଙ୍ଗେ ଜୀବନ-ବାନ୍ଧବେ ।’’

ଏହି କାଳେ ତରୁଚୁଳୁଁ ହୁଁହୁଁଆ * ଘରଣୀ,

ହୁଁ ହୁଁ ଶବ୍ଦେ ସମର୍ଥିଲା ରଥାଙ୍ଗୀ ବଚନେ,

ତହୁଁ ମୁଁ ଆଶ୍ୱସ୍ତ ହୋଇ ଉତ୍ପକ୍ଷ୍ମ ନୟନେ,

ଚାହିଁଅଛି ଉଷାପଥ, କରିବ ସେ ଉଦେ

ତପନଦେବଙ୍କ ସହ ମୋ ପ୍ରାଣ-ତପନେ ।

ବିଭାବରୀ ଦେବୀ ପଦେ ଅବନତ ଶିରେ

କରୁଛି ଜଣାଣ, ଶୀଘ୍ର ପ୍ରଭାତିବା ପାଇଁ,

ଭୁକ୍ତଭୋଗୀ ଠାକୁରାଣୀ, ଅଛି ତାଙ୍କୁ ଜଣା

ବିରହ-ଯନ୍ତ୍ରଣା, ଦିନେ ଭୋଗନ୍ତି ସେ ତାହା,

ବାନ୍ଧିଛି ମୁଁ ଆଶା, ସ୍ୱୟଂ ବିରହିଣୀ ହେତୁ

ବିହିବେ ସେ କୃପା ନିଶ୍ଚେ ସମଦୁଃଖୀ ପ୍ରତି ।

କଳାହେତୁ ମତ୍ସରୀଏ ନିନ୍ଦନ୍ତି ତୁମ୍ଭଙ୍କୁ,

କୋଟି ତୁଣ୍ଡ କୋଟି ଜିହ୍ୱା ଜନାପ୍ରବାଦର,

କେ ରୋଧିବ ତାହା, ଯାଏ ନାହିଁ ରୁପେ ଚିହ୍ନା

ବିଶେଷତ୍ୱ କା‘ର; ମାତ୍ର ଚିହ୍ନାଯାଏ ଗୁଣେ,

ଗୁଣ ଯାର ଶୁଭ୍ର, ହେଉ ପଛେ କଦାକାର

ସୁନ୍ଦର ସେ-ସୁନ୍ଦରର ସୁନ୍ଦର ଭୂଷଣ ।

ଅନାଦାରେ କେବେ କି ହେ କଳା ବୋଲି କେହି

ମଣିବର ଇନ୍ଦ୍ରନୀଳେ, ବରଞ୍ଚ ତାହାକୁ

ବହନ୍ତି ରାଜନ୍ୟବୃନ୍ଦ ବକ୍ଷେ, ଶରୋଦେଶେ ।

ଗୁଣିଗଣ-ଶିରୋମଣି ତୁମ୍ଭେ ଗୁଣମଣି,

ଅନିନ୍ଦ୍ୟ ସୁନ୍ଦରରୁପେ ନିରେଖି ତୁମ୍ଭଙ୍କୁ

ଫୁଟି ଉଠେ କବିଙ୍କର କଳ୍ପନା-ସୁମନ-

ହେ ସୁମନ ମନୋହର ବାସ୍ତବ ବୃନ୍ତରେ ।

କଳା ରୁପ ନୁହେଁ ନିନ୍ଦ୍ୟ, କେ ନିନ୍ଦେ କୋକିଳେ ?

ମହତର ବର୍ଣ୍ଣ ସିନା କୃଷ୍ଣ ଏ ଜଗତେ,

ଅନନ୍ତ ଆକାଶ କୃଷ୍ଣ, କୃଷ୍ଣ ମହାସିନ୍ଧୁ,

(ସ୍ଥିତ ଯା ଉଦରେ କୋଟି କୁବେରର ନିଧି)

ଘନ କୃଷ୍ଣ, ଗିରି କୃଷ୍ଣ, ଆଉ ଆନ କଥା,

ଜୁହାରେ ଜଗତ ଯାଙ୍କ ପୁଣ୍ୟ ପଦମୂଳେ,

ଜଗତ ଭରସା ସେହି ଦେବ ଜଗନ୍ନାଥ

ନୀଳାଦ୍ରି କେଶରୀ, ବିଜେ କୃଷ୍ଣରୁପ ଧରି ।

ପରମା ପ୍ରକୃତିରୁପା କରାଳୀ କାଳିକା

ଆଦ୍ୟା ଶକ୍ତି, ମହାବିଦ୍ୟା, ଦେବାରାଧ୍ୟା ଦେବୀ

ଆସକ୍ତ ଅସିତରୁପେ ଅତସୀ-ଗଞ୍ଜିତ ।

ନୁହେଁ କଳା ଅସୁନ୍ଦର, କି ସୁନ୍ଦର ଆହା

କେଳିକଣ୍ଠ, କୁରଙ୍ଗୀର ଢ଼ଳ ଢ଼ଳ ଡ଼ୋଳା,

କେଡେ ରମ୍ୟ ସୁନ୍ଦରୀର କୁଞ୍ଚିତକୁନ୍ତଳ,

କେତେ ବା କହିବି ଆଉ, ହେ ସୁନ୍ଦରମଣି,

ଯାହା ସବୁ ମୂଲ୍ୟବାନ ସୌନ୍ଦର୍ଯ୍ୟ-ସୃଷ୍ଟିରେ,

କୃଷ୍ଣକାନ୍ତ, ତାହା ତୁମ୍ଭ କାନ୍ତିରେ ଗଠିତ ।

କି ମଧୁର ସ୍ୱର ତବ ହେ ଗାୟକରାଜ,

ମଧୁର ଯେସନ ଋଷି ଉପଦେଶ କିମ୍ବା

ସ୍ୱଜନ ବେଭାର, କେଡ଼େ ଶ୍ରୁତିବିନୋଦନ

ସା ରି ଗ ମ ପ ଧ ନି ସା ସ୍ୱରର ଆଳାପ ।

ହେ ସଙ୍ଗୀତବିଶାରଦ, ମଣେ ମୁଁ ତୁମ୍ଭଙ୍କୁ

ସାଙ୍ଗୀତିକ ପ୍ରତିଭାର ନିସର୍ଗ ମୁକୁର ।

ସରଳ ସଙ୍ଗୀତ ତବ ରସଭାବମୟ,

ପ୍ରେମେ ଢ଼ଳ ଢ଼ଳ, ଯଥା ଭକ୍ତର ଜଣାଣ;

ହେଉ ପଛେ ଦୁର୍ବୋଧ୍ୟ ସେ ଅଥବା ଅସ୍ପଷ୍ଟ;

ମାତ୍ର ତାହା ନବବାଣୀ ନବଜୀବନର ।

ପ୍ରଚ୍ଛନ୍ନ ସେ ବାଣୀ ମଧ୍ୟେ ଯେ ପରମ ବାଣୀ,

ଅବାଣୀର ବାଣୀ ତାହା, ଭାଷାର ସେ ଭାଷା ।

ସେବାଦାସୀପଣେ ଖଟି ବୀଣାପାଣି ପାଦେ

ଶୁଣିଛି ବୀଣାର ସ୍ୱର, କିନ୍ତୁ ଶିଳୀମୁଖ,

ନାହି ତହି ତବ କଣ୍ଠ ବୀଣାମଧୁରିମା,

ତବ ସ୍ୱର ତୁଳନାରେ ତୁଚ୍ଛ ମଣେ ତାହା ।

ହେ ଗନ୍ଧର୍ବରାଜ, ଖରେ ବାହୁଡି ପ୍ରବାସୁ,

ଟଙ୍କାରି ଅମୃତ ତନ୍ତ୍ରୀ, ଅଜାଡ଼ ଅମୃତ

ତୁମ୍ଭରି କିଙ୍କରୀ ଏହି ବନପୂସରୀ କର୍ଣ୍ଣେ,

ପୂର୍ଣ୍ଣ କର ପ୍ରଭୁ, ତାର ଅତୃପ୍ତ ଲାଳସା ।

Image

 

ତୃତୀୟ ସର୍ଗ

(ଘନ ପ୍ରତି ଚାତକିନୀ)

 

କି ଦୋଷେ ବିମୁଖ ତୁମ୍ଭେ ଜୀମୁତରାଜ,

ଜୀମୁତ-ଜୀବନା ଦୀନା ତାଚକିନୀ ପ୍ରତି-

ଚିର-ତୁଷା-ଆତଙ୍କିନୀ, ତବ ପଦାଶ୍ରିତା ।

ବିଷମ ପିପାସା ମୋର, ମେଣ୍ଟେ ନାହିଁ ତାହା-

ପାପ-ଉଷ୍ଣ ଧରା-ନୀରେ, ଅପୂତ, ଦୁଷିତ,

ହେ ବାରିଦ, ତୁମ୍ଭ ପୁଣ୍ୟ ପ୍ରେମ-ବାରି ବିନା ।

ତୁମ୍ଭ ପରି ବଡ଼ଲୋକେ ଆଶ୍ରା କରି ହାୟ

ପୁରାଏଁ ଉଦର ମୁହିଁ ଆଶାରେ କେବଳ,

ଆଶା ସିନା ଶୂନ୍ୟଫଳ ବ୍ୟର୍ଥ ତପସ୍ୟାର,

କିମ୍ୱା ଇନ୍ଦ୍ରଜାଲ-ସ୍ୱପ୍ନ, ସତ୍ୟସତ୍ତାଶୂନ୍ୟ ।

ପ୍ରତିପାଳ ତୁମ୍ଭେ, ଦେବ, ବିଶ୍ୱଚରାଚରେ,

ପ୍ରଜାରୁପେ ଅର୍ପ ତୁମ୍ଭେ ପ୍ରତାପୀ ବାରୀଶେ

ବାରି-କର, ଆଉ ଯେତେ ଜଳାଶୟ, ସର୍ବେ

ତୁମ୍ଭ ଯୋଗେ ଧନୀ,ଏକା ଏ ହତଭାଗିନୀ,

ଦୁଷ୍ଟ ରୁଷ୍ଟ ଭାଗ୍ୟଦେଦ ତୀବ୍ର ଅଭିଶାପେ

ବଞ୍ଚିତ କେବଳ ତବ କୃପା-କଣିବାରୁ ।

କୃପଣ, ପ୍ରତିଷ୍ଠାକାମୀ ନୃପ ଆମନ୍ତ୍ରଣେ

ବର୍ଷିଯାଏ ତୈଳ ରାଶି ତୈଳାକ୍ତ ମସ୍ତକେ,

ମାତ୍ର ପଦାଶ୍ରିତ ଭୃତ୍ୟ ମରେ ଉପବାସେ,

ତାହା ତାର ଭାଗ୍ୟଦୋଷ, କହିବ କାହାକୁ !

ଏହା ଭିନ୍ନ ନିଜ ପ୍ରତି ନିଜର ସାନ୍ତ୍ୱନା

କି ଅଛି ତାହାର, ହାୟ, ବିଶ୍ୱଭାଷାକୋଷେ ।

ନ ଜାଣ କି ପ୍ରଭୁ ତୁମ୍ଭ କୃପାଜଳ ଭିନ୍ନ

ଅମୃତ ମୋ କଚି ତୁଚ୍ଛ, ଆମନ୍ତ୍ରେ ତଟିନୀ

ମୋତେ, ମୃଦୂ କଳ ସ୍ୱରେ, ବିନୟେ,ସାଗ୍ରହେ,

ପାନାର୍ଥେ ସଲିଳ ତାର; କିନ୍ତୁ ଘନବର,

ରସେ କି ଭକ୍ତିର ଚିତ୍ତ ହରିସଂକୀର୍ତ୍ତନ-

ବିନା ଗ୍ରାମ୍ୟଗୀତରସେ, କହେଁ ମୁଁ ତାହାକୁ-

ନଗେନ୍ଦ୍ରନନ୍ଦିନି ! ଧନ୍ୟ ମହତ୍ତ ଲୋ ତୋର,

ତୋ ଆଦରେ, ଶିଷ୍ଟାଚାରେ ଋଣୀ ମୁ ସତତ,

ମହତର ବନ୍ୟା ତୁହି, ସ୍ୱଭାବେ ମହତ,

ବିଦିତ ମହତ ସିନା ମହତର ମାନ ।

କିନ୍ତୁ ସଖି, ଜାଣୁ ତୁ ତ ମହାବ୍ରତ ମୋର,

ନ ଛୁଏ ମୁଁ ମର୍ତ୍ତ୍ୟନୀର, ହେଲେ ସୁଦ୍ଧା ପ୍ରାଣ

କଣ୍ଠାଗ୍ରତ, ସୁବିଶୁଦ୍ଧ ଥିଲା ତୋର ଜଳ

ଆସିବା ସମୟେ; ମାତ୍ର କଳୁଷିତ ଏବେ

ପାର୍ଥିବ ପ୍ରାକୃତ ଦ୍ରବ୍ୟେ, ଦହି ରବିକରେ

ନ ହେଲେ ସେ ପରିଶୁଦ୍ଧ ପୁନର୍ଜନ୍ମଦ୍ୱାରା,

ହେବ ନାହିଁ ଭୋଗ୍ୟ ମୋର କିମ୍ୱା ସ୍ପଶନୀୟ ।

ସେହିପରି ସରସୀକି ପ୍ରବୋଧେ ଆବର,

କମଳପ୍ରସୁତେ, ବୃଥା ଆହ୍ନାନ ତୋହର,

ବିଶୃଦ୍ଧ ଗୋଦୁଗ୍‌ଧପାୟୀ ଶାରିକା ବିହଗୀ

କରେ କି ମଦିରାପାନ,ଆଚ୍ଛା, କହ ଭଲା

ପଚାର୍ରେ ତୋ କଆ ତୋତେ, ତୋ ବକ୍ଷରୁ କେହି

ତୋତେ କି ଶୈବାଳ, ପଦ୍ମ କୁମୁଦ ଉପେକ୍ଷି ?

ଡ଼ାକେ ପୁଣି ମହାସିନ୍ଧୁ, ଗରଜି ଗମ୍ଭୀରେ,

କହେ ମୁଁ ତାହାକୁ, ଅତି ସମ୍ପଦରେ କଟୁ

ତୁହି ବାରିରାଜ, ଅତି ସମ୍ପଦେ ଯେସନେ

ଦୂଷିତ ଧନିକ ଜନ, ଧନ ଗର୍ବମତ୍ତ ।

ସିନ୍ଧୁରେ କି କାର୍ଯ୍ୟ ମୋର, ଲୋଡ଼ା ମାତ୍ର ବିନ୍ଦୁ,

କାହାର ବା ରୁଚିପ୍ରଦ ଳବଣାକ୍ତ ଜଳ ?

ହେ ନୀକନୀରଦବର, ଚାତକିନୀ-ବାଞ୍ଚା,

ପ୍ରଦାନି ଦର୍ଶନ, ରଖ ଏ ଦାସୀ ଜୀବନ

ବିନ୍ଦୁଏ ଜୀବନ ଦାନେ, ବୋଇବ ବା ତୁମ୍ଭେ-

‘‘ଦୁରସ୍ଥ ଜନର କାହିଁ ସାକ୍ଷାତ ସୁଲଭ ।’’

କିନ୍ତୁ ଭାବି ଦେଖ ନାଥ, ତୁମ୍ଭ ତହୁ ବଳି

ଦୂରବର୍ତ୍ତୀ ବିବାକର,- କମଳବାନ୍ଧବ,

ତଥାପି ସେ ନିତ୍ୟ ଆସି, ନ ଡ଼ରି କ୍ଳାନ୍ତିକି

ଆମ୍ବୋଜିନୀ-ବିମ୍ବାଧର ଚୁମ୍ବନ୍ତି ଆଦରେ ।

ତୁମ୍ଭଠାରୁ ବହୁ ଊର୍ଦ୍ଧେ ନିବସନ୍ତି ଶଶୀ,

ଶୋଭା-ଖଣି ଶ୍ରେଷ୍ଠମଣି ଚନ୍ଦ୍ରି କାବଲ୍ଲଭ,

ଶୁଣନ୍ତି ସେ କୁମୁଦିନୀ ନୀରବ ଆହ୍ୱାନ ।

ପ୍ରୀତିର ସରଣୀ, ନାଥ, ନୁହୁଇ ତ ଦୂର,

ଅଛି କି ହେ ଦୂର ଶବ୍ଦ ପ୍ରୀତି-ଅଭିଧାନେ ?

ଅଥବା ଘନେଶ, ତୁମ୍ଭେ ବୋଲିବ ଏମନ୍ତ,-

ଆଜ୍ଞାବହ ସେବକର କାହିଁ ସ୍ୱାଧୀନତା,

ଯନ୍ତ୍ରପିତୁଳୀ ସେ, ଚଳେ ଯନ୍ତ୍ରର ସଙ୍କେତେ ।

କିନ୍ତୁ ଦେବ, ପଚାରେଁ ମୁଁ କଥାଏ ତୁମ୍ଭଙ୍କୁ,

କାହାର ଅଧୀନ ତୁମ୍ଭେ, କିଏ ତବ ପ୍ରଭୁ,

ତମ୍ଭେ ହିଁ ତୁମ୍ଭର ପ୍ରଭୁ, ତୁମ୍ଭର ଅଧୀନ,

ଯଦି କହ ପ୍ରକୃତିର ଆଜ୍ଞାଧୀନ ତୁମ୍ଭେ,

ସେ ତ ତୁମ୍ଭ ମାତା, ଖେଳିବାକୁ ମାତା କୋଳେ

ଯାଚେ କି ସନ୍ତାନ କେବେ ଜନନୀ ଆଦେଶ ?

ଦିଅନ୍ତା ବିଧାତା ଯେବେ ନବଦୃଷ୍ଟି ମୋତେ,

ହୁଅନ୍ତି ତେବେ ମୁଁ ତୁଷ୍ଟ ତୁମ୍ଭଙ୍କୁ ନିରେଖି,

ନତୁ ଶକ୍ତି ଥିଲେ, ଯାନ୍ତି ଉଡ଼ି ତବ ପାଶେ,

ହେଉ ପଛେ ଯେତେ ଦୁର, ନ ଥିଲା ମୋ ଭୀତି,

ଶତଦଳ ତୋଳି ଯାଇ କେ ଡ଼ରେ କଣ୍ଟକେ,

କି କରିବି କ୍ଷୁଦ୍ରପ୍ରାଣେ ଦୁର୍ବଳ ମୋ ଡେଣା ।

କାହିଁ ସେହି ଯୋଗବିଦ୍ୟା, ଯେ ବିଦ୍ୟାପ୍ରଭାବେ

ଥିଲା ମୋ ଭାରତମାତା ଜୀବନ୍ତା ଜଗତେ,

ଯେ ବିଦ୍ୟା ପ୍ରଭାବେ ନମେ ସର୍ବ ଦେଶ, ଜାତି

କଳ୍ପତରୁ ଭାରତର ପୂଣ୍ୟ ପଦମୂଳେ,

ଯେ ବିଦ୍ୟା ପ୍ରସାଦେ ନର ହୁଏ କାମଗତି,

ସେ ବିଦ୍ୟା ଯଦ୍ୟପି କେହି ଦିଅନ୍ତା ଶିଖାଇ

ମୋତେ ଯାନ୍ତି ଏହି ଦଣ୍ତେ ଉଡ଼ି ତବ କତି ।

କଠିନ ହୃଦୟ ତବ, କିଂପା ବା ନ ହେବ,

କହେ ଯେ କଠୋର ବଜ୍ରେ, ସ୍ୱତଃ କଠୋର ସେ,

ମାତ୍ର ସେହି କଠୋରତା ମଧ୍ୟେ ଅବସ୍ଥିତ

ଅମୃତର ମଧୁଚିତ୍ର, ତାହା ଏକା ବନ୍ଧୁ,

ତବ ବିଶେଷତ୍ୱ, ମୋର ଗର୍ବର କାରଣ ।

ଡାକେଁ ମୁଁ ତୁମ୍ଭଙ୍କୁ ସଦା ଆତୁର କଣ୍ଠରେ,

ଶୁଣ ନାହିଁ ତୁମ୍ଭେ ତାହା, ଶୁଣେ ପ୍ରତିଧ୍ୱନି-

ଆାକାଶନନ୍ଦିନୀ, ଯାଏ ନିଦ୍ରା ଭାଙ୍ଗି ତାର

ମୋ କାତର କୋତାହୁଳେ, ଉଠି ବସେ ଖରେ ।

ବଡ଼ ହୁଟିଆଣି ଦୁଷ୍ଟା, ଲଗାଏ ସେ ହଟ,

‘‘ବନ ଦିଅ, ବନ ଦିଅ ’’ଶୁଣି ମୋ ତୁଣ୍ତରୁ,

ନିଷେଧେ ପାପିଷ୍ଠା କହି ‘‘ନ ଦିଅ, ନ ଦିଅ,’’

ଅମଙ୍ଗଳ-ଧୂମକେତୁ ମୋ ଭାଗ୍ୟ-ନଭେ ସେ ।

ଦେଖି ନଷ୍ଟା ପିଶାଚୀର ଏ ବ୍ୟର୍ଥ ବୈରତା

ଧିକ୍କାରେ ମୁଁ ଦୁରଦୃଷ୍ଟେ, ଦୁଃଖେ ତାପେ ଶୋକେ,

ହୋଇ ତହୁଁ ବିହ୍ୱଳିତ, କହେଁ ମୁଁ ଆକାଶେ

ବିନୟେ କାତରେ, ହାୟ, ପୃର୍ଣ୍ଣାଶ୍ରୁ ନୟନେ,-

ଶବ୍ଦବହୁ ! ତୁମ୍ଭ କୋଳେ ଶବ୍ଦର ଉତ୍ପତ୍ତି,

ସ୍ଥିତି, ଇୟ, ବହୁ ତୁମ୍ଭେ ଭକ୍ତର ପ୍ରାର୍ଥନା

ଭକ୍ତଭାବଗ୍ରାହୀ ପ୍ରଭୁ ଆତ୍ମାରାମ ପଦେ,

ବହିନିଅ ଅନମ୍ବର, ମୋ କ୍ରନ୍ଦନ ଧୁନି

ମୋ ପ୍ରାଣେଶ ପାଶେ, ଦୟା ବହି ଦୀନା ପ୍ରତି ।

କିନ୍ତୁ ବୃଥା ଏ ଯାଚଜ୍ଞା, ବିଫଳ ମିନତି,

ଚିର ମହାଶୂନ୍ୟାୟିତ ହୃଦୟ ଯାହାର,

ବାହୁଁ ବା ସେ ତରତିବ ଅବଳା ବିକାପେ ?

ତହୁଁ ଡାକି କଳ୍ପନାକୁ କହେ ହାତ ଧରି,-

ଶୂନ୍ୟସୂତେ ! ଅବାରିତ ଗତି ତୋର ଭବେ,

ନ ପଶେ ଅନିଳ ଯହି ନ ପଶେ ମୟୂର,

ଅବହେଳେ ତହିଁ ତୁହି ପଶି ପାରୁ ସହି,

କିସ ବା ଅସାଧ୍ୟ ତୋର, ସୃଜି ପାରୁ ତୁହି

ମୃହୁର୍ତ୍ତକେ କୋଟି ବିଶ୍ୱ, କୋଟି ରବି ଶଶୀ,

ନଭେ ସୃଜି ସ୍ୱର୍ଣ୍ଣ-ସର, ଫୁଟାଉ ତହିରେ

ସ୍ୱର୍ଣ୍ଣଶତଦଳ, ସ୍ୱର୍ଣ୍ଣ କୁମୁଦ, କହ୍ଳାର,

ଭୂତଳେ ଉଦୟ ତାରା ତୋହରି ପ୍ରସାଦେ ।

ନିମେଷେ ତୁ ଭ୍ରମପାରୁ ଅସଂଖ୍ୟ ବ୍ରହ୍ମାଣ୍ଡ,

ଯା ଲୋ ସଖି, ଦୃତୀରୂପେ ଜଳଧର ପାଶେ,

ନ ଗଣୁ ତୁ ଶ୍ରମ ଶ୍ରାନ୍ତି, କି ଦୁଃଖ ତୋହର,

ତଥାପି ଯଦ୍ୟାପି ହୁଏ ଭୁଞ୍ଜିବାକୁ ଦୁଃଖ,

ସହିବୁ ତୁ ତେବେ ତାହା ମୋ ଦୁଃଖ ସୁମରି,

ମହତ ଯେ, ପରଦୁଃଖ ଫେଡ଼ିବାକୁ ଯାଇ,

ନିଜେ ଦୁଃଖ ସହିବାକୁ ନୁହେଁ ସେ କାତର ।

ବିଶ୍ୱ-ଚକ୍ରବର୍ତୀଙ୍କର ଉଚ୍ଚକର୍ମଚାରୀ

କାନ୍ତ ମୋର, ନ ବସିବେ ନୀଚ ସ୍ଥାନେ କେବେ,

ବିଶେଷତଃ ଦେବତା ସେ, ନ ଛୁଅନ୍ତି ଧରା,

(ବାସନା-ବିଷୟ-ବିଷେ ବିଦିଗ୍‌ଧ ପାପାକ୍ତ)

ମାଟିର ଏ ଧରା ସିନା ମାଟିଦେହ ପାଇଁ ।

ଥିବେ ସେ ଦ୍ୱିତୀୟ ସ୍ୱର୍ଗ ହିମଦ୍ରି ଶିଖରେ,-

ଭାରତ-ମହିମା-ଶକ୍ତି ମହା ମାନଦଣ୍ତ,

ଯହିଁ ଯକ୍ଷାବାଳାକୁତ କ୍ରୀଡ଼ନ୍ତି ହରଷେ

କଷିତ-କାଞ୍ଚନ-କାନ୍ତ କାଞ୍ଚନ ଶୃଙ୍ଗରେ,

ଅର୍ଚ୍ଚନ୍ତି ଅମରୀବୃନ୍ଦ ଗଉରୀଶଙ୍କରେ-

ଗଉରୀଶଙ୍କର ବୃତେ, ଅର୍ପି ଗିରିଫୁଲ,

ରଜତତୁଷାରଚୁଡ଼ ଧବଳ ଶିଖରୁ

ଆସି ଗିରିରାଣୀ, ତାଙ୍କୁ କରନ୍ତି ସତ୍କାର,

ତହିଁଯାଇ ମୋ ସନ୍ଦେଶ ଅର୍ପିବୁ ଜୀବେଶେ ।

ଯା ଲୋ ଚାଲି, କେ ରୋଧିବ ଗତିପଥ ତୋର,

ମହାପ୍ରବଳା ତୁ ଦେବି ! ଜଗତେ ଅଜେୟା,

କାମଗତି, କାମଗତି ଯଥା ପ୍ରଭଞ୍ଜନ ।

ତଥାପି ରୋଧିବ ଯଦି ଗତି ଅରଣ୍ୟାନୀ

କଣ୍ଟକ ଆୟୁଧବତୀ, କହିବୁ ତାହାକୁ,-

ଘନରାଜମହିଷୀର ପ୍ରିୟ ଦୁତୀ ମୁହିଁ,

ଯେଉଁ ଘନ ତୋହର ଲୋ ଶ୍ରୀ-ସମ୍ପଦଦାତା,

ପ୍ରାଣଦାତା ପରିପୁଷ୍ଟା, ଯାହାର ପ୍ରସାଦେ

ଧରଣୀ-କୁନ୍ତଳମଣି କୁସୁମ ସୁନ୍ଦରୀ

ତୁସେ ତୋର କୋଳେ ବସି, ଯାହାର ପ୍ରସାଦେ

ଧନବତୀ-ପୁତ୍ରବତୀ, ଭାଗ୍ୟବତୀ ତୁହି,

ତାହା କାର୍ଯ୍ୟେ ବାଧାଦାନ ଉଚିତ ତୋର ?

ହେବୁ କି ତୁ ଅପରାଧୀ ଉପକାରୀ ପାଶେ,

ନୁହେଁ ତାହା ଧର୍ମ, କିପାଁ ଆଚରି ଅଧର୍ମ

ଛେଦିବୁ ଆପଣା ହାତେ ଆପଣାର ଗଳା,

କିପା ଏ କୁବୁଦ୍ଧି ତୋର, ପାଦପ-ପ୍ରସ୍ତୁତେ,

ଜଳର ବିରୋଧୀ ହେଲେ ବଞ୍ଚିବ କି ମୀନ,

କୃତଜ୍ଞତା ପ୍ରଦର୍ଶନ କୃତଜ୍ଞର ବିଧି ।

କହିଲେ ତୁ ଏହା, ନିଶ୍ଚେ ଛାଡ଼ିବ ସେ ପଥ ।

ରୋଧିଲେ ଶିଖରକୁଳ ଗତିପଥ ତୋର,

ପ୍ରକାଶିବୁ ପରାକ୍ରମ, କେ ପାରିବ ତିଷ୍ଠି

ବିଶ୍ୱ-ବିଜୟିନୀ ଶକ୍ତି ଆଗେ ତୋର, ଦେବି !

ଦହିବୁ ତା କଳେବର ସୃଜି ଦାବାନଜ,

ସୂଜି ବଜ୍ର ବିଚୁର୍ଣ୍ଣିବୁ ମସ୍ତକ ତାହାର,

ସୃଜିବୁ ଅନନ୍ତ ସେନା, ସୃଜିବୁ ଆୟୁଧ,

କରିବୁ ସମର, ସୁଜି ରୁଦ୍ର ପ୍ରଭଞ୍ଜନ,

ସମୂଳେ ଉପାଡ଼ି ତାକୁ ଫିଙ୍ଗିବୁ ସୂଦୁରେ ।

ମଣିବୁ ତୁ ଅନୁଚିତ ଯଦି ଶୁଭକାର୍ଯ୍ୟେ

ଅନର୍ଥ ଘଟଣା, ତେବେ ସାଧିବୁ କୌଶକେ

କର୍ମ, -ନ ଭାଙ୍ଗିବ ଯଷ୍ଟି, ନ ମରିବ ସର୍ପ ।

କହିବୁ ଦେଖାଇ ଭୟ, ଘନଦୁତୀ ମୁହିଁ

ଯେଉଁ ଘନ ସୂରେଶ୍ୱର ମଘବା ବାହନ,

କି ବର୍ଣ୍ଣିବି ଅଧିକ ମୁଁ ମହେନ୍ଦ୍ର ପ୍ରଭାବ,

ଭୁକ୍ତଭୋଗୀ ସ୍ୱୟଂ ତୁହି, ଭୁଲିଥାଉ ଯଦି,

ସ୍ମର ପକ୍ଷେଚ୍ଛେଦ ଦଶା, ଅବଧି ସେ କ୍ଷତ

ଅଶୂଷ୍କ ଶରୀରେ ତୋର, ଝରେ ତହୁ ସଦା

ଝରରୁପେ ଅସମ୍ଭାଳେ କୀଲାକ ପ୍ରବାହ ।

ଜାଣିଲେ ଶଚୀଶ ଏହା, କାହିଁ ଛି ନିସ୍ତାର,

ବଜ୍ରବାଣେ ଶିରଚ୍ୟୁତ ହେବ ତୋର ସ୍କନ୍ଧ ।

କେ ନ ଡ଼ରେ ଇନ୍ଦ୍ରେ, ପୁଣି କେନ ଡ଼ରେ ବଜ୍ରେ

କଳ୍ପନେ, ଶୁଣିଲେ ଦୁଷ୍ଟେ ଭର୍ତ୍ସନା ତୋହର

ଉପୁଜିବ କ୍ରାସ ଚିତ୍ତେ, ହେବ ସେ ଅନ୍ତର ।

ଚଳିଯିବୁ ତହୁଁ ଖରେ, ଦେଖିବୁ ଦୂରରୁ

ଯୋଗିବର ହିମାଳୟେ, ସାର୍ଥକିବୁ ନେତ୍ର,

ହସି ଉଠୁଥିବା ଦେହେ କୁସୁମର ହାସ,

ଶୋଭୁଥିବ ତାହା ଭକ୍ତ ବୈଷ୍ଣବ ଶରୀରେ

ତିଳକର ମୁଦ୍ରା ଯଥା, ହରିନାମାଙ୍କିତ ।

ଥିବେ ତା’ ଚୂଡ଼ାରେ ଘନ, ପ୍ରାଣଧନ ମୋର,

ଶୋଭୁଥିବେ ଶୈଳଶିରେ ଶୁକ୍ଳରୁପ ଧରି,

ଦିଶୁଥିବେ ଯଥା, ଆହା, ଧୂର୍ଜଟି ଜଟାରେ

ରହିଛି ବହଳେ ଲାଗି ସୁରଧୂନୀ ଫେନ ।

ନ ଦେଖିବୁ ଦୁର ଯେବେ ତହିଁ ଧୂମକାୟେ

ନ କରିବୁ ବ୍ୟର୍ଥ ଶ୍ରମ ଗିରି-ଆରୋହଣେ,

ଉଠିବୁ ଆକାଶେ ତହୁଁ, ନ ଛାଡ଼ିଲେ ପଥ

ବାୟୁ, ମହାବଳୀ ଶୁର, କହିବୁ ତାହାକୁ

ନୀରଦବାହୁନ ତୁହି, ମୁଁ ତା ପ୍ରିୟାଦୃତୀ

ବାତୁଳ କି ଅନିଳ ତୁ, ପ୍ରଭୁପତ୍ରି କାର୍ଯ୍ୟେ

ବାଧାଦେଇ ହେତୁ କିରେ ପ୍ରଭୁ ପଦେ ଦ୍ରୋହୀ

ଶୁଣିଲେ ଏ କଥା ବାୟୁ ହେଇଯିବ ଆଡ଼,

ଉଠିବୁ ତୁ ଊର୍ଦ୍ଧ୍ୱ ନଭେ, ତା ଊର୍ଦ୍ଧେ ତା ଊର୍ଦ୍ଧେ,

ଅନ୍ୱେଷିବୁ ଶୂନ୍ୟେ ଶୂନ୍ୟେ ମହାଶୂନ୍ୟେ ଉଡ଼ି ।

ଭେଟିଲେ ନୀରଦବରେ, କହିବୁ ବୁଝାଇ,-

ଚାଡ଼କୀ-ରଙ୍କୁଣୀ-ଧନ ହେ ସୁନ୍ଦର ଘନ,

ରଖିବାକୁ ବିରହିଣୀ ୟକ୍ଷିଣୀକୁ ଯାଇ

ନାଶିବ କି ପରିଚାରୀ ପକ୍ଷୀଣୀ ଜୀବନ,

କେଉଁ ଶାସ୍ତ୍ରନୀତି ଭଲା, ଆଶ୍ରିତେ ସଂହାରି

ପର ପ୍ରାଣରକ୍ଷା, କାହୁ ଶିଖିଲ ଏ ବିଦ୍ୟା,

ମରିବ ସେ ଯଦି ତେବେ କାହାକୁଟି ଲଜ୍ଜା,

ତୁମ୍ଭ ଅଭାବରେ ହାୟ ହୋଇଛି ତାହାର

ପରମ ସଙ୍ଖାଳୀ ତୁମ୍ଭ ସ୍ମୁତି ଅଶ୍ରୁ ବେନି,

ସ୍ମୁତି ଅଶ୍ରୁ ହୋଇଯାଇ ବହୁଛି ନୟନୁ

ତାର ଅବିରଳଧାରେ କି ଦିବା କି ଯାମୀ ।

ହରିଛି ନିୟୁତି ସବୁ ସୁଖ ତାର, ମାତ୍ର

ହରି ନାହିଁ ସ୍ମୁତି ଚିରସଙ୍ଗିନୀ ସେ ତାର,

ଛାଡ଼ିଯାନ୍ତି ମହୀରୁହେ ରକ୍ଷକ, କୁସୁମ

ଫଳ, କିନ୍ତୁ ଛାଡ଼େ ନାହିଁ ଛାୟା କେଉଁ କାଳେ,

ଛାଡ଼ିଗଲ ତୁମ୍ଭେ ଯଦି ଛାଡିଯାନ୍ତା ସ୍ମୃତି,

କେମନ୍ତେ ବଞ୍ଚନ୍ତା ତେବେ ଅସହା ଅବକା ।

ହେ ଜୀବନବହୁ, ତୁମ୍ଭେ ଜଗତ ଜୀବନେ

ଜୀଆଅ ଜୀବନ ଦାନେ, ମଲେ ତୁମ୍ଭ ଲାଗି

ତୁମ୍ଭ ପ୍ରିୟା, ଏ ସୁଖ୍ୟାତି ରହିବଟି ଭବେ ?

ତପ୍ତ ଅଶ୍ରୁ, ତପ୍ତ ଶ୍ୱାସ, ତପ୍ତ ହାହାକାର

ହେଇଛି ସମ୍ବଳ ତାର, କି କରିବ ହାୟ,

ଦୁଃଖ-ଦେବତାର କ୍ରୋଧଦତ୍ତ ଦାନ ତାହା,

ସହିଛି ନୀରବେ ସବୁ ଅଦୃଷ୍ଟେ ଆଦରି ।

ପଣ କରି ବିରହିଣୀ ବସିଥିଲା ଦିନେ,-

ଆଣିଦେଲେ ତୁମ୍ଭଙ୍କୁ କେ, ପୁରସ୍କରରୁପେ

ଅର୍ପିବ ଜୀବନ ତାକୁ, ଭାବିଲା ପଶ୍ଚାତେ

ତୁମ୍ଭେ ତ ଜୀବନ ତାର, ଦେବ କି ତୁମ୍ଭଙ୍କୁ,

ଭାଙ୍ଗିଲା ପ୍ରତିଜ୍ଞା ତହୁଁ, ବିଦଂଶି ରସନା ।

କି କହିବି ବାହୁଲ୍ୟେ ମୁ ମଘବାବାହୁନ,

ଦୈନନ୍ଦିନ ଜୀବନର ସବୁ ଚିନ୍ତା ତାର

ଅର୍ପିଛି ସେ ତୁମ୍ଭ ପଦେ, ତା’ ଚିନ୍ତା-ମୁକୁରେ

ତୁମ୍ଭ ପ୍ରତିବମ୍ବ ଭିନ୍ନ ପଡ଼େ ନାହିଁ କିଛି ।

ମନ-ମୂର୍ତ୍ତିଯନ୍ତ୍ରେ ୨ ସଦା ଉଠେ ତବ ମୂର୍ତ୍ତି ।

ଘନ, ତୁମ୍ଭ ପ୍ରଣୟିନୀ ବସି ଘନ ବନେ,

କେତେ ଯେ ବିକଳେ କାନ୍ଦେ, ଜାଣେ ତାହା ମୁହିଁ,

ଆବର ଜାଣନ୍ତି ଯେହୁ ବିଶ୍ୱ ଅନ୍ତର୍ଯ୍ୟାମୀ ।

ଶୁଣି ମତ୍ତ ମାତଙ୍ଗର ଗଭୀର ଗର୍ଜନ,

ଚମକି ଚୌଦିଗେ ଚାହେ, ତୁମ୍ଭ ଧ୍ୱନି ମଣି,

ଜନ୍ନାଏ ମୟୂରୁପୁଚ୍ଛ ଇନ୍ଦ୍ରଧନୁ ଭ୍ରାନ୍ତି,

ବାନ୍ଧି ପ୍ରାଣେ ପୃର୍ଣ୍ଣ ଆଶା, ଖୋଜିବୁଲେ ତହୁ

ଅନନ୍ତ ଅନନ୍ତ ଗର୍ଭେ, ଉଡ଼ି ଇତସ୍ତତଃ,

ଅବଶେଷେ କ୍ଳାନ୍ତିବଶେ ହୁଏ ସେ ମୂର୍ଚ୍ଛିତା,

ନ ପାରିବି କହି ଆଉ ଅଭାଗୀ ଦୁର୍ଦ୍ଦଶା,

ସରିଲେ ତା ହୁଏ ବକ୍ଷ ବିଦୀର୍ଣ୍ଣ ଶତଧା,

ତୁମ୍ଭ ରୁଦ୍ର ବଜ୍ରାଘାତେ ଗିରିଚୁଡ଼ା ଯଥା,

ଚାଲ ସେ ଦୁଗତି ତାର ଦେଖିବ ସ୍ୱନେତ୍ରେ ।

ଏସନ ତିଆରି, ନାଥ, ପେଷେ କଳ୍ପାନାକୁ,

କିନ୍ତୁ ହାୟ, କି କହିବି ସ୍ଫୁ ରୁ ନାହିଁ ଭାଷା,

ନ ପଇ ସେ ତୁମ୍ଭ ଭେଟ ଫେରି ଆସେ ଦୁଃଖେ ।

ଲାଗିରହିଅଛି ତବ ଶୋଭା ମୋ ନୟନେ,

ଲାଗିରହେ ଗନ୍ଧ ଯଥା ହସ୍ତେ, ହେଲେ ଫୁଲ

ହସ୍ତଚ୍ୟୁତ । ହସେ ଯେବେ ଚପଳା ସୁନ୍ଦରୀ

ତୁମ୍ଭ କୋଳେ, ତରୁକୋଳେ ଯଥା କୁସୁମିତା

ଲତା, ଲମ୍ବିଥାଏ ବକ୍ଷେ ବିପୁଳ ଗୌରବେ

ଇନ୍ଦ୍ରଧନୁ ବରମାଲ୍ୟ,-ଦିଗ୍‌ବଧୁପ୍ରଦତ୍ତ,

କି ସୁନ୍ଦର ସେ ଲାବଣ୍ୟ, ସେ ଦୁସ୍ତ ଗରିମା,

ବିରାଜିତ ପ୍ରାଣେ ମୋର ଅଦ୍ୟାପି ହେ ଦେବ,

ଅକ୍ଷୟ ମହିମା ଧରି, ଚାହେଁ ମୁଁ ତୁମ୍ଭଙ୍କୁ

ଅତୁପ୍ତ ଦିଦୁକ୍ଷାତୁର ନିର୍ନିମେଷ ନେହେ

ଆକୁଳ ଆଗ୍ରହେ, ସେହି ଶୋଭାସ୍ମୃତି ହେତୁ

ଏତେ ଦୁଃଖ, ତେବେ ସୁଦ୍ଧା ମୂଗ୍‌ଧ ଏ ଜୀବନ ।

ଆଷାଢ଼ମାସରେ ଲାଗେ ମହାପୂଜା ତବ,

ପ୍ରାବୁଟ-ପୁଜାରୀ, କରେ ବିଦ୍ୟୁତେ ଅତିକି,

ବଜାଏ ମୃଦଙ୍ଗ ବଜ୍ର, ଦେଖେ ମୁଁ କୌତୁକେ,

ଦେଖେ ଯଥା କମଳିନୀ ମୁଗ୍‌ଧ ନେତ୍ରେ ସୁର୍ଯ୍ୟେ,

ଅଥବା ଶାରଦଲକ୍ଷ୍ମୀ ଉଜୂତ ଅଗସ୍ତ୍ୟେ ।

ଚପଳା ସପତ୍ନୀଦ୍ୱେଷ ବହି ମୋ ଉପରେ

ଢ଼ାଲୁଥାଏ କଟାକ୍ଷର ଅନଳପ୍ରବାହ,

କିନ୍ତୁ ମୁଁ ନ ଗଣେ ତାହା, ନ ଡରେଂ କୁଳିଶେ,

କରକାପାତକୁ ମଣି ପୁଷ୍‌ପବୃଷ୍ଟି ପ୍ରାୟ,

ତୁଚ୍ଛ ମଣି କୋଟି କଷ୍ଟେ, କୋଟି ମୃତ୍ୟୁଭୟେ

ବୁଲୁଥାଏଁ ଉଡ଼ି ତବ ଛାୟା ତଳେ ତଳେ

ଟୋପାଏ ସଲିକି ଆଶେ, ଦିଅ ତୁମ୍ଭେ ତାହା

ଅଯାତିତେ, ପ୍ରିୟବର, ମଣେ ମୁଁ ତାହାକୁ

ବିଧାତାର କୃପାମୃତ ମହାଦାନ ପ୍ରାୟ ।

ସେହି ମହୋତ୍ସବ ସ୍ମୁତି ଦହୁଛି ଅନ୍ତର

ଏବେ, ତ୍ରୋଟରାଗ୍ନି ତରୁବରେ ଯଥା, ତହୁଁ

ଆତ୍ମାର ଗୋପନ ବ୍ୟଥା ନ ପାରି ସମ୍ଭାଳି,

ଲେଖିଲି ଏ ଲେଖ ଅଶ୍ରୁଜଳେ ଲୁପ୍ତାକ୍ଷରେ

ଚନ୍ଦନ ପଲ୍ଲବେ, ହୁଏ ନାହିଁ ପଢ଼ି ଏହା

ନେତ୍ରେ, ପଢ଼ି ହୁଏ ମାତ୍ର ହୃଦୟ-ନେତ୍ରରେ

ହୃଦୟବାନଙ୍କ ମଧ୍ୟେ ଶ୍ରେଷ୍ଠ ତୁମ୍ଭେ ଯେଶୁ,

ତେଣୁ ମୋ ଭରସା- ପତ୍ର ପଢ଼ିବ ନିଶ୍ଚୟ ।

Image

 

Unknown

ଚତୁର୍ଥ ସର୍ଗ

(ନିଶାନାଥ ପ୍ରତି ନିଶୀଥିନୀ)

 

ପଡ଼େ କି ଏ ଦାସୀ ମନେ, ହେ କୁମୁଦକାନ୍ତ,

ମହାକାଳ ଦେବକନ୍ୟା ଦୀନା ନିଶୀଥିନୀ,

ଭୁଲିଥାଅ ଯଦି, ଘେନ ପ୍ରଣୟଚିଟାଉ,

ତବ ପ୍ରିୟ ପ୍ରଣୟିନୀ କୁମୁଦିନୀ ଦେହୁ

ଘେନି ପାଖୁଡ଼ାଏ, ତହିଁ ଲେଖିଲି ପତ୍ରିକା

ଚନ୍ଦନ ଆସବେ, ତବ ପୂରଣ ନିମନ୍ତେ ।

ଗୁଡ଼ାଇଛି ସେ ପତ୍ରରେ ସପ୍ତଫେରା କରି

ପ୍ରଣୟ-କୁସୁମହାର, ଗୁନ୍ଥା ପ୍ରୀତି-ସୂତ୍ରେ ।

ଫୁଟିଥିଲା ସେ କୁସୁମ ପ୍ରଣୟ-କାନନେ,

ଅର୍ପିଲି ତା ପ୍ରଣୟର ଉପହାରରୂପେ ।

ପିତା ମୋର କାଳରାଜ, ସ୍ୱଭାବେ ଅସୀମ,

ଅମର,ଅମର ଯଥା ଅନନ୍ତ ଅମ୍ୱର,

ଆବର ଅଜୟ, ଯଥା ମହାବୀର ସତ୍ୟ,

ଅତୁଳ ପ୍ରତାପୀ, ତାର ଅଙ୍ଗୁଳି ସଙ୍କେତେ

ତଳେ ବିଶ୍ୱ, ସର୍ବେ ବିକା ତାହା ପଦେ ସଦା,

ମାତ୍ର ମୁଁ ତା କନ୍ୟା, ପିତୃ ଗୌରବ-ଗର୍ବିତା,

ବିକା ତବ କାନ୍ତପଦେ । କାନ୍ତିକାନ୍ତ, ଘେନି

ସଦୟେ ମିନତି ମୋର, ବିଜେ ହୁଅ ଖରେ,

ରଖିଛି ମୁଁ,-ତବପ୍ରାଣା ତବ ପ୍ରେମାଧୀନା,

ସଜାଡ଼ି ଯତନେ ବହୁ ପୃଷ୍ପ, ତାରା-ଦୀପ,

ଧୁପରୂପେ ପୁଷ୍ପଗନ୍ଧ, ପୂଜିବି ପୟର,

ହୃଦୟର ପ୍ରେମସୁଧା ଅର୍ପିବି ନୈବେଦ୍ୟ,

ହୋଇଛି ଦେବତାଶୁନ୍ୟ ହୃଦ-ସିଂହାସନ,

ହେ ଦେବତା, ଖରେ ତହିଁ କର ଅଧିଷ୍ଠାନ ।

ସଜାଇବି ମନୋମତ କୁସୁମଭୂଷଣେ

ଶ୍ରୀଅଙ୍ଗ ତୁମ୍ଭର, ଦେବ, ପିନ୍ଧାଇବି ଶିରେ

କୁସୁମ କିରୀଟ,କରେ କୁସୁମ ବଳୟ,

କୁସୁମ ଅଙ୍ଗଦ, ବର୍ଣ୍ଣେ କୁସୁମ କୁଣ୍ତଳ,

ଲମ୍ୱାଇବି ବକ୍ଷେ କୋଟି କୁସୁମର ହାର

କୁସୁମକେଶରେ ଗୁନ୍ଥା, ଲମ୍ୱାଅ ଯେସନ

ଚନ୍ଦ୍ରିକା ହୀରକହାର ତୁମ୍ଭେ ମୋ ଭରସେ,

ଆବର ମୁଁ ନିଜେ ହୋଇ କୁସୁମ ନୂପର

ଖଟିବି ପୟରେ, ମୋର ଚିରସାଧ ଏହା ।

ତୁମ୍ଭ ସେବାଦାସୀ ମୁହିଁ, ଭାଗ୍ୟଦୋଷେ ଏବେ

ହୋଇଛି ମନର ଦାସୀ, ପାଳେ ତାର ଆଜ୍ଞା ।

ଭାଗ୍ୟ ଯଦି ହୋଇଥାନ୍ତା ପଦାର୍ଥବିଶେଷ,

ତେବେ ତାକୁ ଦଗ୍‌ଧ କରି ଶ୍ମଶାନ ଅନକେ,

ନିକ୍ଷେପନ୍ତି ଭସ୍ମ ତାର ଚଣ୍ତାଇ ଆଳୟେ ।

କିପାଇଁ ପ୍ରଭାତ ଆସେ, ଅର୍ପିବାକୁ ପରା

ଦୁଃଖ ଏ ଦୁଃଖିନୀ ପ୍ରାଣେ, କିର୍ପା ହୁଏ, ହାୟ,

ମିଳନ ସ୍ୱଳ୍ସାୟୁ, ଯଥା ଅଭିଶପ୍ତ ଜନ,

ବିଧିର ବିଚିତ୍ର ବିଧି, କେ ବୁଝିବ ତାହା,

କଲା ଯେ କାନନ- ଲକ୍ଷ୍ମୀ କୁସୁମେ କ୍ଷୀଣାୟୁ,

ସୁଜିଲା ଆାବର ବଜ୍ରବଧୁ ବିଜୁଳିକି

(କାନ୍ତିକୁଳଠାକୁରାଣୀ) କ୍ଷଣପ୍ରଭା କରି,

ସବୁ ସୁସମ୍ଭବ ସେହି ବିଧି ବିଧାନର,

ସୁଷମା ସ୍ୱଳ୍ସାୟୁଷ୍ମତୀ ସୃଷ୍ଟିରେ ତାହାର ।

ଆଣିଦିଏ ଉଷା ନିତ୍ୟ ସମସ୍ତଙ୍କ ଭାଗ୍ୟେ

ନବ ଆୟୁ, ନବ ମୃତ୍ୟୁ ଦଗ୍‌ଧ ଭାଗ୍ୟେ ମୋର,

ହରି ସେ ମୋ ହର୍ଷ, ଯାଏ ହାହାକାର ଦେଇ ।

ନବ ପ୍ରଭାତର ନବ ମଙ୍ଗଳ ମୟୂଖେ

ଭଜ୍ମଳ ସକଳ ମୁଖ, ମଳିନ କେବଳ

ମୁଁ, ମୋ ପ୍ରାଣସଖୀ-ଦୀପଶିଖା, କୁମୁଦିନୀ,

ମଳିନ ଯେସନ ତୁମ୍ଭେ ରାହୁଗ୍ରାସ କାଳେ ।

ହେଲେ ସୁଦ୍ଧା କୁମୁଦିନୀ ସପତ୍ନୀ ମୋହର,

ସେବେ ମୋତେ ଭକ୍ତିଭରେ ଅଗ୍ରଜାସଙ୍କାଶ,

କେମନ୍ତେ ଶୁଝିବି ରୁଣ ତାର, ଗୁଣବତୀ

ଚିର ହିତୈଷିଣୀ ମୋର, ମୋର ଦୁଃଖେ ଦୁଃଖିନୀ,

ମିଶାଏ ମୋ ତପ୍ତାଶ୍ରୁରେ ତପ୍ତ ଅଶ୍ରୁଧାରା,

ଦୀର୍ଘଶ୍ୱାସେ ଦୀର୍ଘଶ୍ୱାସ, ସମ ଦୁଃଖିନୀ ସେ

ମୋର, ମାତ୍ର ଭୁଲି ନିଜ ଦୁଃଖ-ଦୁର୍ବିଷହ

ନିଏ ମୋର ଦୁଃଖ ନିଜ ଶରୀର ମଧ୍ୟକୁ,

ନେଲା ଯଥା ନିଜ ଦେହେ ପିତୃଜରା ପୁରୁ,

ସୁଖବେଳେ ମୋ ହାସରେ ମିଶାଏ ସେ ହାସ ।

ଏକେ ମୁଁ କୁରୁପା ଦୁଯେ ସଉତୁଣୀ ତାର,

ତଥାପି ସେ ବହେ ନାହିଁ ଇର୍ଷା କିମ୍ୱା ଘୃଣା,

ପ୍ରଣୟ ନ ଖୋଜେ ରୂପ, ଖୋଜେ ସେ ହୃଦୟ,

ଯେ ପ୍ରଣୟ ରୁପନ,ସେ ସାରଶୂନ୍ୟ, ମୋହ,

କୁତ୍ସିତ ସେ, ଗ୍ରାମ୍ୟପ୍ରୀତି ନାମାନ୍ତର ତାର,

ନାହିଁ ଯହିଁ ଆତ୍ମଦାନ ନୁହେଁ ସେ ପ୍ରଣୟ ।

ଆସ ବନ୍ଧୁ, ତୁମ୍ଭ ବିନା ଏ ଦଗ୍‌ଧ ହୃଦୟ

ଅନ୍ଧକାର ମୋର, ଦୁଷ୍ଟ ଅନ୍ଧକାର ଲୁଚେ

ତୁମ୍ଭ ଡ଼ରେ ଗିରିଖୋଲେ ଅଜ୍ଞାନ ଅନ୍ତରେ

ଅନୁପସ୍ଥିତିରେ ତବ ଗ୍ରାସେ ଆସି ମୋତେ ।

ଉଦ୍ଧାର ତା ଗ୍ରାସୂ ମୋତେ, ଉଦ୍ଧାରିଲେ ଯଥା

ଅନ୍ତର୍ଯ୍ୟାମୀ ନାରାୟଣ ଗ୍ରାହଗ୍ରାସୁଁ ରାଜେ ।

ଦେଖି ମୋ ଦୁର୍ଗତି ତମଃକୃତ, କାନ୍ଦେ ବାୟୁ

ହାୟ ହାୟ ରବେ,କାନ୍ଦେ ଶିବା-ମୋ ପ୍ରହରୀ

ଛାଡ଼ି ଉଚ୍ଚେ ଭୋ ଭୋ ରଡ଼ି, କାନ୍ଦେ ବନସ୍ପତି

ତୁଷାର କଣିକା ବ୍ୟାଜେ, ବର୍ଜି ପତ୍ର-ନେତୃ

ସମବେଦନାର ଅଶ୍ରୁ, ମହାମୂଲ୍ୟବାନ,

ଅମରମବାଞ୍ଚିତ ତାହା ତୀର୍ଥ ଜଳୁଁ ପୂତ ।

କେତେ ନତି କେତେ ସ୍ତୁତି କରେ ମୁଁ ଅନ୍ଧାରେ,

ଜନ୍ମେ ନାହିଁ ଦୟା ତେବେ ମତ୍ସରୀ ହୃଦୟେ,

ଲେପିଲେ ଛୁଚୁନ୍ଦ୍ରା ତେହେଁ କର୍ପୂର ଚନ୍ଦନ,

ହୁଏ ସିନା ପ୍ରକାଶିତ ଆତ୍ମନିର୍ବୋଧତା ,

ପ୍ରତିଲୋମକୂପ ଯାର ପୂର୍ଣ୍ଣ ପୂତିଗନ୍ଧେ,

କିରୂପେ ବା ପ୍ରବେଶିବ ସୁବାସ ତହିଁରେ ?

ଆସ ପ୍ରଭୁ, ଅର୍ପ ଭଣ୍ଡେ ସମୁଚିତ ଦଣ୍ଡ,

କୋଟିମୁନା ମୟୁ ଖାସ୍ତ୍ରେ ବିଦାର ତା ପିଣ୍ତ,

ଢାଳିଦିଅ ସବୁ ହିମ, ଯା ଅଛି ଭଣ୍ତାରେ

ସେ ପାଷଣ୍ତ ମୁଣ୍ତେ, ମରୁ ଦୁର୍ବୁତ୍ତ ପିଶାଚ ।

ରଣଜୟୀ ବୀର ପ୍ରାୟ ଆସ ନାଥ ଖରେ,

ଲମ୍ୱାଇ ବିଜୟମାଲ୍ୟ- ତାରବଳୀ ଛଳେ

ବିଜୟଗୌରବ-ସ୍ଫୀତ ବକ୍ଷୋଦେଶେ ତବ,

ବନ୍ଦାଇବି ତୁମ୍ଭଙ୍କୁ ମୁଁ ଖଦ୍ୟୋତ-ପ୍ରଦୀପେ,

ଜଳ କରି ରଖିଅଛି ପ୍ରାଣେ ତରଳାଇ,

ଧୋଇଦେବି ତହୁଁ ତବ ଦେହୁଁ ଅସ୍ତ୍ରକ୍ଷତ,

ଅଙ୍ଗଲିପ୍ତ ଶୁଷ୍କରକ୍ତ-ପାଣ୍ତୁର କୃଷ୍ଣାଭ,

ଆଭାସେ ଯା ଅଙ୍କେ ତବ କଳଙ୍କସଙ୍କାଶ,

ବାସୀର ଶୀତଳ କର ପରଶେ ପ୍ରାଣେଶ,

ଦୂର ହେବ ରଣପ୍ରାପ୍ତ ଶ୍ରୀଅଙ୍ଗ ଆୟୁସ ।

ଚାହିଁ ଚାହିଁ ଗତିପଥ ଆମବାସ୍ୟା ଦିନ

ହୁଏ ଚକ୍ଷୁତାରା ମ୍ଳାନ, ଶୁଖେ ନେତ୍ରୁ ନୀର,

କେତେ ଯେ ଆଶଙ୍କା ଗଣେ, କି କହିବି ତାହା,

ହାୟୁ, ପୋଡ଼ା ମନେ ଆଗେ ଆସେ ପାପଚିନ୍ତା,

ଭାବେ ଅବା ଆକ୍ରମଣ କଲା ଦୁଷ୍ଟ ରାହୁ,

ପ୍ରେମର ସ୍ୱଭାବ, ତାହା ଯେତେ ହୁଏ ଗାଢ଼,

ତେତେ ସେ ଆଶଙ୍କା ଆଣେ ଅନପସ୍ଥିତିରେ

ପ୍ରେମିକ ପ୍ରେମିକା ମନେ, କେ ନ ଜାଣେ ଏହା ?

ଊଦ୍ଧ୍ୱେ ଚାହିଁ ବ୍ୟୋମପଟେ ଦେଖେଁ ତବ ଲିପି,

ଲଭେଁ ତହୁଁ ସ୍ୱତଃ ହୃଦେ କ୍ଷଣିକ ଆଶ୍ୱାସ,

କି ସୁନ୍ଦର ଆହା ତବ ତାରା-ହୈମଲିପି,

ଢଳ ଢଳ ତାହା ପ୍ରେମେ, ଭାବ ଗୌରବରେ,

ଉଠି ଆସେ ଭାଷା ତହୁଁ ରୁପ ପ୍ରାଣ ଧରି,

କିନ୍ତୁ ନାଥ ଯେତେ ହେଲେ ଲିପିମାତ୍ର ତାହା,

ଲିପିରେ କି ଦ୍ରବେ ଆତ୍ମା ଦର୍ଶନ ବ୍ୟତୀତ ।

ଶେଷ ପ୍ରାଚୀ ପ୍ରତୀଚୀକି କହେ ମୁଁ ସମ୍ବୋଧି-

‘‘ଫେଡ଼ ଫେଡ଼ ହୈମହାର ଲୋ ଦିଗସୁନ୍ଦରି,

ଦେଖିବି ମୁଁ ପ୍ରାଣନାଥେ, କଲେ ତୁମ୍ଭେ ଦୟା ।’’

ଏହିରୂପେ ଧାଇଁ ଧାଇଁ ଦୁରାଶା ପଶ୍ଚାତେ,

ଛାୟା ପଛେ ଶିଶୁ ପ୍ରାୟ, ହୁଏ ଅବସନ୍ନ,

କିନ୍ତୁ ହାୟ, କି କହିବି, ଯାଏ ବକ୍ଷ ଫାଟି,

ଆଶା ହୁଏ ଆଶୀବକ୍ଷ ଭାଗ୍ୟଦୋଷେ ମୋର,

ଯେଉଁ ଆଶା ଆାଣିଦିଏ ସଙ୍କଳ୍ପ ଅମୃତ,

ସେହି ଶେଷେ ଢ଼ାଳିଦିଏ ପ୍ରାଣେ ତୀବ୍ର ବିଷ,

ଅନନ୍ତର ଆସେ ଉଷା, ବିଶ୍ୱବିନୋଦିନୀ,

ଭାଙ୍ଗିଯାଏ ଖରେ ମୋର ଜାଗ୍ରତ ସ୍ୱପନ,

ଗମେ ନିଜ ସ୍ଥାନେ ତହୁଁ ତେଜି ଦୀର୍ଘଶ୍ୱାସ ।

କେମନ୍ତେ ପାସୋରି ଭଲା ରହ ଶଶଧ୍ୱଜ,

ପ୍ରେମିକ ପ୍ରେମିକା ପାଶ୍ଚ ନିବସେ କି ଦୂରେ,

ହୁଏ ନାହିଁ କ୍ଷଣେ ମାତ୍ର ଅନ୍ତର ଗଗନ

ଧରଣୀ ସକାଶୁ, ବରଂ ଧରି ସଦା କୋଳେ,

ଟାଙ୍ଗିଥାଏ ଶିରେ ତାର ନୀଳ ଚନ୍ଦ୍ରାତପ,

ନୀରନ୍ଧ୍ର ତାଙ୍କର ପ୍ରେମ ନିରନ୍ଧ୍ର ମିଳନ ।

କେଉଁ ମହାବିଦ୍ୟାବଳେ ଚନ୍ଦ୍ରି କାରୁପସୀ

ନେଲା ଭାବ ମନ ଧରି, ଦିଅନ୍ତା ଶିଖାଇ

ଯଦି କେହି ମୋତେ ଥରେ ସେ ମଙ୍ଗଳବିଦ୍ୟା,

ତେବେ ମୁଁ ଆତ୍ମାରେ ଆତ୍ମା ମିଶାଇ ଅଭେଦେ,

ନିଅନ୍ତି ତୁମ୍ଭଙ୍କୁ କରି ଚିର-ଆପଣାର ।

ରହି ସୁଦ୍ଧା ତୁମ୍ଭେ ବିଧୁ, ଆର୍ଦଶ ପ୍ରେମିକ

ଶିବଶିରେ, ନ ଶିଖିଲ ପ୍ରେମର ମାହାତ୍ମ୍ୟ,

ହରଗୌରୀଙ୍କର ପ୍ରେମ, ଆଦର୍ଶ ପାବନ,

ଅବିଛେଦ ତାହା ନାହିଁ ତହିଁ ତିଳେ ଫାଙ୍କ,

ବିଚ୍ଛେଦର ସୂକ୍ଷ୍ମସୂତ୍ର ନ ପ୍ରବେଶେ ତହିଁ,

ଅର୍ଦ୍ଧହରା, ଅର୍ଦ୍ଧଗୌରୀ, ବେନି ଏକ ମୂର୍ତ୍ତି ।

ଗ୍ରାସିଲେ ଦୁରନ୍ତ ରାହୁ, ବେ ବିଶ୍ୱସୁନ୍ଦର,

ତୁମ୍ଭର ସୁନ୍ଦର ତନୁ, ବାନ୍ଦେ ମୁ ନୀରବେ,

ମାତ୍ର ଆଚ୍ଛ ଦିଲେ ଘନ, ଆସେ ନାହିଁ ଅଶ୍ରୁ

ଦେବାକୁ ପ୍ରବୋଧ ମୋତେ, ଝରି ଦଗ୍‌ଧ ନେତ୍ରୁ

ଶୋଷିନିଏ ତାହା ଘନ ଶୋଷଣ-ନିପୁଣ,

ଶୋଷି ପାରେ ଯେ ବିରାଟ ସୀମାଶୂନ୍ୟ ସିନ୍ଧୁ,

ମୋର ଅଶ୍ରୁ ବିନ୍ଦୁ ଛାର କେତେ ମାତ୍ର ତାକୁ ।

ଶିଶିର ସମ୍ପଦ ମୋର, ସେହି ମୋର ଅଶ୍ରୁ

ନ ଥାଏ ସେ ନେତ୍ରେ ମୋର ମେଘାଚ୍ଛନ୍ନ ରାତ୍ରେ ।

ସେଦିନ ମୁଁ ପିନ୍ଧେ ନାହିଁ ତାରା-ଅଳଙ୍କାର,

କି ଲୋଡ଼ା ବା ଅଳଙ୍କାରେ, କି ଲୋଡ଼ା ସୁବେଶେ,

ତୁମ୍ଭେ ଏକା ଜୀବନର ସ୍ପର୍ଶମଣି ମୋର,

ତବ ସ୍ପର୍ଶେ ହୋଇଛି ମୁଁ ବାରବାନୀ ସୁନା,

ପତ କି ମହାର୍ହ ରତ୍ନ ମୁଣ୍ମୟ ବିଶ୍ୱରେ

ତାଣେ ତାହା ଏକା ସିନା ସତୀ-ପତିପ୍ରାଣା,

ପତି ଯାର ଦେବଦତ୍ତ ଗୌରବଭୂଷଣ

ଧାତବ ଭୂଷଣ ସିନା ଭାର ତାହା ପକ୍ଷେ ।

ଘନ, ପୁଣି ଘନରାଣୀ ଅନଳରୁପିଣୀ,

ବିଜୁଳି ଉଭୟେ ମୋତେ କରନ୍ତି ଭୀଷଣ,

ପ୍ରାଣସଖୀ କୁମୁଦିନୀ ହେରି ମୋ ଦୁର୍ଗତି,

ମହାଭୟେ ମହାଦୁଃଖେ ନିମୀଳେ ନୟନ ।

କିପାଁ ନାଥ, ନିରୁଦ୍ୟମ ତୁମ୍ଭେ ହେ ସେକାଳେ,

ଭୀରୁ କ୍ଳୀବ ସୁଖୀ ପ୍ରାୟ, କିପାଁ ବା ନୀରବେ

ଜୀର୍ଣ୍ଣ କର ଦରାତ୍ମାର ଦୁଃସହ ଦୌରାସ୍ୟ,

କିପାଁ କର କ୍ଷମା ତାକୁ, ଶାସ୍ତିଭାଜନ ସେ,

କ୍ଷମା ମହାଜାନ ଧର୍ମ, ସତ୍ୟ ଏ ବଚନ,

ମାତ୍ର ଅପାତ୍ରରେ କ୍ଷମା ଭାବୀ ଦୁଃଖ ହେତ୍ତୁ ।

ଲଲି ତୁମ୍ଭ ଦୟା ବଢ଼େ ଦୁରାକାଙ୍ସା ତାର,

ତହୁ ବର୍ଷା ଚାରି ମାସ ଆକ୍ରମେ ତୁମ୍ଭଙ୍କୁ,

ଭାସିବୁଲେ ତବ ସ୍ମୁତି ଆକାଶରେ ନାଥ,

କେବେ ଅବା ମୂର୍ତ୍ତି ଧରି କହେ ମୌନେ କଥା,

ବିକଡିତ ସେ କଥାରେ କେତେ ସୁଖଦୁଃଖ,

କେତେ ହସ କାନ୍ଦ, କେତେ ଅତୀତ ମଧୁର-

ବ୍ୟଥା, କେତେ ଆଶା, କେତେ ଦୁରାଶା ନିରାଶା,

ସେହି କଥା ସେ ପ୍ରାଣର କଥା ପ୍ରାଣଧନ,

ଘେନିଯାଏ ବର୍ତ୍ତମାନୁ ଅତୀତକୁ ମୋତେ ,

ହେଉଛି ମୁଁ ନିତ୍ୟ ଦହି ସେ ସ୍ମୁତି-ଅନଳେ

ସେ ଦହନ ସୁଖ ମୋର, ସେହି ମୋ ଭରସା,

ନ ହେଲେ ବିଦହି ଆତ୍ମା ତୀବ୍ର ଦୁଃଖାନଳେ,

ନ ହୁଏ ବିଶୁଦ୍ଧ କେବେ ଅଗ୍ନି ପରୀକ୍ଷାରେ

ଭତ୍ତୀର୍ଣ୍ଣ ସୁବର୍ଣ୍ଣ ସିନା ନିର୍ମଳ ଉଜ୍ମୁଳ ।

ଖେଳ ଯେବେ ଲୁଚକାଳି ଘନକୋଳେ ଶଶି,

ତବ ଏ ପ୍ରେୟସା ସହ, ଖେଳନ୍ତି ଯେସନ

ବନମାଳୀ ରସରାଜ ରସିକଶେଖର

ରାଧା ସାଙ୍ଗେ-ମଞ୍ଜୁ କାନ୍ତି କୁଞ୍ଜବିଳାସିନୀ,

ବୃନ୍ଦାବନକୁଞ୍ଜେ କିମ୍ବା କୁଞ୍ଜର ଯେସନ

ଖେଳେ ବନେ କୁତୁହଳେ କୁଞ୍ଚରିଣୀ ସହ,

ସେ କାଳର ଭାଗ୍ୟଗର୍ବ କେ ବର୍ଣ୍ଣିବ ମୋର ?

ନ ଥାଏଁ ସେକାଳେ କେବେ ମୁହିଁ ମୋ ଦେହରେ ।

ମଣେ ଯେହ୍ନେ କେଉଁ ନବ ସ୍ୱପ୍ନ-ସ୍ପର୍ଣ୍ଣସ୍ୱର୍ଗେ

ଦେଖୁଛି ଅଦୁଷ୍ଟପୁର୍ବ ସୁଷମା ନର୍ତ୍ତନ-

ମହୋତ୍ସବମୟ ଛାଡ଼ି ମର୍ତ୍ତ୍ୟରେ ଶରୀର ।

ସ୍ମରି ତାହା ଏବେ ବସି କାନ୍ଦୁଛି ସତତ,

କ୍ରନ୍ଦନରେ ସୁଖ ଲଭେ ବିଦରାଧ ହୃଦୟ ।

ଝୁରୁଛି ମୁଁ ଏବେ,ଭାଗ୍ୟେ କେବେ ବା ଆସିବ

ଫେରି ସେ ଅତୃପ୍ତ ସୁଖ, ସେ ମଙ୍ଗଳ ଦିନ,

ହାୟ, ସୁଖ ଯେଦେ ଭବେ ଏଭଳି ଚଞ୍ଚଳ,

ବସନ୍ତମାଧୁରୀ କିମ୍ବା ଇନ୍ଦ୍ରଧନୁ ପ୍ରାୟ,

ଏଡ଼େ ଦୁଃଖାବହୁ ଯେବେ ପରିଣାମ ତାର,

କିପାଇଁ ଲୋଡ଼ନ୍ତି ତେବେ ଭ୍ରାନ୍ତ କେବେ ତାହା,

କାଳବ୍ୟାଳେ ପୁଷ୍ପମାଳ ମଣନ୍ତି କିପାଇ ।

ମାସକେ ବାହୁଡ଼ି ଆସେ ପୂର୍ଣ୍ଣିମା ସୁନ୍ଦରୀ

ଅନନ୍ତ ଆନନ୍ଦେ ଧରି ତୁମ୍ଭଙ୍କୁ ଶଶାଙ୍କ,

ପ୍ରଦାନେ ଜଗତଜନେ ନବୀନ ଆନନ୍ଦ,

ଫେରି ଆସେ ଯଥା ତୀର୍ଥଯାତ୍ରୀ ତୀଥୁ,ଧରି

ଦେବତା ନିର୍ମାଲ୍ୟ ଫୁଲ ଚନ୍ଦନ ତୁଳସୀ,

ପୁଣ୍ୟ ଗୌରବରେ ହୋଇ ସ୍ଫୀତ, ଗ୍ରାମଜନେ

ବିତରି ପ୍ରସାଦ, ମଣେ ଆସପ୍ରସାଦ ସେ ।

ପାଇ ତବ ପୂର୍ଣ୍ଣିବତା, ହସେ ଅସମ୍ଭାଳେ

ଦ୍ୟୁଲୋକ, ଭୁଲୋକ,ହସେ ଲତାକୋଳେ ଫୁଲ,

ମିଶି ତହିଁ ତବ ହାସ ଉଦାର, ପ୍ରସନ୍ନ,

ଲାଗେ ହାସ୍ୟ-ମହୋତ୍ସବ, ବହିଯାଏ ଭବେ

ହସ୍ୟରାଶି ପରେ ହାସ୍ୟ-ପୀୟୁଷ-ପ୍ରବାହ ।

ପ୍ରଥମେ ତୁମ୍ଭଙ୍କୁ ହେରି ଚିତ୍ରବାଳ ମୂଳେ

ବାରୀନ୍ଦ୍ର, ଆନନ୍ଦେ ଉଠେ ଉତ୍କୁଳେ ଉତ୍‌ଫୁଲ୍ଲି,

ତହିଁ ସଙ୍ଗେ ଫୁଲି ଉଠେ ମୋ ହୃଦୟ-ସିନ୍ଧୁ,

ଲମ୍ବାଅ ଆଦରେ ତୁମ୍ଭେ ପାରାବାର ବକ୍ଷେ,

ଲହରୀ-ହୀରକ ହାର, କୋଟିଶତକେରୀ ।

ହେ ଦେବ, ତୁମ୍ଭର ପୁଣ୍ୟ ମଙ୍ଗଳ ମୟୁଖ

ଚୁମ୍ଭେ ଅଗ୍ରେ ଗିରଚୂଡ଼ା, ରାଜେ ସେ ଯେସନ

କଳ୍ପନାର ସ୍ୱର୍ଣ୍ଣରଥ, ସ୍ୱର୍ଣ୍ଣଧ୍ୱଜଶୋଭୀ ।

ଆଲିଙ୍ଗନ୍ତେ ତୁମ୍ଭଙ୍କୁ ମୁଁ, ନିରେଖି ସେ ଦୃଶ୍ୟ

ବିଭାବନା ଅଳଙ୍କାର ଖଟାଇ କୋବିଦେ,

କହନ୍ତି-‘‘ଭ୍ରମର କୋଳେ ଶୋଭେ କି କୁସୁମ,

ସ୍ୱଭାବେ କୁସୁମ କୋଳେ ବସେ ସିନା ଅଳି ।’’

ତୁମ୍ଭ ଗୁଣେ ମୋ ହୃଦୟ ଦୀପ୍ତ, ନିଶାମଣି,

ଯାଇଛି କି ଭୁଲି ଏହା, ଭୋଳାଶମ୍ଭୁଚୁଡ଼ା,

ବିସ୍ମୃତ ମହତ ବ୍ୟକ୍ତି ସଦା ଆତ୍ମଗୁଣ,

ଏହା ତ ସ୍ୱଭାବସିଦ୍ଧ ଧର୍ମ ମହତର ।

ତୁମ୍ଭ ସୌମ୍ୟ ରୁପ ଏକା କରିଅଛି ଧନ୍ୟ

ବିଶ୍ୱର ଉପମାସୃଷ୍ଟି, ସୌନ୍ଦର୍ଯ୍ୟ-ଖଣିରେ

କାହିଁ ତୁମ୍ଭ ତୁଲ୍ୟ ମଣି, ତୁମ୍ଭ ରୂପ-ତୀର୍ଥେ

ଅବଗାହି ନେତ୍ର ମୋର ହୁଏ ପୁଣ୍ୟ, ଧନ୍ୟ ।

କୃଷ୍ଣପକ୍ଷେ, ଶଶଧର, ହୁଏ ହେ ତୁମ୍ଭର

ଅନୁବିନ ତନୁ କ୍ଷୀଣ, ଶୁକ୍ଳେ ବିପରୀତ,

ତଥା ଲଭେ କ୍ଷୟବୃଦ୍ଧି ଦୁଃଖ ସୁଖ ମୋର

ହୁଅ ତୁମ୍ଭେ ଜନ୍ମ ଯେବେ ପୌର୍ଣ୍ଣମାସୀ ଗର୍ଭୁ,

ମଙ୍ଗଳୁ ମଙ୍ଗଳ ପ୍ରାୟ ବହି ପୂର୍ଣ୍ଣକଳା,

ଧରି ବିଶ୍ୱବିମୋହନ ନବୀନ ମାଧୁରୀ,

ସେକାଳେ ମୁଁ ଧନ୍ୟ ହୁଏଁ, ଯେଣୁ ମୁଁ ତୁମ୍ଭର ।

ପ୍ରତିବିମ୍ବ ରୂପେ ଆସି ଲୁଚି ଲୁଚି ପଛୁ

ଆଚ୍ଛାଦ ରହସ୍ୟେ ତୁମ୍ଭେ କୁମୁଦିନାନେତ୍ର,

ପ୍ରତିବିମ୍ଭ କରେ, ଲଭି ସ୍ପର୍ଶସୁଖ ତବ

ସାତ୍ତିକେ ଚମକି ଉଠି, ହସେ ସେ ମଧୁରେ,

ଦେଖି ତାର ସୁଖ, ଦେବ, ଲଭେ ମୁଁ ଆନନ୍ଦ ।

ହେଉ ପଛେ ସପତ୍ନୀ ସେ, ଜଗତ ନେତ୍ରରେ,

ମାତ୍ର ମୋର ପ୍ରାଣାଧିକା, ବେନିଙ୍କ ଜୀବନ

ଗଢ଼ା ଏକା ଉପାଦାନେ, ତେଣ୍ଟ ତାହା ସୁଖେ

ଆତ୍ମା ମୋର ହର୍ଷପ୍ଳୁତ ବିମୁଗ୍‌ଧ ସତତ ।

କୁମାରପୂର୍ଣ୍ଣିମା ରାତ୍ରେ କୁମାରୀନିଚୟ

ପୁଜନ୍ତି ତୁମ୍ଭଙ୍କୁ, ରଚି ତବ ପ୍ରତିମୂର୍ତ୍ତି

କୈରବ କୁସୁମେ, ଦିବ୍ୟ ବରଲାଭ ଆଶେ ।

ଅର୍ପନ୍ତି କୋମଳ କରେ ଅର୍ଘ୍ୟତବ ପଦେ,

ବନ୍ଦାନ୍ତି ପ୍ରଦୀପେ ଲଜା ବିରଚିତ ଚାନ୍ଦେ,

ଶଙ୍ଖ ହୁଳହୁଳି ଶବ୍ଦେ ଉଛୁଳେ ଅବନୀ,

ହେରି ସେ ଗୌରବ ତବ, ଅମରଦୁର୍ଲ୍ଲଭ,

ନିଜକୁ ଗର୍ବିତା ମଣେ ଏ ଦାସୀ ତୁମ୍ଭର,

ତୁମ୍ଭେ ଆତ୍ମା, ମୁଁ ଶରୀର, ତୁମ୍ଭର ଗୌରବେ

ଗୌରବାନୁଭୁତି ମୋର ସତ୍ୟ, ସ୍ୱାଭାବିକ ।

ତୁମ୍ଭ ଯୋଗେ ସୁନ୍ଦର ମୁଁ, ହେ ସୁନ୍ଦରଚୂଡ଼ା,

ମୋ ଯୋଗେ ସୁନ୍ଦର ତୁମ୍ଭେ, ସୁନ୍ଦର ଯେସନ

ପୁଷ୍ଷ ପର୍ଣ୍ଣପୁଟ ବେନି ପରସ୍ପର ହେତୁ,

ଡ଼ାକୁଛି ତୁମ୍ଭର ପାଇଁ ତୁମ୍ଭଙ୍କୁ ଭୁଁ ବିଧୁ,

ଆସି ପତ୍ରପାଠ ମାତ୍ରେ, ଏ ବିରହିଣୀକୁ

କର ହେ ଗୌରଦାନ୍ଵିତା ମିଳନ-ଗୌରବେ ।

କୃପଣ ଧନିକ କର୍ଣ୍ଣେ ଦୀନର ପ୍ରାର୍ଥନା

ନ ପଶି ମିଳାଇଯାଏ କର୍ଣ୍ଣମୂଳେ ଯଥା,

ଆଶା ଅଛି ମୋ ପ୍ରାର୍ଥନା ନ ହେବ ସେଭଳି,

ଶୁଭେ ତବ କରଗତ ହେଉ ଏ ଚିଟାଉ ।

Image

 

ପଞ୍ଚମ ସର୍ଗ

(ଅଗସ୍ତ୍ୟ ପ୍ରତି ଦକ୍ଷିଣାଶା)

 

ନମେ ତବ ୠଷିପଦେ, ହେ ୠଷିପୁଙ୍ଗବ,

ଦକ୍ଷିଣାଶା, ଯୋଗିବର ଅନମ୍ବର-କନ୍ୟା,

କର ଆଶୀର୍ବାଦ ଯେହ୍ନେ ଲଭୁ ସେ ତୁମ୍ଭଙ୍କୁ ।

କେତେ ଦିନ ଆଉ ଦାସୀ କାନ୍ଦିବ ବିଚ୍ଛେଦେ

ବିସର୍ଜି ବେଦନାଚସ୍ତ ଘନ ଦୀର୍ଘଶ୍ୱାସ,

କେତେ ଦିନେ ଦୃଷ୍ଟଗ୍ରହ ଘୁଞ୍ଚିବ ତାହାର,

ଲଭିବ ସେ ତବ ପଦ ଅର୍ଚ୍ଚନା ସୌଭାଗ୍ୟ,

କେତେ ଦିନେ ଯୋଗି, ହେବ ଯୋଗଭଙ୍ଗ ତବ,

ପଡ଼ିବ ଏ ଦାସୀ ମନେ, କହୁ ତା ଦାସୀକି ।

ଗୁରୁ ତୁମ୍ଭେ, ଆସ ଖରେ, ଅର୍ପିବ ଏ ଶିଷ୍ୟା

ପ୍ରେମ-ହେମହାର ଗୁରୁଦକ୍ଷିଣାସ୍ୱରୂପେ

ରଖିଛି ତା ବହଦିନୁ ଗୃନ୍ଥି ତୁମ୍ଭ ପାଇଁ

ପ୍ରଣୟର ପାଟଡୋରେ, ଅରୁପ ସୁନ୍ଦର ।

ଦୟାମୟ, ଦୟା ତବ ସହଜ ସମ୍ପତ୍ତି

ବଂଶଗତ, ଅର୍ପ ତାହା ଜଗତକୁ ଯାଚି,

ଦାନବ୍ରତ, ଖୋଜୁ ନାହିଁ ଅନ୍ୟ ଦାନ ମୁହିଁ,

ପ୍ରଦାନ ଦର୍ଶନ ଥରେ କର ହେ କୃତାର୍ଥ ।

ଅବତା ମୁଁ ମନୋବ୍ୟଥା କହିବି କେମନ୍ତେ

ତୁଣ୍ଡ ଖୋଲି, ଜଳାଞ୍ଜଳି ସମର୍ପି ଲଜ୍ଜାକୁ,

ତୁମ୍ଭେ ତ ସର୍ବଜ୍ଞ ଯୋଗୀ ବୁଝ ଯୋଗବଳେ ।

ନାରୀଙ୍କ ସ୍ୱଭାବ ଏହା-ଗଲେ ସୁଦ୍ଧା ପ୍ରାଣ

ନ କରନ୍ତି ବ୍ୟକ୍ତ ଗୁପ୍ତ ଅନ୍ତରବେଦନା,

ସେହି ବ୍ୟଥା କୋଟରସ୍ଥ ଜ୍ୱାଳାବଳୀ ପ୍ରାୟ

ଦହେ ମର୍ମସ୍ଥତ, ମାତ୍ର ବାହ୍ୟେ ସେ ଶୀତଳ ।

କୁସୁମ-କୋମଳ ତନୁ ବାଟେ ଦୁଷ୍ଟ କୀଟ,

କହେ କି ସେ ପ୍ରାଣାଧିକ ଅତ୍ରିରାଜେ ତାହା,

ସେହି ହାସ ସେହି ଖେଳ ବାହାରେ ତାହାର,

କାହା ନେତ୍ରେ ନୁହେଁ ବାରି ପୀଡ଼ିତା ବୋଲି ସୋ

ରଚି ଗଭା ତାର-ରତ୍ନେ ପିନ୍ଧି ତାରା-ହାର,

ଆବରି ଚନ୍ଦ୍ରିକାରୁପ ସ୍ୱର୍ଣ୍ଣପାଟେ ବେର,

ବସିଛି ମୁଁ ଚାହିଁ ତବ ଆଗମନ ପଥ

ବ୍ୟଗ୍ରନେତ୍ରେ, ଆସ ପ୍ରଭୁ, ପତ୍ରପାଠ ମାତ୍ରେ ।

ତପୋଧନ, ତେଜିଥିଲା ଯାତ୍ରା ଉପଦ୍ରବେ

ତପୋବନ ତୁମ୍ଭେ, ସେହି ରକ୍ଷ-ଘନେଶ୍ୱର

ସାରି ଦିଗ୍‌ବିଜୟ, ଫେରିଗଲାଣି ସ୍ୱପ୍ନରେ,

ନିରୁପଦ୍ରବ ମୋ ବକ୍ଷ, ତବ ତପୋବନ,

ଆସ ତହିଁ କର ଦେବ, ଯୋଗ ଅନୁଷ୍ଠାନ ।

ଘନରାଜ ସ୍କନ୍ଧାବାରେ ବାଜୁ ନାହିଁ ଆଉ

ବିଜୟ ବାଜଣା, ଏବେ ନୀରବ ସେ, ପୁଣି

ନିଭିଲାଣି ରୁଷ୍ଟ ରାଜା କ୍ରୋଧାଗ୍ନି ବିଜୁଳି,

ହେଲାଣି ନିବୃତ୍ତ ତାର ରୁଦ୍ର ହୁହୁଙ୍କାର,

ନାହିଁ ଆଉ ରକ୍ଷୋଭୀତି, ଆସ ନିରାଶଙ୍ଗେ ।

କାର୍ଯ୍ୟ ସାଧି ଇନ୍ଦ୍ରଧନୁ ଗଲାଣି ବାହୁଡ଼ି,

ପିତା ତାର ରୌଦ୍ର, ମାତା ସରିତକଣିକା,

କୋମଳ କର୍କଶୁ ଜାତ ମହା ଦୁର୍ଦ୍ଧର୍ଷ ସେ,

ଦୁର୍ଦ୍ଦର୍ଷ ଯେସନ କୁରୁଚୂଡ଼ା ଅଭିମନ୍ୟୁ

ଭଦ୍ରାଜୁନ-ଶୋଭା-ଶୌର୍ଯ୍ୟ-ମିଳନ-ସଞ୍ଜାତ;

ଶୋଭା ଶୌର୍ଯ୍ୟ ମିଳନ ହିଁ ଚରମ ଉତ୍କର୍ଷ

ଜାଗତିକ ଉନ୍ନତିର, ବିଧିନିର୍ଦ୍ଦିଷ୍ଟ ଏ ।

ସେହି ଧାନଞ୍ଜୟିରୂପୀ ସୁନାସୀର ଚାପ

ଅନ୍ତରୀକ୍ଷ-କୁରୁକ୍ଷେତ୍ରୁଁ ଦେଲାଣି ଘଉଡ଼ି

ଘନ-ସପ୍ତରଥିକୁଳେ, ଦେଖୁଛି ମୁଁ ତାହା

ମେଘାବଗୁଣ୍ଠନ ମଧ୍ୟୁ, ଚୋରା ଚାହାଣିରେ ।

ଆସିବ ଶରଦ ଭବେ, ବରଦଭୁପତି,

ଦିଶିଲାଣି ଚଉପାଶେ ସୂଚନା ତାହାର,

ବର୍ଷାଭାବେ ଭେକଛତ୍ର ତେଜିଲାଣି ଭେକ,

ହୋଇ ଉଠିଲାଣି ଗୁରୁ, ଶିଖିନୀ ନିଃଶ୍ୱାସେ

ବାୟୁ, ପୁଣି ବର୍ଷାବନ୍ଧୁ ଡାହୁକ ନୀରବ ।

ଅତିଗ୍ରାସେ ମୃତକାଳ୍ସା ସରୋଜିନୀ ଧନୀ,

କରିବ ନିବ୍ୟାଧି ତାକୁ ଶରତ-ସୁବୈଦ୍ୟ,

ପିଆଇ ଭାସ୍କର-କର-ଅମୃତ-ଔଷଧ,

ଯଥା ପାର୍ଥ ମହାରଥୀ-କୃଷ୍ଣ-ଅନୁଗାମୀ,

(ଅନୁଗାମୀ, ଉତ୍ସାହର ଉଦ୍ୟମ ଯେସନ)

ଦହିଣ ଖାଣ୍ଡବ ବନ, କଲେ ରୋଗମୁକ୍ତ

ସର୍ବଘଟେ ଗୁପ୍ତ, ଚିର ଅତୁପ୍ତ ଅନଳେ ।

ହସିବ ପଦିନୀ ସରେ, ହେବ ସେହୁ ନିଜେ

ପରିସ୍ଫୁଟ, ସେ ହାସ୍ୟର ଜୀବନ୍ତ ଔଜ୍ଜ୍ୱଲ୍ୟେ ।

ହେଲାଣି ଉଦ୍ୟାନେ ଭଭା ସୌମ୍ୟ ଶେଫାଳିକା

ଧରି ପୁଷ୍ପାଞ୍ଜଳି, ନୃପ ଶରତ ଉଦ୍ଦେଶ୍ୟେ,

ମଣ୍ଡି ତଣ୍ଡୀ ନଦୀତୀର, ଦୋଳାଏ ମୃଦୁକେ

ଶ୍ୱେତଦ୍ୱୀପ ଦୀପ୍ତାକ୍ଷର ଚାରୁପୁଚ୍ଛୋପମ

କୁସୁମ ଚାମର । ଶୁକ୍ଳ ରାଜହଂସକୁଳ

ଧାବିତ ମାନସମୁଖେ, ଲମ୍ବାଇ ନିଚମ୍ବେ

ମୋର ନବଭୁଷାରୁପେ ହୀରକ ମେଖଳା ।

କ୍ରିଡିବେ ହରଷେ ତହିଁ ପ୍ରଣୟବିନୋଦେ,

ବିଦାରି ପୁଷ୍‌କର କୋଷ, ପରସ୍ପର ମୁଖେ

ହେବେ ଦିଆଦେଇ ତାହା, ମରାଳମିଥୁନ

ଆସିବେ ମା ଦଶଭୁଜା ହୁର୍ଯ୍ୟକ୍ଷବାହନୀ

ହରରାଣୀ, ମର୍ତ୍ତ୍ୟଧାମେ ପୂଜାଗ୍ରହଣାର୍ଥେ,

ସମ୍ବତ୍ସର ପରେ ଦେବୀ ହେବେ ଶୁଭେ ବିଜେ

ଭକ୍ତସୂତ ଗୃହେ, ଅର୍ପି ପଦଧୂଳି ତାକୁ

ନାଶିବେ ଅଶିବ ତାର ଶିବବିନୋଦିନୀ ।

ହାୟରେ, କେ ଅଛି ଏହି ଭବ-ମରୁଦେଶେ

ଜନନୀ ସମାନ ଶୀତ ସ୍ୱଚ୍ଛ ତରଙ୍ଗିଣୀ

ସନ୍ତାନ ପକ୍ଷରେ, ସ୍ନିଗ୍‌ଧ ପୀୟୁଷସଲିତା,

କେ ଅଛି ନୈରାଶ୍ୟ ରାଜ୍ୟେ ଭରସା ତାହାର ?

ଆସ ମା, ଉଦ୍ଧାର ତବ ଏ ମୁଢ ସନ୍ତାନେ

ଅର୍ପି ତା ମସ୍ତକେ ପଦ, ଯେ ପଦ ପରଶେ

ହୁଏ ପୁତ ଦେବଶିର, ଧନ୍ୟ ଦେବଜନ୍ନ ।

ମୂଢ ଯେ, ମା, ଏ ସଂସାରେ, ମୁକ୍ତି ଧନ ତାର,

ତେଣୁ ମୁଁ ହୋଇଛି ମୂଢ, ଆଶା ବାନ୍ଧି ପ୍ରାଣେ,

ଦୁରନ୍ତ ମହୀଷ-ସୁନ୍ଦ ଉପସୁନ୍ଦୁ ବଳି

କିଏ ମା ଜଗତେ ମୂଢ଼, ମୁକ୍ତ ସେ ମୂଢ଼ତ୍ୱେ ।

ପଠା ନା, ମା, ଖେଳିବାକୁ ଏ ଦୁର୍ବଳ ସୁତେ

ବାରମ୍ବାର ଦୂର ଦେଶେ, ହୁଏ ମୁଁ ତହିରେ

ବଡ଼ କ୍ଳାନ୍ତ, ନ ଦେଖିଲେ ବ୍ୟର୍ଥ ଖେଳ ମୋର

କି କ୍ଷତି ତୁମ୍ଭର ଦେବି, ରଖ ପଦେ ସଦା ।

ଅମୃତର ପୁତ୍ର ମୁହିଁ, କି କାର୍ଯ୍ୟ ମୋ ମର୍ତ୍ତ୍ୟେ

କେ ଇଚ୍ଛେ ଦ୍ୱିଦିନ ବଞ୍ଚି ଚିର ମୃତ୍ୟୁଦୁଃଖ ।

ହେ କୋବିଦେ, କାବ୍ୟୋଦ୍ୟାନବିହାରୀ ରସିକେ

ଭାସିଯାଇ ହୃଦୟର ଆବେଗ ଉଚ୍ଛାସେ

ହେଲି ମୁଁ ପ୍ରସଙ୍ଗଚ୍ୟୁତ, ଅଣଆୟତ୍ତରେ,

କ୍ଷମିବ ଏ ରସଭଙ୍ଗ ଦୋଷ କ୍ଷମାଗୁଣେ ।

ହେ ବିଶେଷ ତରୁନାମା, ଋଷିକୁଳଧନ,

କେମନ୍ତେ ଧରିବି ନାମ ତବ, କେମନ୍ତେ ବା

ଲଘିଂବି ମୁଁ ଆର୍ଯ୍ୟକୁଳନିତୀ, ଜଗନ୍ନାନ୍ୟ

ଗୁରୁଜନ ପୁଣ୍ୟନାମ, ଏ ଅପୁଣ୍ୟ ମୁଖେ

ଉଚ୍ଚାରି ଅକ୍ଷମ୍ୟ ପାପେ ନ ହେବି ବିଲିପ୍ତ ।

ଦେଖ ପ୍ରଭୁ, ଜଗନ୍ନାତା ଆଗମନ ଲାଗି

ହୋଇଛି ସୂବର୍ଣ୍ଣସେତୁ ମହାକାଶେ ବନ୍ଧା

ଛାୟାପଥବ୍ୟାଜେ-ହୀରା, ନୀଳା, ପ୍ରବାକାଦି

ସମୁଜ୍ଜ୍ୱଳ ଶବଳିତ ମଣି ମାଣିକ୍ୟରେ,

ଆସ ନାଥ ଖରେ, ପୁଣ୍ୟ ଶୁଭଦୃଷ୍ଟିପାତେ

ହେଉ ମର୍ତ୍ତ୍ୟ ପଥ ଘାଟ ନିର୍ମଳ ପାବନ ।

ପର ଦୁଃଖେ ଦୁଃଖୀ ତୁମ୍ଭେ, ପୋଛିଦିଅ ଆସି

ଧରଣୀଦେବୀର ଅଶ୍ରୁ ପଙ୍କିଳ କପୋଳ,

ଭୁଞ୍ଜିଛି ସେ ବହୁ କ୍ଳେଶ-ପ୍ରାବୃଟ-ପ୍ରଦତ୍ତ ।

କି କହିବ ଅଧିକ ମୁଁ-ଅଜ୍ଞାନା ରମଣୀ,

ତୁମ୍ଭେ ଶାସ୍ତ୍ରବେତ୍ତା, ଶାସ୍ତ୍ରଜ୍ଞାତା, ଜାଣ ସବୁ,

ପୋଛିଦିଏ ଯେଉଁ ହସ୍ତ ଅଶ୍ରୁ ଦୁଃଖିନେତ୍ରୁଁ,

ଦେବ ହସ୍ତ ତାହା, ଦିବ୍ୟ ମହିମା-ମଣ୍ଡିତ,

ସେ ହସ୍ତର ଅଧିକାରୀ ଯେଉଁ ମହାଜନ,

ବରଷେ ତା ପୁଣ୍ୟଶିରେ, ବିଶ୍ୱ ଆଶୀର୍ବାଦ

ନିଷିକ୍ତ ଅମୃତେ, ଲଭେ ନରଦେହେ ସେହୁ

ବିପୁଳ ଗୌରବମୟ ଅମର ଉପାଧି ।

ଭଜିଛି କଳୁଷ ଭାବ କଲ୍ଲୋଳିନୀ ଜଳ,

ତୁମ୍ଭ ପୁଣ୍ୟଜ୍ୟୋତି, ନାଥ, ହେବ ତାହା ପକ୍ଷେ

ସ୍ଫଟିକ ସମାନ, ତହୁଁ ହେବ ସେ ନିର୍ମଳ,

ଚାହିଁଛି ସେ, ଚାହିଁଅଛି ଏକାନ୍ତେ ପୋତ୍ସୁକେ

ବିମଳ-କମଳ-ନେତ୍ରେ କମଳ ଆକର,

ଆବର ଚାହିଁଛି ଦେବ, ଏ କିଣା କିଙ୍କରୀ

ବିଜୟ ସରଣୀ ତବ, ହେ ହୃଦୟଜ୍ୟୋତି,

ପ୍ରକାଶିତ ହୁଅ ଆସି ଅଭାଗୀ ହୃଦୟେ ।

ଗାଉ ମୋ ଅନ୍ତର, ହର୍ଷେ ପ୍ରାଣର ସଙ୍ଗୀତ,

ନାଚି ଉଠୁ ଆତ୍ସା ସୁଖ-ମିଳନ-ପୁଲକେ,

ହସୁ କୁମୁଦିନୀ, ମିଶୁ ହାସ୍ୟଜ୍ୟୋତି ତାର

ଜ୍ୟୋତିରେ ତୁମ୍ଭର, ତେଜି କୁତ୍ସିତ କୁବେଶ

କିଶୋରୀ ବେଶରେ ଧରା ହେଉ ସୁସଜ୍ଜିତ ।

ଋଷିରାଜ, ଶୋଷି ତୁମ୍ଭେ ମହାସିନ୍ଧୁ ନୀର,

ଖର୍ବ କଲ ଗର୍ବ ତାର, ଶାସି ବିନ୍ଧ୍ୟଶୈଳେ,

ଚନ୍ଦନ-ବନ୍ଦିତ, କଲ ଚିର ନିଷ୍କଣ୍ଟକ

ଗଗନେ ଜ୍ୟୋତିଷ୍କପଥ, ଏଡ଼େ ଲୋକ ତୁମ୍ଭେ,

ଚିର ଅଭାଜନ ମୁହିଁ, ରୁପ-ଗୁଣ-ହୀନ,

ତଥାପି ହେ ନାଥ, ତୁମ୍ଭ ସଧର୍ମିଣୀ ବୋଲି

ଅତୁଳ ଗୌରବାନ୍ୱିତା ମଣେ ମୁଁ ନିଜକୁ ।

ନାହିଁ ରୂପ, ନାହିଁ ଗନ୍ଧ ଧୁତୁରା ଫୁଲର,

ମାତ୍ର ସେ ଗୌରାବାନ୍ୱିତା ଶିବସେବାଫଳେ,

କର୍ପୂର ସଂସର୍ଗ ହେତୁ ବାସେ ସମ୍ପୂଟକ ।

ତବ ଯୋଗେ ଗୌରବିନୀ ଏ ପରିଚାରିଣୀ,

ଲଭିଲେ ତୁମ୍ଭର ପଦ-ସେବାର ସୌଭାଗ୍ୟ

ଆବର କୈବଲ୍ୟପ୍ରଦ ଚରଣ ଦର୍ଶନ,

କୋଟି ଗୁଣେ ହେବ ସେହି ଗୌରବ ସଫଳ ।

ବାନ୍ଧିଛି ମୁଁ ଆଶା, ବସି ପଦପ୍ରାନ୍ତେ ତବ,

ଶୁଣିବି ତାପସ, ପୁଣ୍ୟ ବେଦ ମଧୁ ଧ୍ୱନି

ଅନଷ୍ଟୁପ ଛନ୍ଦୋବଦ୍ଧ, କୋମଳ ଗଭୀର,

ଶୁଣିବ ଆବର ବହୁ ଆର୍ଯ୍ୟଶାସ୍ତ୍ର ବ୍ୟାଖ୍ୟା,

ଧର୍ମ ଉପଦେଶ, ଶୁଦ୍ଧ ସୁନୀତି-ବଚନ,

ହେ ଜୀବନ-ଗୁରୁ, ଏବେ ଧର୍ମଗୁରୁରୂପେ

ଦିଅ ଦୀକ୍ଷା ଏ ଦାସୀକି ଯାଉ ସେ ନିସ୍ତରି,

ମାଗୁଅଛି ଏହି ଭିକ୍ଷା, ପୂରାଅ କାମନା ।

ହେ ଯୋଗ-ପୂଜକ-ଯୋଗି-ଯୋଗୀନ୍ଦ୍ର-ପୂଜିଚ,

କେତେ ସୁପ୍ତ ସ୍ମୃତି ଆଜି ଉଠୁଛି ଉଦ୍ଭାସି

ଅସ୍ଥିରହୃଦୟେ ମୋର କ୍ଷିପ୍ରଭାବ ସହ ।

ଭାଦ୍ରପଦ-ବେଦୀପୃଷ୍ଠେ ବସି ଯେବେ ତୁମ୍ଭେ

ନଭ-କୃଷ୍ଣାଜିନାସନେ ରତ ହୁଅ ଯୋଗେ,

ପୁଣ୍ୟର ଅମୃତ ଜ୍ୟୋତି ସ୍ଫୁରି ଅପଘନୁ

ବୁଡ଼ାଏ ତାରକାକୁଳ କ୍ଷୀଣତର ଜ୍ୟୋତି,

ବୁଡ଼ାଏ ଯେସନେ ଜ୍ୟୋତ୍ସ୍ନା ଖଦ୍ୟୋତ ଆଲୋକେ,

ସେ କାଳେ ମୁଁ ଚାହିଁଥାଏଁ ମୂର୍ତ୍ତିକୁ ତୁମ୍ଭର

ନିର୍ନିମେଷ ନେତ୍ରେ, ବହି ଅତୃପ୍ତ ଲାଳସା,

ଯଥା ଘନେ ଚାତକିନୀ, ସୂର୍ଯ୍ୟେ ସୂର୍ସ୍ୟମୁଖୀ ।

ଭାବେଁ ମନେ, ହୋଇଥାନ୍ତା ଭାଗ୍ୟମୋର ଯେବେ

ଲୋପାମୁଦ୍ରା ଭାଗ୍ୟ ଭଳି, ପିଅନ୍ତି ମୁଁ ତେବେ

ଏ ରୂପମାଧୁରୀ, ରହି ସ୍ୱାମୀ ପାଶେ ସଦା ।

ଖୋଜେ ନାହିଁ ଭାଗ୍ୟ ତାର ସପତ୍ନୀ ଈର୍ଷାରେ,

ସତୀ ସେ, ହଂସିଲେ ତାକୁ କାହିଁଛି ନିସ୍ତାର,

କେବଳ ମୁଁ କରୁଥାଏଁ ଭାଗ୍ୟର ତୁଳନା ।

କି ତପେ ତାପସୀ ହେଲା ତାପସମୋହିନୀ,

ଭୁଞ୍ଜିଲା ସେ ଅବିଚ୍ଛେଦ ସୂଖ, ଜାଣିଲେ ମୁଁ,

କରନ୍ତି ସେ ତପ, ହେଉ ପଛେ ସୁକଠୋର,

ଅନଶନେ, ଆଶୟନେ, ଏକନିଷ୍ଠ ମନେ

କରନ୍ତି ସେ ତପେ ତନୁକ୍ଷୟ, ଆୟୁକ୍ଷୟ,

ନୁହନ୍ତି ନୋହିବାଯାଏ କ୍ଷାନ୍ତ ଇଷ୍ଟସିଦ୍ଧି ।

କିନ୍ତୁ ହାୟ ଆଶା, ଧିକ ବଚନସର୍ବସ୍ୱା,

କିପାଁ ଲୋ ନିବସୁ ତୁହି ବିରହିଣୀହୃଦେ,

କିପାଇଁ ଦହୁ ଲୋ ଆଶା, ଦାବାନଳରୁପେ

ମୋର ମନୋବନ, ବଡ଼ ନିର୍ଦ୍ଦୟା ତୁ ଦୁଷ୍ଟା !

ଦେଖେଁ ନିତି ପ୍ରୀତିକେଳି ପ୍ରଭାନାଥଙ୍କର

ପ୍ରଭା ସହ, ନଭେ ତାରା ସହ ତାରେଶର,

ମର୍ତ୍ତ୍ୟେ ପୁଜୁଥାନ୍ତି ପାଦ ପଦ୍ମିନୀ କୈରବୀ,

ଚକ୍ରବାକ ଚକ୍ରବାକୀ ବସି ଏକଶାଖେ

ରତ ପ୍ରେମାଳାପେ, ଚାହିଁ ପରସ୍ପର ମୁଖ,

ଅଭିମାନେ ଉଡିଯାଏ ପୁଷ୍ପକୋଳୁଁ ଅଳି,

ବାତେ ଦୋଳି ତହୁଁ ଫୁଲ-ସୂନ୍ଦରୀ ସମ୍ରାଜ୍ଞୀ

ଶିର ସଞ୍ଚାଳନ ଛଳେ ଡାକେ ପ୍ରାଣନାଥେ,

କେବେ ଅଦା ମାନ ବହି ବସେ ମୌନେ ଫୁଲ,

ଛଳ ଛଳ ନୟନରୁ ତେଜି ଶିଶିରାଶ୍ରୁ,

ତେଜି ଦୀର୍ଘଶ୍ୱାସ ବାୟୁ ସନସନ ବ୍ୟାଜେ,

ରସିକଶେଖର ଅଳି ତହୁଁ ମହାବ୍ୟସ୍ତେ

କହି ଗୁଣୁ ଗୁଣୁ ସ୍ୱରେ କେତେ ଚାଟୁକଥା,

ଭାଙ୍ଗେ ଆସି ମହାମାନ ମାନିନୀ ପ୍ରିୟାର ।

ହସି ଉଠେ ଫୁଲ, ହସି ଉଠେ କାନ୍ତ ତାର,

ଗାଏ ମହାନନ୍ଦେ ଭୃଙ୍ଗ ମିଳନସଙ୍ଗୀତ,

ମଧୁର ସେ ଅଭିମାନ, ମଧୁର ମିଳନ,

ସୁଆାଗେ ନାୟକ ଚୁମ୍ବେ ନାୟିକା ବଦନ,

ନାଗର ନାଗରୀଙ୍କର, ହେ ନାଗରବର,

ଦେଖି ସେ ଦାମ୍ପତ୍ୟରୀତି, ମଧୁର ପାବନ,

କି ହୁଏ ମୋ ମନ, ତାହା ଜାଣେ ମୁହି ଏକା ।

ବନ ପୋଡିଗଲେ ନାଥ, ଜାଣନ୍ତି ସକଳେ,

ମନ ପୋଡିଗଲେ, ହାୟ, କେ ଜାଣିବ କାହିଁ !

କେବେ ତୁମ୍ଭ ସ୍ନେହଧାରା ବହିବ ଦାସୀର

ଅଦୃଷ୍ଟ-ସାଗର ମୁଖେ, କେବେ ଅବା ଆସି

ପାଳେ ଯଥା ହିମବିନ୍ଦୁ ସୁକୁମାରୀ ଫୁଲେ

ପାଳେ ଯଥା ହିମବିନ୍ଦୁ ସୁକୁମାରୀ ଫୁଲେ

ଢାଳି କାମଧେନୁ କ୍ଷୀର ବଦନେ ତାହାର ।

ଉଠିଲାଣି ତପୋବନୁ ପୁଣ୍ୟ ଯଜ୍ଞଧୂମ,

ଉଠୁଛି କି ଆହା, ବିଶ୍ଵଶିଳ୍ପୀ ଶିଳ୍ପଶାଲୁଁ

ଧାତୁଧୁମ, ତରଳାଏ ଶିଳ୍ପୀ ନାନା ଧାତୁ,

କରିବ ସଂସ୍କାର ତହିଁ ବର୍ଷାଭଗ୍ନ ମହୀ ।

କଲାଣି ଶରତ ବିଜେ, ନିର୍ବାର ବାରିଦ-

ଶୁକ୍ଳରଥେ, ଦେବାକୁ ଏ ସମ୍ବାଦ ତୁମ୍ଭଙ୍କୁ ।

କହିଲି ମଧୁପେ ଡାକି ବିନୟେ, ଆତୁରେ-

ଅଳିରାଜ, ଅଚଳ ମୁଁ ମାତ୍ର ଅଛି ତୋର

ଯଦୁଚ୍ଛା ଗମନଶକ୍ତି, ଆବର ବୁଝୁ ତୁ

ପ୍ରେମର ମହିମା, ଯେଣୁ ପ୍ରେମିକ, ରସିକ,

‘‘ରସିକଭ୍ରମର’’ ବୋଲି ଅଛି ଜନବାଦ,

କହ ଯାଇ କାନ୍ତେ ଏହି ପ୍ରେମିକା ସମ୍ବାଦ ।

କହିବୁ-ହେ ଋଷି, ବହୁବିବାହ ମୋହର,

କିନ୍ତୁ ମୁଁ ସଭିଙ୍କ ମନ ତୋଷେ ହରଘଡି-

କାହାକୁ ଦର୍ଶନ ଦାନେ, କାହାକୁ ସ୍ପର୍ଶନେ,

ଦକ୍ଷିଣାଶା, ଲୋପାମୁଦ୍ରା, ଦୁଇ ଜାୟା ତଦ,

କେମନ୍ତେ ହେ ଋଷିବର ସମଦର୍ଶୀ ତୁମ୍ଭେ,

ଗୋଟିକୁ ନିକଟେ ରଖ, ଆନେ ଦେଶାନ୍ତରେ ?

ଘେନି ମୋ ପ୍ରାର୍ଥନା ଅଳି ଅସ୍ପଷ୍ଟ ଗୁଞ୍ଜନେ

ଉଡିଯାଏ ଢଳି ଢଳି ତୁମ୍ଭ ଉଦ୍ଦେଶ୍ୟରେ ।

ମାତ୍ର କି କହିବି ପ୍ରଭୁ, ଆସେ ନେତ୍ରେ ଅଶ୍ରୁ,

ସ୍ୱଭାବେ ମଧୁପ ସେହୁ, ନଷ୍ଟ ଶିରୋମଣି,

ମତ୍ତ ସଦା ନିଶାଭୋଳେ, ପାସୋରେ ମୋ କଥା

କିବା ଚାରା ମତିଚ୍ଛନ୍ନ ଅମଳୀ ଲୋକର,

ସଦା ପରବଶ, ପରଚାଳିତ ସଦା ସେ,

କଥାର ସ୍ଥାୟିତ୍ୱ ତାର ଅଶ୍ୱ ମହିଷ ସମ୍ବନ୍ଧ,

ଚିରମୃତ ପୁଣି ସେହୁ ନୈତିକ ଜୀବନେ,

ଏ ହାତର କାର୍ଯ୍ୟ ତାର ନ ଜାଣେ ସେ ହାତ ।

ଚରିତ୍ର ହିଁ ମାନବର ସତର୍କ ପ୍ରହରୀ,

ସେ ଯାହାର କଳୁଷିତ, ରୌରବ କୀଟ ସେ,

ମହାଦୁର୍ଭାଗ୍ୟ ସେ ସତ୍ୟ; ମାତ୍ର କୃପାପାତ୍ର !

ଯାଉ ସେ ଘୃଣିତ କଥା, ପାପର ପସରା,

ଘାଣ୍ଟିଲେ କୁସୂମ, ହାତେ ଲାଗିରହେ ବାସ,

ଆମିଷ ଘାଣ୍ଟିଲେ ଲାଭ ଦୁର୍ଗନ୍ଧ କେବଳ ।

ସର୍ବସ୍ୱ ଯାହାର ସ୍ୱାର୍ଥ, ତାହାର ଜୀବନ

ନିଜ ପାଇଁ, ଦେଶର ସେ ଗୁରୁ ଗଳଗଣ୍ଡ,

ରାଜାର ଶୋଷଣ ପ୍ରଜାକୁଳ ହିତ ପାଇ,

ଖଣ୍ଟର ଶୋଷଣ ମାତ୍ର ନିଜ ପେଟଲାଗି,

ଆତ୍ମସୁଖ, ଆତ୍ମହିତ ଯାର ଚିରଲକ୍ଷ୍ୟ,

ତରଳେ କି ପରଦୁଃଖେ ବଜ୍ରହୃଦ ତାର ।

ତୁମ୍ଭ ଆଗମନ ପାଇଁ, ହେ ପ୍ରାଣଦେବତା,

କରେଁ କେତେ ଦେବତାଙ୍କୁ କେତେ ମାନସିକ,

ପୁଜା, ଭୋଗ, ଅଳଙ୍କାର ବାହନ ପ୍ରଭୃତି;

ମାତ୍ର କିଛି ମିଳେ ନାହିଁ ଫଳ, ଭାଗ୍ୟ ଯାର

ସୂପ୍ରସନ୍ନ, ଦେବେ ତାର ଅନୁକୂଳ ସଦା,

ଆୟୁଷ୍ମନ୍ତ ରୋଗି-ପକ୍ଷେ ମହୌଷଧି ସିନା

ହୁଏ କାର୍ଯ୍ୟକର, ନାଥ, କି ଲେଖିବି ଆଉ,

ସ୍ମୃତି, ଅଶ୍ରୁ, ଉଭେ ମୋତେ ନ ଦେଲେ ଲେଖାଇ,

କହିବି ସାକ୍ଷାତେ ସବୁ ହୃଦୟର ବ୍ୟଥା,

ଆସ ଖରେ, ପ୍ରତିପତ୍ରେ ନାହିଁ ପ୍ରୟୋଜନ ।

Image

 

ଷଷ୍ଠ ସର୍ଗ

(ମୃଗ ପ୍ରତି ମୃଗତୃଷ୍ଣା)

 

ପାରିବ କି ଚିହ୍ନି ଏବେ, ହେ ପଶ୍ଚତାପସ,

କମଜନୟନ, ବନ-ସରସୀ-କମଳ,

ରୌଦ୍ରରାଜକନ୍ୟା ଦୀନା ଏ ମୃଗତୃଷ୍ଣାକୁ

ସମ୍ବତ୍ସର ଅନ୍ତେ, ଘେନ ପ୍ରଣତ ମୋହର ।

ହେ କୁରଙ୍ଗ, ପଶ୍ଚକୁଳ-ମହର୍ଷିପ୍ରବର,

ଦେବରାଜ୍ୟୁ ଅବତୀର୍ଣ୍ଣ ତୁମ୍ଭ ଲାଗି ମୁହିଁ,

ସ୍ୱଭାବେ ମୁଁ ଦେବକନ୍ୟା, ବୁଯେ ରାଜଜେମା;

ମାତ୍ର ମୋ ହୃଦୟ ତୁମ୍ଭ ଚିର-ରାଜଧାନୀ ।

ଘୃଣନ୍ତି ଅମରେ ଧରା, ଅପବିତ୍ର ହେତୁ,

ତେଣୁ ନ ଛୁଅଁନ୍ତି ତାହା, ହୋଇ ସୂଦ୍ଧା ମୁହିଁ

ତ୍ରିଦିବବାସିନୀ, ଆସେଁ ତୁମ୍ଭପାଇଁ ମର୍ତ୍ତ୍ୟେ,

ତବ ଅବସ୍ଥାନ ହେତୁ ଏ ମହୀମଣ୍ଡଳେ

ମଣେ ମୁଁ ପାବନ ତୀର୍ଥ-ସ୍ୱର୍ଗୁ ଗରୀୟାନ ।

ବଡ଼ ଦୁଃଖିନୀ ମୁଁ, ଦୁଃଖେ ହୋଇଛି ମୋ ହୃଦ

ଭୀଷଣ ସମାଧିକ୍ଷେତ୍ର-ଆଶା ଆକାଙ୍କ୍ଷାର ।

କି ଦୁଃଖେ ଦୁଃଖିତ ମୁହିଁ, ଶୁଣିବ କି ତାହା ?

ଶୁଣ ତେବେ, ଲଙ୍ଘି ଧୈର୍ଯ୍ୟ-ପ୍ରାଚୀର ମୋହର

କେବଣ ଅଭୁତ ଚୋର, ପଶି ହୃଦ-ଦୁର୍ଗେ

ଅଲକ୍ଷିତେ, ଘେନିଗଲା ମନ-ଧନେ ହାୟ !

ନୁହେ ସେ ସାମାନ୍ୟ ଚୋର, କି କହିବି ବନ୍ଧୁ,

ତା ଦେହେ ସହସ୍ର ଆଖି, ସହସ୍ରାକ୍ଷ ଯଥା,

ବାୟୁ ପ୍ରାୟ ଗତି ତାର, ନ ରହି ସେ ଗ୍ରାମେ

ନିବସେ ଗହନ ବନେ, ତପଃପ୍ରାଣ ପ୍ରାୟ ।

କି ସୁନ୍ଦର ତନୁ ତାର, କି ସୁନ୍ଦର ମୂଖ,

କନକ କାକତ ପ୍ରାୟ ଚଟୁକ ଲଲାଟ,

ନୟନ-ଲାବଣ୍ୟଲୀଳା, ଉପମାର ଧନ,

ଶିରେ ବେନି ଚାରୁଜଟା, ଯଥା ବହୁଶାଖ-

ଶତାବରୀ ଲଟା, ଶୋଭେ କିରୀଟ ସଦୃଶ ।

ସ୍ୱଭାବେ ସେ ଋଷି, ପୁଣି ବହେ ଋଷ୍ୟ ନାମ,

ଭୁଞ୍ଜେ ଚୁଣ, ଜାଣେ ନାହିଁ ହିଂସା ଦ୍ୱେଷ କ୍ରୋଧ,

ହେଉ ପଛେ ତସ୍କର ସେ; ମାତ୍ର ମହାପ୍ରାଣ,

ପର ପାଇଁ ଆତ୍ମଦାନେ ନୁହେଁ ସେ କୁଣ୍ଠିତ,

ଆଚରନ୍ତି ମାଂସେ ତାର ନରେ ପିତୃଶ୍ରାଦ୍ଧ,

କେହି ବା ଉଦରଶ୍ରାଦ୍ଧ, ପୁଣ୍ୟାଜିନେ ତାର

ରଚନ୍ତି ତାପସକୁଳ ଆସନ, ବସନ ।

ଏଡ଼େ ବଡ଼ଲୋକ ହୋଇ ହରିଲା ମୋ ଚିତ୍ତ,

ଦେଖିଲେ ତାହାକୁ, ଦୃଢେ ପକାନ୍ତି ମୁଁ ବାନ୍ଧି

ପ୍ରେମ-ଡ଼ୋରେ, ଶତଖିଏ ବଳା, ଶତଫେରେ,

ଏହି ଶାସ୍ତି, ପ୍ରେମରାଜ୍ୟ-ଶାସ୍ତି, ଶାସ୍ତ୍ର-ସିଦ୍ଧ,

ମଧୁର କଠୋର ଶାସ୍ତି ପ୍ରେମିକର ପ୍ରାପ୍ୟ ।

ଏତିକିରେ ନୋହି କ୍ଷାନ୍ତ, ପ୍ରତିଲୋମକୁପେ

ବିନ୍ଧିଣ କଟାକ୍ଷ-ଶର, ତୀକ୍ଷ୍ଶ ଅସିଧାର,

କରି ତାକୁ ଅବସନ୍ନ, ଚିରି ଏ ହୃଦୟ,

ରଖି ତହିଁ ମନଚୋରେ, ଦିଅନ୍ତି ତା ସିଇଁ,

ଚୌରଭୀତି ଭଙ୍ଗ ଆଶେ କୃପଣ ଯେସନ

ରଖି ମୁଦ୍ରା ଉପାଧାନେ, ସିଇଁଦିଏ ମୁଖ ।

ସେହି ତୋର ମୋ ଆତ୍ମାର ଆରାଧ୍ୟ ଦେବତା,

ସେହି ମୋ ମନର ମନ, ଜୀବନର ଧ୍ୟାନ,

ଏ ପୋଡ଼ା-ନେତ୍ରର ନେତ୍ର, ଧମନୀର ରକ୍ତ,

ସେହି ମୋ ଆଶାର ଆଶା, ପିଣ୍ଡ ଏ ଛାୟାର ।

ସେହି ମୋ ହୃଦୟ-ବନ-ବିହାରୀ କୁରଙ୍ଗ,

ହେ କୁରଙ୍ଗ, ମଣ ନାହିଁ ଏ ଉକ୍ତି ମୋ ବ୍ୟଙ୍ଗ,

ସୁନ୍ଦର ସୂମନ ସେହୁ ମୋ ଆଶା-ଲତାର,

ଚିନ୍ତା-ରତ୍ନାକର ରତ୍ନ, ସଯତ୍ନରକ୍ଷିତ ।

ଶୂନ୍ୟ ଏ ହୃଦୟ ମୋର ସେ ଚୋର ବ୍ୟତୀତ,

ନୀରବ ଜୀବନ ଯନ୍ତ୍ର, ଆଶା ଅଚେତନ,

ହୋଇଅଛି ନିର୍ବାସିତ ଅଧରରୁ ହାସ,

ନିଷପ୍ରଭ ସତତ ଆତ୍ମା, ବିଚ୍ଛେଦ ଛାୟାରେ ।

କିଏ ସେହି ଚୋର, ମୃଗ, ପାରିବ କି କହି,

ନ କହିଲେ ଜାଣିବି ମୁଁ ତୁମ୍ଭେ ସେହି ଚୋର ।

ବିରହର ତପ୍ତଶ୍ୱାସେ ନିର୍ମାଣିଛି ମୋତେ

ଧାତା, ବାଷ୍ପମୟୀ କରି, ଜଡ଼ାଇ ଅଭାବେ,

ଅଜ୍ଞାତ ଅଭାବ, ପ୍ରାଣେ କରେଁ ଅନୁଭବ,

ଦେଖୁଛି ସଂସାରେ ସବୁ ଅଛି ପୂର୍ବପରି,

ମାତ୍ର ଏକା ନାହି ମୋର ଖୋଜିବା ପଦାର୍ଥ,

ନାହିଁ ମୋର ଚିନ୍ତାଶକ୍ତି, ନାହିଁ ଆଉ ଆତ୍ମା,

କେବଳ ହୃଦୟ ଘେନି ଅଛି ମୁଁ ସଂସାରେ,

ଖୋଜୁଛି ସେ ହୃଦୟରେ ହୃତ ଧନ ମୋର,

କିନ୍ତୁ କି ଆଶ୍ଚର୍ଯ୍ୟ, ଯାହା ନ ଖୋଜେଁ, ତା’ ପାଏଁ,

ଆଉ ଯାହା ଖୋଜେ, ତା ପାଏ ନାହିଁ ସ୍ୱପ୍ନେ ।

ନ ଫୁଟେ ନନ୍ଦନବନେ ମୋ ବାଞ୍ଛିତ ଫୁଲ,

ନାହିଁ ମୋ ଈପ୍‌ସିତ ରତ୍ନ କୁବେର ଭଣ୍ଡାରେ,

ମୋ ବାଞ୍ଛିତ ସୂଖ ନାହିଁ ସ୍ୱପ୍ନେ-କଳ୍ପନାରେ,

ଲୋଡ଼ୁଛି ମୁଁ ଯେ ଆଲୋକ, ନାହିଁ ତା’ ଜ୍ୟୋତିଷ୍କେ

ସତ୍ୟବନ୍ତ ହୃଦେ କିମ୍ବା ସୂକର୍ମି-କର୍ମରେ ।

କେତେ ବା କହିବି ଆଉ, ବୁଝିଲ କି, ଏଣ,

କି ଦ୍ରବ୍ୟ ଖୋଜେ ମୁଁ ସଦା, ନ ପାରିଲେ ବୁଝି

କହେଁ ଶୁଣ, ତୁମ୍ଭେ ଏକା ସେ ଦୁର୍ଲ୍ଲଭ ଧନ ।

ଅଥବା ବୋଲିବ ତୁମ୍ଭେ-ଭାବୁଛି ଏସନ,

‘‘କଥାରେ କି ଚିନ୍ତେ ଚୂଡ଼ା, ଦୁରାଶା ପଶ୍ଚାତେ

ଧାଇଁଲେ କେବଳ ଲାଭ ଦୁଃଖ ଅବସାଦ,

ଜଳ ବିନା ଧୂମ୍ରପାନେ ମେଣ୍ଟେ କି ପିପାସା ?’’

କିନ୍ତୁ ନାଥ, କି କହିବି ଅଜ୍ଞା ଅବଳା ମୁ,

ତୁମ୍ଭେ ବିଜ୍ଞ, ଜ୍ଞାନଯୋଗୀ, କି ଅଜ୍ଞାତ ତବ,

ବୁଝ ଭାବି ପ୍ରେମ-ତୃଷ୍ଣା ମେଣ୍ଟେ କି ସଲିଳେ,

ଲୋଡ଼େ ସିନା ପ୍ରେମ-ତୃଷ୍ଣା ଅନ୍ତରର ଭାବ,

ଆବର ପ୍ରାଣର ଭାଷା, ସ୍ନେହଶ୍ରଦ୍ଧାବୋଳା,

ନୁହନ୍ତି ଦେବତା ତୁଷ୍ଟ ଖାଦ୍ୟେ ଅବା ଧନେ,

ତୁଷ୍ଟ ସେ ଭକ୍ତିରେ ସିନା, ଅଦ୍ରବ୍ୟବିଶେଷ ।

ଭାଷା ଭାବଠାରୁ ବଳି କି ଅଛି ବା ପ୍ରେମ,

ପ୍ରେମକୁ ଯେ ଜନ ମଣେ ବିଳାସସାମଗ୍ରୀ

କିମ୍ବା ପାପ ଉପାଦନ-ଇନ୍ଦ୍ରିୟ ତୃପ୍ତିର,

ଗଜମୁର୍ଖ ସେହୁ, ନାହିଁ କାଣ୍ଡଜ୍ଞାନ ତାର,

ପ୍ରେମରାଜ୍ୟ ପ୍ରଜାପଣେ ନୁହେ ସେ ଭାଜନ ।

ପ୍ରଣୟ ପବିତ୍ର ସୁଧା ପ୍ରଣୟ ଦେବତ୍ୱ

ନୁହେଁ ତାହା କେଉଁ କାଳେ ସ୍ୱାର୍ଥ-କଳୁଷିତ,

ଆଶା ପଛେ ଧାଇଁ ମନ ଲଭେ ଯେଉଁ ସୁଖ,

ଜାଣେ ତାହା ଭୁକ୍ତଭୋଗୀ, ଦେଖ ଭାବି ତୁମ୍ଭେ

ସାଫଲ୍ୟେ ନ ଥାଏ ସୂଖ, ଥାଏ ସେ ଆଶାରେ,

ସହ୍ୟ ହୁଏ, ପ୍ରିୟବର, ଆଶାର ଯନ୍ତ୍ରଣା,

ହୃଦୟଶୂନ୍ୟତା, ମାତ୍ର, ଅସହ୍ୟ ସର୍ବଥା ।

ବାଞ୍ଛା ମୋର ଚିରଦିନ ସେବିବି ସେ ପଦ,

କିନ୍ତୁ ନାଥ, କି କରିବି କି ଚାରା ବା ମୋର,

ରହିବାକୁ ଦୁଇ ମାସ ସମ୍ବତ୍ସର ମଧ୍ୟେ

ମର୍ତ୍ତ୍ୟପୁରେ, ମୋହୋ ପ୍ରତି ବିଧିର ଆଦେଶ,

ଅଲଙ୍ଘ୍ୟ ବିଧିର ବିଧି, କେ ଲଙ୍ଘିବ ବଳେ ?

ବିଚିତ୍ର ବିଧାନ ତାର, ଦିନକେ ମଉଳେ

ଫୁଲ-ବନସ୍ପତି-କନ୍ୟା-ବନ-ଖଣି-ମଣି,

ସୂଷମା-ମୁକୁଟ-ଝରା ସ୍ୱର୍ଣ୍ଣ ସୌଦାମିନୀ

ଜାତ ମାତ୍ରେ ଲଭେ ମୃତ୍ୟୁ, ଚାରୁ ଇନ୍ଦ୍ରଧନୁ,

ବର୍ଣ୍ଣକୁଳ-ଅଧିରାଜ, ମିଳାଏ କ୍ଷଣକେ ।

କରିଛି ଚନ୍ଦନ ଫୁଲେ ଗନ୍ଧହୀନ ଯେହୁ,

ଇକ୍ଷୁଦଣ୍ଡେ ଫଳହୀନ, ନିର୍ଗନ୍ଧ ଜ୍ୟୋସ୍ନାକୁ,

କେଉଁ କଥା ଅସମ୍ଭବ ସେ ବିଧି ପକ୍ଷରେ ?

ସ୍ୱଳ୍ପାୟୁ ସୂନ୍ଦର ମାତ୍ରେ ସୃଷ୍ଟିରେ ତାହାର,

ସ୍ୱଳ୍ପାୟୁ ଯେସନ ଦୁଷ୍ଟ ମନେ ଧର୍ମଭାବ,

ଆବର ଅପୁର୍ଣ୍ଣ ସବୁ-ସୂଖ ଆଶା ଆଦି,

କେବଳ ସମ୍ପୁର୍ଣ୍ଣ, ତାହା ଅକ୍ଷୟ ବିଧାନ ।

ଦିବାଯାମୀ ତୁମ୍ଭ ପାଇଁ ଝୁରେ ଏ ନୟନ,

ଝୁରେ ଯଥା ଶ୍ରାବଣର କାଦମ୍ବିନୀ ସଦା,

ସ୍ମୃତି ଆଣି ପାଠ କରେ ବିରାଟ ତାଲିକା

ଅତୀତ ସୂଖର, କାନ୍ତ, କରି ଅନାଥିନୀ,

ଏକାକିନୀ ଏ ଦାସୀକି ଛାଡିଗଲ ତୁମ୍ଭେ,

ମାତ୍ର ଗଲା ନାହିଁ ସ୍ମୃତି, ସେହି ମୋ ସଙ୍ଗିନୀ ।

ଆଶ୍ରା କରି ମୋତେ, ପୁଣି ଦହୁଛି ମୋ ପ୍ରାଣ,

ବୁର୍ଜନ ପଥିକ ଯଥା ଆଶ୍ରି ପାନ୍ଥଶାଳେ,

ଜାଳେ ତାକୁ ଭାଙ୍ଗି ପୁଣି ରନ୍ଧନ ସମୟେ,

ଯଥାର୍ଥ, ଯନ୍ତ୍ରଣାପ୍ରଦ ଇତରବନ୍ଧୁତା,

ମାତ୍ର ସେହି ରଖିଅଛି ବଞ୍ଚାଇ ମୋ ପ୍ରାଣ ।

ଇଚ୍ଛା କରେ ମରିବାକୁ; ମାତ୍ର ମରେ ନାହିଁ,

ମଲେ ଆଉ ନ ଦେଖିବି ତୁମ୍ଭ ସୌମ୍ୟ ମୁଖ,

ନ ସେବିକି ପଦ, ତେଣୁ ତେଜେ ସେ ବାସନା ।

କି କହିବି ଦୁଃଖ କଥା, ହେ କୁରଙ୍ଗବର,

ଶୁଣି ତା କାନ୍ଦିବ ନିଶ୍ଚେ କୁରଙ୍ଗୀ ତୁମ୍ଭର,

ହେଲେ ସୁଦ୍ଧା ମହାଶତ୍ରୁ ସପତ୍ନୀ ମୁ ତାର,

କାନ୍ଦେ ସେ ବିପକ୍ଷ ଦୁଃଖେ, ଯେ ହୃଦୟବାନ,

ରାବଣ ପରମ ଅରି ରାମଚନ୍ଦ୍ରଙ୍କର,

ଯାହା ପାଇଁ ଦାଶରଥି ହେଲେ ହୃତପତ୍ନ,

ମରିଲେ କର୍ବୁରବୃନ୍ଦ ଅର୍ବୁଦ ଅର୍ବୁଦ,

ବୀରପ୍ରସ୍ତ ସ୍ୱର୍ଣ୍ଣଲଙ୍କା ହେଲା ଛାରଖାର,

କାନ୍ଦିଲେ ମୃତ୍ୟୁରେ ତାର ରବିକୁଳ-ଚୂଡ଼ା ।

କି ନ କଲା ଦୁର୍ଯ୍ୟୋଧନ, କୁରୁକୁଳ-ଗ୍ଳାନି,

ଅତ୍ୟାଚାର ପାଣ୍ଡବଙ୍କ ପ୍ରତି, କଲା ପଣ

କରିବାକୁ ଅପାଣ୍ଡବ ଧରଣୀମଣ୍ଡଳେ,

କୁଳଲକ୍ଷ୍ମୀ, ସତୀଲକ୍ଷ୍ମୀ ଦ୍ରୌପଦୀକୁ ଆଣି

(ହାୟରେ କି ଲଜ୍ଜା, ଦୁଃଖେ ନେତ୍ରେ ଆସେ ଅଶ୍ରୁ)

ରାଜସଭା ମଧ୍ୟେ, କଲା ବିବସନା ଦୃଷ୍ଟ,

ସେ ଦାରୁଣ ଅପମାନ ପ୍ରତିଶୋଧ ବେଳେ

ପ୍ରହାରିଲେ ପଦ ଯେବେ ଭୀମ ମହେଷ୍ୱାସ

ଦର୍ପୋନ୍ନତ ଶିରେ ତାର, କୁରୁକ୍ଷେତ୍ର ରଣେ,

କାନ୍ଦିଲେ ତା ଦେଖି ତେବେ ସୂଧୀ ଯୁଧିଷ୍ଠିର,

ଧର୍ମବୀର, ଦୟାବୀର, ଶାନ୍ତ, ସତ୍ୟବୀର ।

ଯେ ପ୍ରେମ ହସାଏ, ନାଥ, କନ୍ଦାଏ ସେ ପ୍ରେମ,

ଯେ ଯାହାକୁ ପ୍ରେମ କରେ, କାନ୍ଦେ ତା ଅଭାବେ,

ମାତ୍ର ଯେ ପ୍ରେମିକ କରେ ଜଗତକୁ ପ୍ରେମ,

କାନ୍ଦେ କି ସେ, ଅଭାବରେ-ବ୍ୟକ୍ତିବିଶେଷର ?

ପ୍ରେମ ହେଲେ ସୀମାବଦ୍ଧ, ହୁଏ ଦୁଃଖପ୍ରଦ,

ସୀମାବଦ୍ଧ ମୋର ପ୍ରେମ, ଏକା ତୁମ୍ଭ ଭିନ୍ନ

ନ ହୁଏ ସେ ସ୍ରଧାବିତ କାହା ପ୍ରତି ଭବେ,

ତେଣୁ ମୁହିଁ କାନ୍ଦେ ଦୁଃଖେ ତୁମ୍ଭରି ଅଭାବେ,

ଚିହ୍ନି ଜାଣେ ପ୍ରଣୟ ଯେ, କାନ୍ଦି ଜାଣେ ସେହି,

ପ୍ରେମ-ରାଜ୍ୟେ ଅଚିହ୍ନରା କାନ୍ଦିବ କା ଲାଗି ?

ବସନ୍ତ-ବାର୍ଦ୍ଧକ୍ୟ-କାଳୁଁ ଆସି, ଚାରୁନେତ୍ର,

ଖୋଜୁଛି ତୁମ୍ଭଙ୍କୁ ମୁହିଁ ପ୍ରାନ୍ତରେ ପ୍ରାନ୍ତରେ,

ମାତ୍ର କାହିଁ ନ ମିଳିଲା ଭେଟ, ଆଜିଯାଏଁ ।

ଆନ ପ୍ରଣୟିନୀ ତବ-ସାଗରସଙ୍ଗିନୀ,

ଥିବ ପରା ଅଙ୍କେ ତାର, ଭାବି ଏହା ମନେ

ଗଲି ତାହା କତି, ରହି ବାଲୁକା ପୁଲିନେ

ଚାହିଁଲି ତାହାର ସ୍ୱଚ୍ଛ ସଲିଳ-ଦର୍ପଣେ,

ନ ଦେଖିଲି କାହିଁ ତବ ମୂର୍ତ୍ତି-ପ୍ରତିବିମ୍ବ,

କେବଳ ନିଜକୁ ଦେଖି ସେ ମୁକୁର ମଧ୍ୟେ

କ୍ଷୁର୍ଣ୍ଣ ମନେ ତହୁଁ ନାଥ, ଆସିଲି ମୁଁ ଫେରି ।

ଶେଷେ ଉଠି ଗିରିଚୁଡ଼େ-ଅନମ୍ବରଚୁମ୍ବୀ,

ଚାହିଁଲି ଚୌଦିଗେ ବ୍ୟଗ୍ରେ, ଦିଶିଲା ନିମ୍ନରେ

ଅନନ୍ତ ସୁଷମାସ୍ତୁତ ଅନନ୍ତ କାନନ,

ପୂର୍ଣ୍ଣ ତାହା ବିହଗାଳି-ଗୀତେ, ପୂର୍ଣ୍ଣ ଯଥା

ଧନିକ ବିଳାସସଭା-ରତ୍ନ-ଅଳଙ୍କୃତା,

ପିକବାଣୀ-ବାମାକଣ୍ଠ ସମୁଥିତ ଗାନେ ।

ଭ୍ରମୁଛନ୍ତି କେତେ ପଶୁ ବନେ ଇତସ୍ତତଃ

ଗର୍ଜେ ତାହିଁ ଜନ୍ତୁ-ଯମ ଭୀଷଣ ଶାର୍ଦ୍ଦୂଳ

ଫୁଲାଇ ଶରୀର କ୍ରୋଧେ, ବୁଲାଇ ଲାଙ୍ଗୁଳ,

ମହା ଅମଙ୍ଗଳ ହେତୁ ଧୂମକେତୁ ପ୍ରାୟ ।

ଶୁଣି ସେ ଗର୍ଜନ, ରୁଦ୍ର ବିରାଟ ବିକଟ

ଥରି ଉଠେ ଗିରିବନ ହୋଇ ଥର ଥର ।

କାହିଁ ବା ଗହ୍ୱରେ ସୁପ୍ତ ସିଂହ-ଗଜାରାତି,

ସ୍ୱଭାବେ ସେ ବନରାଜ, ଯାଏ ରାଜନିଦ୍ରା

ସତର୍କ, କ୍ଷଣିକ, ଯେବେ ଚାହିଁଦିଏ ଥରେ

ରକ୍ତାକ୍ତ ଅଳସ ନେତ୍ରେ-ଅର୍ଦ୍ଧନିମୀଳିତ,

ଲୁଚନ୍ତି କେ କାହିଁ ତେବେ ଅଗ୍ରବର୍ତ୍ତୀ ଜୀବେ ।

ନାହିଁ ତାର ତିଳେ ମାତ୍ର ଭୟ ବା ଭ୍ରୁକ୍ଷେପ,

ଉଦାର ନିର୍ଭୀକଚେତା, ନୃପତି ଯେସନ,

ନାହିଁ ତା’ ଇତର ଦୃଷ୍ଟି, ଦେଖିଲେ ତା ମୂର୍ତ୍ତି,

ପିଣ୍ଡରୁ ପରାଣ ଯାଏ ତକ୍ଷଣେ ବାହାରି ।

କାହିଁ ଅବା ଯୂଥନାଥ-ଭୀମ ଦନ୍ତାବଳ

ବିମନ୍ଥେ କାନନ-ସିନ୍ଧୁ, ମନ୍ଦରାଦ୍ରି ପ୍ରାୟ

କାହିଁ ବା ବରାହବରେ ଟେକି ତୀକ୍ଷ୍ଣ ସଟା,

ରତ ବର ଆହବରେ, ଦଶନ ଘର୍ଷଣେ

ଝଡ଼ିପଡ଼େ ଅଗ୍ନି କଣା, ଦେଖି ମାଡ଼େ ଭୟ ।

କମ୍ପୁଛି ଭଲ୍ଲୁକ ଜ୍ୱରେ, -ତୀକ୍ଷ୍ଣଦୀର୍ଘନଖ,

କଣ୍ଠ ଡାକେ ଘଡ଼ ଘଡ଼, କଫରୋଗୀ ପ୍ରାୟ ।

ଭମୁଛନ୍ତି ଗଣ୍ଡା, ଗଣ୍ଡା ଗଣ୍ଡା, ଖଣ୍ଡାଧାରୀ,

ଏହିପରି କେତେ ଜନ୍ତୁ ଭମନ୍ତି କାନ୍ତାରେ,

କେ ପାରିବ କଳି ତାହା; କିନ୍ତୁ କି ଆଶ୍ଚର୍ଯ୍ୟ,

ହେ ରଙ୍କୁ ତୁମ୍ଭର ଏହି ପ୍ରଣୟ-ରଙ୍କୁଣୀ

ନ ଦେଖିଲା କାହିଁ ତୁମ୍ଭ ପଙ୍କଜ-ଆନନେ ।

ପଚାରିଲି ତହୁଁ ଦ୍ରୁମେ, ହେ ଲତାବଲ୍ଲଭ,

ବହ ତୁମ୍ଭେ ବିଶ୍ମହିତେ ପ୍ରାଣ, କଳେବର,

ପୁଣି ସମଦର୍ଶୀ, କର ଛେଦକକୁ ସୁଦ୍ଧା

ଛାୟାଦାନେ ତୃପ୍ତ, ସୁସ୍ଥ, ଯାଏ ବହୁଦୂର

ଦୃଷ୍ଟି ତବ, ଘେନି ମୋର ମିନତି ଆରତି,

ହେ ପରୋପକାରବ୍ରତି, କୃପା-ସ୍ୱର୍ଗ ଦେବ,

ମୋ କାନ୍ତ ସନ୍ଦେଶ କହି ସାର୍ଥକ ସେ ବ୍ରତ ।

ଚିହ୍ନ ତ ମୋ କାନ୍ତେ ତୁମ୍ଭେ, ବନବ୍ରାହ୍ମଣ ସେ,

ନିବାସ ତାଙ୍କର ତୁମ୍ଭ ପୁଣ୍ୟ ଛାୟା ତତେ,

ଦେଖିଥିବ ନିଶ୍ଚେ ତାଙ୍କୁ, କହ ଦୟା ବହି ।

ଶୁଣି ମୋ ଗୁହାରି ତରୁ, କହିଲା କି କଥା,

ଶାଖା-ହସ୍ତ ଠାରି, ତାହା ନ ପାରିଲି ବୁଝି,

ସ୍ୱଭାବେ ମୁଁ ଦେବଦାତା, ଚିର ଅମାୟିକା,

କେମନ୍ତେ ବୁଝିବି ନରପୁରର ସଙ୍କେତ,

ନରପୁର କୂଟମାୟା ଦେବେ ଅଗୋଚର ।

ଏଥୁଅନ୍ତେ ଧୀର ଗୀରେ ପୁଚ୍ଛିଲେ କୁସୁମେ-

ଅଳିପ୍ରିୟେ, ଚିହ୍ନିଛୁ ତୁ ମୋ ହୃଦୟନାଥେ,

କସ୍ତୂରୀନାଭ ସେ, ଲାଗି ସେ କସ୍ତୂରୀଗନ୍ଧ

ତୋ ଶରୀରେ, ବଢ଼ାଇଛି ଗୌରବ ତୋହର,

କହ, କାହିଁଛନ୍ତି ତୋର ସେ ସୌଭାଗ୍ୟଦାତା ।

ହା ଦୁର୍ଦୈବ, କି ଲେଖିବି ତୁମ୍ଭଙ୍କୁ ପ୍ରାଣେଶ,

ଶୁଣି ମୋ ଭାରତୀ ଭ୍ରଷ୍ଟା ଉଠିଲାକ ହସି

କର କର ହୋଇ ପତ୍ର ମରମର ଛଳେ,

ହସି ହସି ଗଲା ଗଡ଼ି, ହାସ୍ୟ ପଛେ ହାସ୍ୟ,

ତାହା ପଛେ ହାସ୍ୟ ପୁଣି ହାସ୍ୟ, ପୁଣି ହାସ୍ୟ,

ହସିଲା ମରିବା ଯାଏଁ ଏକ ନିଃଶ୍ୱାସରେ ।

କି ନିର୍ବାକ୍‌ ବ୍ୟଙ୍ଗ, କେଡ଼େ ନିଷ୍ଠୁର ବିଦ୍ରୂପ

ଦୁଷ୍ଟାର, ସ୍ୱଭାବେ ସେ ତ ବାରବିଳାସିନୀ,

ସହଜେ ନିର୍ଲଜ୍ଜା, ତାର ହାସ୍ୟ ହିଁ ଜୀବିକା,

କେବେ ବାସ ବିଷ୍ଣୁ ବକ୍ଷେ, କେବେ ଶମ୍ଭୁଶିରେ

କେବେ ବା ଗଣେଶ ପଦେ, କି ଲଜ୍ଜା ତାହାର ?

ଯେଉଁ ନଷ୍ଟା, ଅବିଦ୍ୟାରେ ମହାବିଦ୍ୟାବତୀ,

ଘୃଣିତ କୁଗୁରୁ ପୁଣି ପାପ କୁବିଦ୍ୟାର,

କାହିଁ ଗତି ତାର, ଧିକ୍‌ ଧିକ୍‌ ତା ଜୀବନେ ।

ହୋଇ ମୁଁ ବିରକ୍ତ ତାର ହୀନ ବ୍ୟବହାରେ

ବାହୁଡ଼ି ତା ପାଶୁ, ପୁଣି ପୁଚ୍ଛିଲି ଅନିଳେ,

ରୁରୁରଥ, ମହାସତ୍ତ୍ୱ ମହାଦାତା ତୁମ୍ଭେ,

ନ ଯାଉ ପଛକେ କେହି ଗନ୍ଧ ଗ୍ରହଣାଥେ

ପୁଷ୍ପ ପାଶେ, ବଳେ ବଳେ ନେଇ ତୁମ୍ଭେ ଗନ୍ଧ

ଦେଇ ଆସ ଗୃହେ ତାର, ଖୋଜି ଖୋଜି ତାକୁ

ଦିଅ ମୋତେ ସ୍ୱାମିଦାନ, ଘେନି ମୋ ଯାଚଞା,

ସ୍ୱାମୀ ମୋର ତୁମ୍ଭ ଦାସ, ମୁଁ ତୁମ୍ଭର ଦାସୀ,

କର ଅନୁଗ୍ରହ ଦୀନେ, ସେବକ-ବତ୍ସଳ !

ଭାଷିଲେ ଜଗତପ୍ରାଣ, ପାଗଳିନୀ ତୁହି

ମରୀଚିବେ, ବୃଥା ଖୋଜୁ ଏଣେ ତେଣେ କାନ୍ତେ,

ଖୋଜ ନିଜ ପ୍ରାଣ ମଧ୍ୟେ, ପାଇବୁ ନିଶ୍ଚୟ ।

କିନ୍ତୁ ହାୟ, କାହିଁ ପ୍ରାଣ, ଖୋଜିବି ତହିଁରେ,

ସେ ତ ଅଛି ତୁମ୍ଭ ପାଶେ, ନ ଆସେ ଡାକିଲେ,

ଆସ ତୁମ୍ଭେ, ଆସ ପ୍ରଭୁ, ପ୍ରାଣ ଘେନି ମୋର ।

ଦେଖିଲି କୁସ୍ୱପ୍ନ ଦିନେ, ହାୟ କି କହିବି,

ସକଳ ଆପଦ ତବ ଯାଉ ମୋ ଉପରେ,

କେମନ୍ତେ କହିବି ସେହି ଅମଙ୍ଗଳ କଥା,

ସ୍ମରିଲେ ତା ଏବେ ସୁଦ୍ଧା ଶୁଖିଯାଏ ଆତ୍ମା,

ଦେଖିଲି ସ୍ୱପନେ ଏକ ଦୂରନ୍ତ କିରାତେ,

ଯମଦୂତ ପ୍ରାୟ ଉଭା ଧନୁର୍ବାଣ କରେ,

ବାତାୟୁ, ଗତାୟୁ ହୋଇ ପଡ଼ିଅଛ ତୁମ୍ଭେ,

ବହୁଛି ରୁଧିର-ଧାରା ଅସ୍ତ୍ରକ୍ଷତ ଅଙ୍ଗୁ,

ସୁଖ-ସ୍ମିତ-ମୁଖ ତବ ହୋଇଛି ବିବର୍ଣ୍ଣ,

ଦେଖି ତାହା ପଡ଼ିଲି ମୁଁ ମୂର୍ଚ୍ଛାଯାଇ ତହିଁ,

ତହିଁ ପରଦିନ ଦେବ ମଧ୍ୟାହ୍ନ ମାର୍ତ୍ତଣ୍ଡ

ଛୁଆଇଁ ସୁବର୍ଣ୍ଣକର ଉଠାଇଲେ ମୋତେ ।

ବ୍ୟାକୁଳ ମୁଁ ତୁମ୍ଭ ପାଇଁ ସତତ ହେ ରାମ-

କାନନ-ଅଯୋଧ୍ୟାପୁର-ନେତ୍ର ଅଭିରାମ,

ପ୍ରଦାନି ଦର୍ଶନ, ପ୍ରଭୁ, ଚିରରାମପ୍ରାଣା-

ଅଗର୍ଭଜା, ଏ ଦାସୀକି କର ଭାଗ୍ୟବତୀ ।

Image

 

ସପ୍ତମ ସର୍ଗ

(କୋକିଳ ପ୍ରତି ରସାଳକଳିକା)

 

ଦର୍ଶନପ୍ରାର୍ଥିନୀ ଆଜି, ପିକକୁଳ-ପତି,

ତୁମ୍ଭର ଏ ଦାସୀ-ଚିର ସମାଧିନିମଗ୍ନ-

ଯୋଗିବର-ସହକାର-ବାଳିକା କଳିକା ।

ପେଷିଲି ପ୍ରଣୟ-ପତ୍ର, ତବ ଦର୍ଶନର

ଅଗ୍ରୀମ ମୂଲ୍ୟ ଏ, ମଧୁବନ୍ଧୁ, ଜାଣେ ମୁହିଁ,

ଉତ୍କଷ୍ଟ ଦ୍ରବ୍ୟର ମୂଲ୍ୟ ହୁଏ ସମଧିକ,

ଜାଣେ ସୁଦ୍ଧା ମୋର ଏହି କ୍ଷୁଦ ଲିପିମୂଲ୍ୟ

ଅତି ଊଣା, ମୋ ବାଞ୍ଛିତ ଦ୍ରବ୍ୟ ତୁଳନାରେ,

ହିମାଳୟ ତୁଳନାରେ ରେଣୁକଣା ଯଥା,

କିନ୍ତୁ ପ୍ରଣୟ ତ ନିଶ୍ଚେ ସ୍ୱର୍ଗୀୟ ସମ୍ପଦ,

ତାହାରି ପରଶ ହେତୁ, ମୋର ଏ ବିଶ୍ୱାସ-

ହେବ ଏହା ତବ ପାଶେ ଆଦୃତି, ଗୃହୀତ ।

ହେ ଦେବତା, ତୁମ୍ଭ ବିନା ମୋ ହୃଦ-ମନ୍ଦିର

ହୋଇଛି ଦେବତାଶୂନ୍ୟ, ନ ଜାଣ କି ନାଥ

ତୁମ୍ଭେ ଯେ ମୋ ମୃତ ପ୍ରାଣ ଅମୃତର ଦାନ ।

ପକ୍ଷୀ ତୁମ୍ଭେ, ଏଥରକ ପାଇଲେ ତୁମ୍ଭଙ୍କୁ

ରଖିବି ମୁଁ ପକ୍ଷୀ ଭାବେ ହୃଦୟ-ପିଞ୍ଜରେ

ବନ୍ଦୀ କରି ଚିରକାଳ ଭୁଞ୍ଜାଇବି ନିତି

ସୁପକ୍ୱ ପ୍ରଣୟ-ଫଳ, ଅମୃତୁ ମଧୁର,

ପିଆଇବି ସୁଶୀତଳ ଭକ୍ତି-ଗଙ୍ଗାଜଳ

ବସିଛି ମୁଁ ସୁକୁନ୍ତଳା, ଚୂତର୍ଷି-ଦୁହିତା,

ତୁମ୍ଭ ପ୍ରତୀକ୍ଷାରେ ବନେ, ଶକୁନ୍ତଳା ପ୍ରାୟ-

ଧରାଧନ୍ୟା, ବରବର୍ଣ୍ଣା, କନ୍ୱର୍ଷି-କନ୍ୟକା,

ଅଛନ୍ତି ସଙ୍ଗରେ ପ୍ରିୟ ସହଚରୀଦ୍ୱୟ-

ପ୍ରିୟମ୍ବଦା ମଧୁକରୀ, ପୁଣି ହରିଦ୍ରାଙ୍ଗୀ

ଚିର ଅନସୂୟା, ବେନି ପ୍ରାଣାଧିକା ମୋର,

ଆସ ଏବେ ତୁମ୍ଭେ ତ୍ୱରା, ଦୁଷ୍ମନ୍ତ ପରାୟେ

ଅମୂଲ୍ୟ ଭୁଷଣ-ମଣି ଭାରତମାତାର,

ହେ ଗନ୍ଧର୍ବବର, କର ପରିଗ୍ରହ ମୋତେ

ଗାନ୍ଧର୍ବ ବିବାହେ ତବ କୌଳିକ ନିୟମେ ।

ନୁହେଁ ତୁମ୍ଭେ ମର୍ତ୍ତ୍ୟବାସୀ, ଦେବୋଦ୍ୟାନ ଭିନ୍ନ

ସମ୍ଭବେ କି ଦେବପୁଷ୍ପ ଅଦେବ-ରାଜ୍ୟରେ,

ହେ ବସନ୍ତପ୍ରିୟ, ଆସି ବସନ୍ତ ସହିତେ

ଚାଲିଯାଅ ତାହା ପଛେ-ଅଜ୍ଞାତପାବନ

କେବଣ ସୁନ୍ଦର ରାଜ୍ୟେ, ସେ ରାଜ୍ୟେ କି ପ୍ରଭୁ,

ସ୍ନେହ ପ୍ରୀତି ଶ୍ରଦ୍ଧା ମୈତ୍ରୀ ସକଳ ସୁନ୍ଦର ?

ଜଳ ସ୍ଥଳ ଅନ୍ତରୀକ୍ଷ ସକଳ ସୁନ୍ଦର ?

ରାଜା ପ୍ରାୟ ହୋଇ ତୁମ୍ଭେ ସୁଖରେ କାତର,

ଆସି ବନଭ୍ରମଣରେ ପଥ ହୁଡି ଅବା

ଅତର୍କିତେ ଏ ପ୍ରବାସେ ହୁଅ ଉପସ୍ଥିତ,

ପାରନ୍ତି ସକଳେ ହୋଇ ଦୁଃଖରେ କାତର,

ସୁଖେ ଯେ କାତର ହୁଏ, ସୁଖୀ ସେ ତୁଲ୍ୟତେ ।

ତୁମ୍ଭ ପଥଭ୍ରମ, ହୁଏ ମୋ ପକ୍ଷରେ ଶୁଭା,

ତେଣୁ ମୁ ତୁମ୍ଭଙ୍କୁ ଲଭେ, କିନ୍ତୁ କି କହିବି,

ଭାଗ୍ୟ ତ ହାବେଳୀ ବାଣ, ଉଠିବାବେଳେ ସେ

ଉଠେ ଅନ୍ତରୀକ୍ଷ-ବକ୍ଷ ବିହାରି ପ୍ରଖରେ,

ପତନ ସମୟେ ତଥା କରି ଶବଛିନ୍ନ

ବାୟୁ-ଜାଲ,ପଡି ତଳେ ଦ୍ୱିଗୁଣ ବ୍ୟଥାରେ

ହୋଇଯାଏ ବିଚୁର୍ଣ୍ଣିତ ତିଳ ଏକ ହୋଇ,

ପାଇ ମୁଁ ତୁମ୍ଭଙ୍କୁ ନାଥ, ରଙ୍କନିଧିରୂପେ,

ଦ୍ୱିଦିନେ ହରାଇ ବସେ ଦୁର୍ଦୈବବିଧାନେ ।

ହାୟ, ସେହି ଭୁଡସ୍ମୃତି, ନ ହୁଏ ସମ୍ଭାଳି

କରୁଛି ସେ ହୃଦୟରେ କୋଟି ବଜ୍ର ଭେଦ ।

କି ନିଷ୍ଠୁର ତୁମ୍ଭେ, ପ୍ରିୟ, ଆସୁଛ ହୃଦୟେ,

ମାତ୍ର ଆସୁ ନାହିଁ କିପାଁ ସମ୍ମୁଖକୁ ଥରେ ।

କେତେ ବ୍ୟଥା କାରାରୁଦ୍ଧ ହୋଇଛି ହୃଦୟେ,

କେତେ ଯେ ହେଉଛି ଦଗ୍‌ଧ ଏ ପାଗଳ ପ୍ରାଣ,

କହିବି କା’ ଆଗେ ତାହା, ଶୁଣିବ ବା କିଏ,

ତୁମ୍ଭ ବିନା ଅଭାଗୀର କେ ଅଛି ସମ୍ବଳ !

ନାହିଁ ଯେଉଁ ଦେଶେ ଚିର ବସନ୍ତ ସୁଷୁମା,

ନାହିଁ ଚିର ମଳୟର ଅମୃତ ହିଲ୍ଲୋଳ,

ଯା ସଂସର୍ଗେ ପରିଣତ ଚରୁଏ ଚନ୍ଦନେ,

ପରଶ-ପରଶେ ଯଥା ଲୌହ ବାରବାନୀ,

ନାହିଁ ଯହିଁ ପ୍ରତିଭାର ଆଦର ଗୌରବ,

ନାହିଁ ସତ୍ୟ-ପୂଜା, ନାହିଁ ସ୍ୱାର୍ଥବଳିଦାନ,

ଜାଣେ ମୁଁ ସେ ଦେଶେ ନୁହେଁ ତବ ଚିରବାସ,

ତଥାପି ଯା ଥରେ ପ୍ରଦାନ ଦର୍ଶନ,

ସେ ତୁମ୍ଭର କୃପା-ମୋର ପ୍ରାକ୍ତନର ବର ।

କଳକଣ୍ଠ, ମୌନ ତୁମ୍ଭେ ଜମ୍ଭୁ ରସ ପାନେ,

ରୁଦ୍ଧକଣ୍ଠ, ରୁଦ୍ଧକଣ୍ଠ ଦଧିପାନେ ଯଥା,

ଆସ ନାଥ, ପିଅ ମୋର ପୁଣ୍ୟାମୃତ ରସ,

ଜଡ଼ତା-ବ୍ୟାଧିର ତାହା ଅବ୍ୟର୍ଥ ଔଷଧ,

ତକ୍ଷଣେ ଫିଟିବ କଣ୍ଠ, ବଚ ପାନେ ଯଥା

ଶୁକକଣ୍ଠ-ଝୁଣାଗନ୍ଧ-ଆଘ୍ରାଣେ ନୀରବ ।

ବିଜେ ମଧୁରାଜ ଏବେ ବସୁନ୍ଧରା ଦୁର୍ଗେ,

ପଦ୍ମିନୀ ମିଶାଇଲାଣି ମଳୟ ନିଃଶ୍ୱାସେ

ନିଜର ନିଃଶ୍ୱାସ ଧାରା-ସ୍ନିଗ୍‌ଧ ସୁରଭିତ,

ଫୁଟିଲାଣି ବନେ ଫୁଲ, ଆହା, ତନୁ ତାର,

ହୋଇଛି ରଚିତ ଯେହ୍ନେ ଚନ୍ଦ୍ରିକା-ସୁହାସେ ।

ଚୌଦିଗ ମଧୁର ଏବେ, ମଧୁର ଯେସନ

ସୁଖ-ସ୍ୱପ୍ନ-ସ୍ମୃତି, କିମ୍ବା ମାତୃ-ତିରସ୍କାର,

ଯାଉଛି ବରଷି କେତେ ମଧୁ ପରେ ମଧୁ-

ଶୋଭାଶିରେ ଶୋଭା, ମାତ୍ର ପିକ, ତୁମ୍ଭ ବିନା

ସେ ଶୋଭା ଅଶୋଭା, ପ୍ରାଣହୀନ, ଆତ୍ମାଶୂନ୍ୟ,

ପ୍ରତିମାବିହୀନେ ଯଥା ମଣିମୟ ମେଢ଼ ।

ମାନୁ ନାହିଁ ଧରଣୀକି ସେ ନୀରସ ଶୋଭା,

ନ ମାନେ ଅଦିନ ଫୁଲ ପାଦପେ ଯେସନ ।

ଶୁଣେ ବହୁ ପକ୍ଷିସ୍ୱର, ମାତ୍ର ପ୍ରାଣେଶ୍ୱର,

ତାହା ଖାଲି କର୍ଣ୍ଣଦାହୀ ଭାଷା, ନାହିଁ ତହିଁ

ମଧୁରତା, କୋମଳତା, ମୋହମାଦକତା

ତୁମ୍ଭ ସ୍ୱର ଭଳି, କିମ୍ବା ନାହିଁ ଦେବଭାବ

ଅଥବା କମନୀୟତା, ଶୁଶ୍ରୁଷା ଆବେଗ ।

କି ସୁନ୍ଦର ସ୍ୱର ତବ ହେ ଗାୟକରାଜ,

ଅଛି ତହି ଏକାଧାରେ ସହସ୍ର ବୀଣାର

ମଧୁର ଝଙ୍କାର, ଦେବ, ଶୁଣିଲେ ସେ ସ୍ୱର

ହୃଦୟ ଆସାଢ଼ ଯନ୍ତ୍ର ହୁଏ ସଞ୍ଚାଳିତ

ସବେଗେ ସଶଦ୍ଦେ, କେଡ଼େ ମଧୁର ପୁଣି ସେ,

ନାହିଁ ସେ ମାଧୁରୀ, ଆହା, ବିଶୁଦ୍ଧ ଗୋଦୁଗ୍‌ଧେ,

କିମ୍ବା କାବ୍ୟରସେ, ଅବା ଶିଶୁର ସଙ୍ଗୀତେ,

ଏ ଭଳି ମଧୁର ସ୍ୱର ଥିଲେ ତ୍ରିପିଷ୍ଟପେ,

ପ୍ରତେ ହୁଏ ଥାନ୍ତା ନାହିଁ ସୁଧାର ଆଦର ।

‘‘ଗନ୍ଧର୍ବ’’ ଅଭିଧା ତବ ସ୍ୱାର୍ଥ ହେ ଗାୟକ

ସ୍ୱରଶିଳ୍ପୀ, ସ୍ୱର ତବ ଉପମାରେ ଗଢ଼ା,

ମଧୁର ରଚନା, ଛନ୍ଦ, ମଧୁର ମୂର୍ଚ୍ଛନା-

ହେ କାନନ-କବିବର, ସଙ୍ଗୀତେ ତୁମ୍ଭର ।

ନାହିଁ ତହି ଅଳଙ୍କାର ପାରିପାଟ୍ୟଛଟା,

ନାହିଁ ଶବ୍ଦ ଆଡ଼ମ୍ବର, ଭାଷାର ଚାତୁରୀ,

କିମ୍ବା ଅର୍ଥଜଟିଳତା ଶିରୋବ୍ୟଥାମୟୀ,

ଅଛି ଯାହା ଶୁଣିବ କି, ଶୁଣ, ଅଛି ତହି-

ସହଜ ସରଳ ଭାବ, ଅପୂର୍ବ ମାଧୁରୀ,

ସଜୀବା ମୋହନୀ ଶକ୍ତି, ଆଉ ଯାହା ଅଛି,

ନାହିଁ ତା କାହିଁରେ, ସେ ଯେ କେବଣ ପଦାର୍ଥ,

କହିବି କେମନ୍ତେ ତାହା, ନାହିଁ ତାର ସଂଜ୍ଞା

ସଂଜ୍ଞାକୋଷେ, ଅସାଧ୍ୟ ସେ ଶବ୍ଦ ରଚକର ।

ହୁଏ ତହିଁ ପ୍ରାଣ ହୁ ହୁ, ବହେ ହୃଦ-ବନେ

ଉଚ୍ଚାଟ-ଝଟିକା, ପୁଣି ଜାତ ହୁଏ ଦେହେ

ନିଷ୍କମ୍ପ ସ୍ପନ୍ଦନ, ଦେବ, କି ପଦାର୍ଥ ତାହା

ବୁଝି ଏତିକିରୁ ତୁମ୍ଭେ-ଅନନ୍ତ ଶାବ୍ଦିକ ।

ସରି ନୁହେଁ ତିଳେ ହେଲେ ସେ ଗୀତ ପଦକୁ

ବିଶ୍ୱର ସଙ୍ଗୀତ ଶାସ୍ତ୍ର-ବିରାଟ, ଅକଳ,

ଗୋଟିଏ ବର୍ଣ୍ଣର ମାତ୍ର ମାଧୁରୀ ତାହାର

ନାହିଁ ନାହିଁ କୋଟି କୋଟି ସୂଧା-ପାରାବାରେ,

ସେ ଗୀତର ଉଚ୍ଚାରଣ-ତ୍ରୁଟିବିଚ୍ୟୁତିରୁ

ଝରେ ସୁଦ୍ଧା ସୁଧା-ଉତ୍ସ, ସହସ୍ର ଧାରାରେ ।

କେତେ ଥର ଇଚ୍ଛା କରେ ପଚାରିବ ବୋଲି,

ମାତ୍ର ପୋଡ଼ା ଭୁଲା ମନ ଭୁଲିଯାଏ ତାହା,

ହେ ପ୍ରାଣେଶ, କିପାଁ କହ ‘କୁ’ ‘କୁ’ ବୋଲି ସଦା,

ଜଗତେ କି ସକଳ ‘କୁ’ ତୁମ୍ଭର ବିଚାରେ ?

ନାହିଁ ନାହିଁ, ଅଛି ସୁ କୁ ଏକାଧାରେ,

ଯେଉଁ ଅଗ୍ନି ଦହେ ଗୃହ, ସେହି ଅଗ୍ନି ପୁଣି

କରେ ଗୃହ ଆଲୋକିତ-ପାକ କରେ ଅନ୍ନ;

ଜଳର ଜୀବନ ନାମ, ରଖେ ସେ ଜୀବନ,

ବରନ୍ତି ମରଣେ ଜୀବେ ସେହି ଜଳେ ବୁଡ଼ି;

ସୁଖାଦ୍ୟରେ ପରିପୁଷ୍ଟ ହୁଏ କଳେବର,

ମାତ୍ର ମାତ୍ରାଧିକ୍ୟେ ଆଣେ ଅଜୀର୍ଣ୍ଣରୋଗେ ସେ;

ଚମ୍ପକେ ସୁଗନ୍ଧ ସହ ନିବସେ ତିକ୍ତତା,

ଫଣୀ ମଣିଚୁଡ଼, କିନ୍ତୁ ତୀବ୍ର ବିଷାକର ।

‘କୁ’ ସୁଦ୍ଧା ତ ଆବଶ୍ୟକ ସଂସାରବିଧାନେ,

‘କୁ’ ନ ଥିଲେ ଥାଆନ୍ତା କି ସୁର ଗୌରବ ?

‘ସୁ’ ହେଉ ‘କୁ’ ହେଉ ଅବା, ଉଭେ କ୍ଷଣସ୍ଥାୟୀ

କ୍ଷଣସ୍ଥାୟୀ ଯୁଦ୍ଧରତ ଯୋଦ୍ଧାଶିର ଯଥା,

କିମ୍ବା ଯଥା ଜ୍ଞାନିହୃଦେ ସନ୍ଦେହର ଛାୟା,

କ୍ଷଣସ୍ଥାୟୀ ଭବ, ହାୟ, କ୍ଷଣସ୍ଥାୟୀ ମଧ୍ୟେ

କି ଫଳ ବା ସୁ କୁ ବାଛି, କିଫଳ ସେ ଚର୍ଚ୍ଚା ।

ଆଉ ଏକ କଥା ହେଳି ହୁଏଁ ମୁଁ ତାଟଙ୍କା,

ରଖ ନାହି ନାଥ, ତୁମ୍ଭେ ହ୍ରସ୍ୱଦୀର୍ଘ ଭେଦ-

ବ୍ୟାକରଣ ଶାସ୍ତ୍ରସିଦ୍ଧ, ବାକ୍ୟ ଉଚ୍ଚାରଣେ,

ଦୀର୍ଘ ଉଚ୍ଚାରଣ କର ହ୍ରସ୍ୱ ‘‘କୁ’’ ବର୍ଣ୍ଣର ।

ବୁଝିଲି ବୁଝିଲି, ତୁମ୍ଭେ ମହାଭାଷାବିଦ,

ହ୍ରସ୍ୱ ଦୀର୍ଘ ଭେଦରକ୍ଷା ଉଚିତ ସର୍ବଥା,

ମାତ୍ର ତାହା ଅସୁନ୍ଦର କଥିତ ଭାଷାରେ,

ଭାଷାବାସ୍ପକନ୍ୟା, ଅତଃ ଶୂନ୍ୟକଳେବରା,

ବିସ୍ତୃତି ତାହାର ମାତ୍ର ଅନନ୍ତ ଅପାର,

ଅଗାଧ ମହିମା ତାର ପବମାନ ପ୍ରାୟ,

କେ ରୋଧିବ ଆଶୁଗତି ଗତି, କେ ରଖିବ

ଅସୀମେ ସମୀମ କରି, ଜାଣି ଏହା ତୁମ୍ଭେ,

ପ୍ରଦାନିଛ ତାକୁ ଚିରମୃକ୍ତ ସ୍ୱାଧୀନତା,

ଭ୍ରମି ସେ ବିମୁକ୍ତ ସ୍ଥାନେ, ସେବି ମୁକ୍ତ ବାୟୁ,

ହେଉଅଛି ପରିପୁଷ୍ଟ, ପ୍ରବଳ, କର୍ମିଷ୍ଠ ।

ବ୍ୟାକରଣ ଲୌହଚାପେ ଦୃଢ଼େ ଚାପି ତାକୁ

କରିବାକୁ ବିକଳାଙ୍ଗ, ନୁହେଁ ତୁମ୍ଭ ମତ,

ସୁନ୍ଦରୀ ପ୍ରସ୍ତୁତ ଆଶେ ନିଷ୍ଠୁର ଚୈନିକେ

ବାନ୍ଧିଣ ବାଳିକା ପଦ, ଅର୍ପି ତାକୁ ହାୟ,

ପ୍ରାଣନ୍ତକ କଷ୍ଟ, ଶେଷେ ଗଢ଼ୁ ଗଢ଼ୁ ଦିଅଁ,

ପକାନ୍ତି ବାନର ଗଢ଼ି, ତହୁଁ ଅଭାଗିନୀ

ଆଜନ୍ମ ଅପୂର୍ଣ୍ଣ ପାଦେ ଭୁଞ୍ଜେ ଶୋଭାସୁଖ,

ଯେ ଶୋଭା ଯନ୍ତ୍ରଣାମୟୀ, ଜୁହାର ତା ପାଦେ ।

ପିକ, ତୁମ୍ଭେ ଜାତିସ୍ମର, ଜନ୍ମି ମାତୃଗୃହେ,

ବାୟସୀ କୋଳରେ ହୋଇ ଲାଳିତ ପାଳିତ,

ସ୍ୱଗୋତ୍ର ସୁମରି ଶେଷେ ମିଶ ସୁସମାଜେ,

ଦ୍ୱାପରେ ଯେସନ କୃଷ୍ଣ-ବୁଷ୍ଣୀକୁଳୋଷ୍ଣୀଷ,

ଚଟୁଳଚନ୍ଦ୍ରକଚୁଳ ଗୋକୁଳଚନ୍ଦ୍ରମା,

ଜନ୍ମି ବସୁଦେବ ଗୃହେ, ବଢ଼ି ନନ୍ଦ ଗୃହେ,

ଲଗାଇ ଅଛେଦ୍ୟ ମାୟା ଗୋପଗୋପୀପ୍ରାଣେ,

ପ୍ରକାଶି ଅନନ୍ତ ଲୀଳା, ହାୟ, ଲୀଳାମୟ,

ରମିଲେ ମଥୁରାପୁରେ ଅତ୍ରୁର ସହିତେ,

କରି ନିରାନନ୍ଦ ନନ୍ଦଗୃହ, ଲଦି ଦେଇ

ଶୋକ-ଶୈଳ ଯଶସ୍ୱିନୀ ଯଶୋଦାହୃଦୟେ,

ରାଧାପ୍ରାଣ ତୀବ୍ର ବାଧା କହିଲେ ନ ସରେ ।

ଆସୁଅଛି ଦୋଳପର୍ବ, ଆସ ନାଥ ତ୍ୱରା,

ଖେଳିବା ଅବିର ଖେଳ ରାଧାକୃଷ୍ଣ ପ୍ରାୟ,

ରଚିଛି ମୁଁ କୁଞ୍ଜକୁଟୀ, ବସ ଆସି ତହିଁ,

ଦୋଳାଇବ ସମୀରଣ ମଧୁରେ ମଧୁରେ,

ଜ୍ୟୋସ୍ନାକୁ କରିବା ଫଗୁ, ହେବା ଫିଙ୍ଗାଫିଙ୍ଗି,

ଧରି ତୁମ୍ଭେ ଜ୍ୟୋସ୍ନାମୁଠେ, ବୋଳିଦେବ ଆଣି

ସୁଆଗେ ମୋ ମୁଖେ, ହସି ହସି ତହୁଁ ମୁହଁ

ନେବି ତାର ପ୍ରତିଶୋଧ, ଫିଙ୍ଗି ନେତ୍ରେ ଫଗୁ,

ଆଛାଦିବି ପତ୍ର-କରେ ନିଜ ନେତ୍ର ପୁଣି,

ମର୍ତ୍ତ ହେବା ଇଚ୍ଛାସୁଖେ ଆନନ୍ଦ ଉତ୍ସବେ ।

ପ୍ରାଣକାନ୍ତ, କି ସୁନ୍ଦର ଚାରୁକାନ୍ତି ତବ,

ନୀଳକାନ୍ତେ ଗଢ଼ା, ନେତ୍ର ପଦ୍ମରାଗନିଭ,

କହେ ସେହୁ କେତେ ନବଭାଷା-ସୁଧାମଖା

ମୌନଗିରେ, ଗାଏ ପୁଣି ନୀରବେ ସେ କେତେ

ପ୍ରାଣର କବିତା ମୋର-ବସନ୍ତ ରାଗରେ ।

ବହେ ତାର ଅନ୍ତରାଳେ ସ୍ନେହ-ମନ୍ଦାକିନୀ,

ପ୍ରଣୟ-ଯମୁନା, ପୁଣି ଶ୍ରଦ୍ଧା ସରସ୍ୱତୀ,

ପୁଣ୍ୟତୀଥ ମୋ ପକ୍ଷେ ତା, ତ୍ରିବେଣୀସଙ୍ଗମ,

ସ୍ନାନି ତହିଁ ନେତ୍ର ହୁଏ ପବିତ୍ର, ସାର୍ଥକ ।

କି ସୁନ୍ଦର ରାସ୍ୟ ହାସ୍ୟ ସୁନ୍ଦର ବଦନେ,

ପିଏଁ ସେହି ହାସ୍ୟ ସୁଧା ନେତ୍ର-ତୁଣ୍ଡେ ମୁହିଁ,

ବଡ଼ ଦୁଷ୍ଟା କୁଜ୍‌ଝଟିକା, ପରିଶ୍ରୀକାତରା,

ବେଳେବେଳେ ଆଛାଦି ସେ ସେ ଶୋଭା ସମ୍ପଦେ

ସାଧେ ମୋ ସହିତେ ହାୟ, ନିରର୍ଥକ ଦାଉ,

ଦୁର୍ଜନ ସ୍ୱଭାବ-କରେ ବଳେ ପଶି କଳି ।

କେତେ ବ୍ୟଥା କେତେ ବ୍ୟଙ୍ଗ ସହେ ଏ ପରାଣ

ମୋରି, ଶୁଣିଲେ ତା’ ତୁମ୍ଭେ ପାରିବ କି ପ୍ରଭୁ

ଧେର୍ଯ୍ୟ ଧରି, ଯେଣୁ ତୁମ୍ଭେ ମୋ ଦୁଃଖରେ ଦୁଃଖୀ ।

କୁସୁମ-ସୁରଭି-ସ୍ନାତ କାନନେ ନିବସି

ସମୀରଣ, ବାଇ ମୁକ୍ତଛିଦ୍ର ବଂଶ ବଂଶୀ

ଚମକାଏ ହିଆ ମୋର, ତହୁଁ ମଧୁକରୀ

କହେ ଆସି କାନେ ତବ ଆଗମନ ବାର୍ତ୍ତା,

କିନ୍ତୁ ନାଥ, ସବୁ ମିଥ୍ୟା, ସବୁ ପ୍ରତାରଣା,

ସେ ସ୍ୱର ତ ନୁହେଁ କେବେ ତବ ସ୍ୱର ଭଳି,

ହୁଏ କି ହେ ଉଚ୍ଚାରିତ ଚଣ୍ଡାଳ ମୁଖରେ

ପବିତ୍ର ସଂସ୍କତ ଶ୍ଳୋକ, ଅମର-ଗୌରବ ।

ଆଶା ଆସି ଗଢ଼ିଦିଏ ତହୁଁ ଅତି ଖରେ

କଳ୍ପନାର ସିଂହାସନ ବୈଫଲ୍ୟ-ଶ୍ମଶାନେ,

କିନ୍ତୁ ବନ୍ଧୁ, କି କହିବି, କହିବି, ନ ପୁରୁ ମୁହୂର୍ତ୍ତ,

ନୈରାଶ୍ୟ ଆଘାତେ ତାହା ହୁଏ ଧୂଳିସାତ ।

ମୋହରି ସମ୍ପଦ ଆଶା, ନାଶେ ଶେଷେ ମୋତେ,

ବନ୍ୟାବତୀ ତରଙ୍ଗିଣୀ ନିଜ ସମ୍ପଦରେ

ନିଜେ ମଗ୍ନ ହୋଇ ସିନା ହରାଏ ନିଜକୁ !

କି କରିବି, ଅବଳା ମୁଁ, ଅସ୍ତ୍ର ମୋର ଅଶ୍ରୁ,

ଅକ୍ଷମ ସେ ଶତ୍ରୁ ସଙ୍ଗେ ଶତ୍ରୁତା ସାଧନେ,

ନୀରବେ ସକଳ ସହେଁ କପାଳେ ଆଦରି ।

ହସିବ ଏ କଥା ଶୁଣି ତୁମ୍ଭେ ପ୍ରାଣନାହା,

ମଣିବ ବାତୁଳା ମୋତେ,କିନ୍ତୁ କି କରିବି,

କରିଅଛି ଆଶା ମୋତେ, ଜ୍ଞାନପାଗଳିନୀ,

ଆଶା ଯାର କେବେ ହେଲେ ହୁଏ ନାହିଁ ପୂର୍ଣ୍ଣ,

ସ୍ୱଭାବେ ପାଗଳ ସେହୁ, ଆବର ଯାହାର

ପୂର୍ଣ୍ଣ ହୁଏ ଅଳ୍ପ ଆଶା, ଅପୂର୍ଣ୍ଣ ଅଧିକ,

ତତୋଽଧିକ ପାଗଳ ସେ, ବଡ଼ ହତ ଭାଗ୍ୟ,

ଅନୁକ୍ଷଣ ପୂର୍ଣ୍ଣ ହୁଏ ଆଶାରାଶି ଯାର,

ତାଠାରୁ ପାଗଳ ବଳି ନାହିଁ ଏ ପ୍ରପଞ୍ଚେ

ଏହି ତିନି ପାଗଳରେ ପୂର୍ଣ୍ଣ ଏ ଧରଣୀ ।

ତୁମ୍ଭର ପ୍ରଣୟସ୍ମୃତି କରିଛି ପାଗଳ,

ତା ସଙ୍ଗେ ମିଶିଛି ଆଶା, ଉଚ୍ଚାଟ ଆକାଙ୍କ୍ଷା,

ଗୋଟିକୁ ତ ବଳ ନାହିଁ, ତିନି ଶତ୍ରୁ ମୋର,

‘‘ଏକ ରାମେ ରକ୍ଷା ନାହିଁ, ଲକ୍ଷ୍ମଣ ଦୋସର’’

କାହାକୁ ମୁଁ ସମ୍ଭାଳିବି କ୍ଷୁଦ୍ର ପ୍ରାଣା ନାରୀ,

ଅନାୟତ୍ତେ ତାଙ୍କର ମୁଁ ହୋଇଛି ପାରିଧି ।

ଏତିକି ଯଥେଷ୍ଟ, ପ୍ରଭୁ, କି କାର୍ଯ୍ୟ ବାହୁଲ୍ୟେ,

ଜାଣିବ ମୋ ଦୁଃଖ ତୁମ୍ଭେ, ଯେଣୁ ବେନି ହୃଦ

ଗଢ଼ା ଏକ ଉପାଦାନେ, ତେଣୁ ମୋ ଯାତନା

ହେବ ହେ ବିମ୍ବିତ ତବ ହୃଦୟ-ଦର୍ପଣେ ।

ବସନ୍ତ ଚୋରତ୍ନ ତେଜି ପ୍ରକାଶ୍ୟରେ ଏବେ

କରୁଅଛି ରାଜପଣ ଦେବ ବିକ୍ରମରେ

ସୃଷ୍ଟିରାଜ୍ୟେ, ମଣ୍ଡିଲାଣି ରାଜଧାନୀ ତାର

ଅନନ୍ତ ବିଭବେ, ବର୍ଷେ ଯହୁଁ ଦେଖ ତହି

ବିଭବ ବିଭବ ପରେ, ଅଜସ୍ରଧାରାରେ ।

ଲାଗିଅଛି ସୁଷମାର କୋଟି ମହୋତ୍ସବ-

ଚାରିଦିଗେ, ଚାରିକୋଣେ, ଉର୍ଦ୍ଧ୍ୱେ ଅଧୋଦେଶେ

ଖେଳୁଛି ସୁଷମା କାହିଁ, ନାଚୁଛି ବା କାହିଁ,

କାହିଁ ବା ହସୁଛି ବସି ମଧୁରେ ମଧୁରେ;

ଆସ ନାଥ ଯୋଗ ଦେବା ଦୁହେଁ ସେ ଉତ୍ସବେ ।

ହିମଦଗ୍‌ଧା କମଳିନୀ, ବସନ୍ତ ଦର୍ଶନେ

ଉଠୁଛି ଅଙ୍କୁରି ସରେ, ସରୋବର-ଲକ୍ଷ୍ମୀ,

ମୋ ପ୍ରାଣ ବସନ୍ତ ତୁମ୍ଭେ, ବିଜେ ହୁଅ ଖରେ

ନିରେଖି ତୁମ୍ଭଙ୍କୁ, ନାଥ, ଦଗ୍‌ଧ ପ୍ରାଣ ମୋର

ଉଠିବ କଞ୍ଚେଇ ତଥା, ଧରି ଏହି ଆଶା,

ପ୍ରେରିଲି ଏ କ୍ଷୁଦ୍ର ପତ୍ର ଛାମୁକୁ ତୁମ୍ଭର,

ନ ଧରିବ ଲିପିଦୋଷ-ଆଜ୍ଞା ଅବଳାର,

ଅଯୋଗ୍ୟ, ହୃଦୟହୀନ ସମାଲୋଚୀ ପ୍ରାୟ,

ବିଡ଼ାଚ୍ଚଧର୍ମୀ ସେ, ଖୋଜେ ଆମିଷର ଗନ୍ଧ,

ମାତ୍ର କେବେ ପଶେ ନାହିଁ ଶର୍କରା ସମୀପେ ।

ଆସ ନାଥ, ଆସ ବେଗେ, ଘେନି ମୋ ମିନତି,

ଆନନ୍ଦ-ମିଳନାଶ୍ରୁରେ ଧୋଇଦେବି ପାଦ ।

Image